ସୁନ୍ଦରଗଡ଼, ୧୫/୦୩: ଏକଦା ପାନବାଲା ବାବୁ ଭାବେ ବେଶ ପରିଚିତ ଶଙ୍ଖା ବିକାଳିଙ୍କ ହାତରେ ଶଙ୍ଖା ବଦଳରେ ଏବେ ଭିକ୍ଷା ଥଳି । ଆସିଗଲା ପାନବାଲା ବାବୁ, ଚୁଡ଼ି ନିଅ ଚୁଡ଼ି ମାଆ ବଦଳରେ ତାଙ୍କ ମୁହଁରୁ ଶୁଭୁଛି ମାଆ ଭିକ୍ଷା ମୁଠିଏ ମିଳୁ । ଏହି ନମ୍ର, ଭଦ୍ର ତଥା ଲୋକପ୍ରିୟ ଶଙ୍ଖା ବିକାଳିଙ୍କ ଠାରୁ ନିଜ ପସନ୍ଦର ଶଙ୍ଖା ବାଛିଲା ପରେ ପିନ୍ଧାଇ ଦେବାକୁ ସରାଗରେ ହାତ ବଢ଼ାଇ ଦେଉଥିବା ମାଆ ଓ ଭଉଣୀ ମାନେ ଏବେ ତାଙ୍କ ଭିକ୍ଷା ଥାଳରେ ଚାଉଳ ମୁଠିଏ ଦେବା ବେଳକୁ ଲୁହରେ ଆଖି ଛଳ ଛଳ ହୋଇଯାଉଛି । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳୁଛି ଲେଫ୍ରିପଡା ଓ ଟାଙ୍ଗରପାଲି ବ୍ଲକ ସୀମାନ୍ତ ସାହାଜବାହାଲ ଓ ମଙ୍ଗସପୁର ଅଞ୍ଚଳରେ । ଏହି ଅସହାୟ ବୃଦ୍ଧ ହେଉଛନ୍ତି ହଲିମ ମନଧାରୀ । ବୟସର ସତୁରୀରୁ ଅଧିକ । ପଡ଼ୋଶୀ ଜିଲ୍ଲା ଛତିଶଗଡ଼ର ରାୟଗଡ଼ ସାରଙ୍ଗଗଡର ସେ ମୁଳବାସୀ ଅଟନ୍ତି ।

ସୁନ୍ଦରଗଡ଼ ସଦର ବ୍ଲକ ଅଁଳାଜୋର ଗାଁର ସଗରା ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରି ଘର ଜ୍ୱାଇଁ ଭାବେ ରହି ଆସୁଥିଲେ । ସଦର, ଟାଙ୍ଗରପାଲି ଓ ଲେଫ୍ରିପଡା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରେ ବୁଲି ଶଙ୍ଖା ବିକୁଥିଲେ । କେଉଁ ମହିଳା ପାଖରେ ପଇସା ନ ଥିଲେ ପରେ ଦେବ କହି ଶଙ୍ଖା ଦେଇ ଯାଉଥିଲେ । ସୁଲଭ ମୂଲ୍ୟରେ ବି ବିକ୍ରି କରୁଥିଲେ । ଗାଁକୁ ଆସିଲେ ଆସିଗଲା ପାନବାଲା ବାବୁ ବୋଲି ଡାକ ପକାଉଥିବାରୁ ଲୋକେ ତାଙ୍କୁ ଶ୍ରଦ୍ଧାରେ ପାନବାଲା ବାବୁ ବୋଲି ଡାକୁଥିଲେ । ତାଙ୍କ ସ୍ତ୍ରୀଙ୍କୁ ମହାମାରୀ କରୋନା ଛଡ଼ାଇ ନେଇଥିଲା । ସନ୍ତାନ ସନ୍ତତି ନଥିବାରୁ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଅସହାୟ ହୋଇପଡ଼ିଛନ୍ତି । ଆଖିକୁ ଆଉ ଭଲ ଭାବେ ଦେଖାଯାଉ ନାହିଁ । ତାଙ୍କ ଆଧାର କାର୍ଡ ପୋଡ଼ି ନଷ୍ଟ ହୋଇଯାଇଛି । ଅଧାର କାର୍ଡ ନଥିବାରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଭତ୍ତା କି ଚାଉଳ ନାହିଁ । ସେ ଭିକ୍ଷା ବୃତ୍ତି କରି ପର ବାରଣ୍ଡାର ଆଶ୍ରୟ ନେଉଛନ୍ତି । ଲେଫ୍ରିପଡା ବ୍ଲକର ସାହାଜବାହାଲ ଗାଁରେ ଥିବା ତାଙ୍କ ଝାଟିମାଟି ଘରଟି ଦଦରା ହୋଇପଡ଼ିଛି । କେତେବେଳେ ଯେ ଭୁଶୁଡି ପଡ଼ିବ କହି ହେବନାହିଁ । ପ୍ରଶାସନ ପକ୍ଷରୁ ହଲିମଙ୍କୁ କୌଣସି ବୃଦ୍ଧାଶ୍ରମରେ ଥଇଥାନ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି ।