ନୂଆଦିଲ୍ଲୀ ୧୩/୦୭: ଅପ୍‌କମିଙ୍ଗ ରୋମାଣ୍ଟିକ୍‌ କମେଡି ‘ପରମ ସୁନ୍ଦରୀ’ ଜରିଆରେ ପ୍ରଥମ ଥର ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି ସିଦ୍ଧାର୍ଥ ମଲହୋତ୍ରା ଓ ଜାହ୍ନବୀ କପୁର । ଆସନ୍ତା ୨୫ ତାରିଖରେ ‘ସନ୍‌ ଅଫ୍‌ ସର୍ଦ୍ଦାର-୨’ ସହିତ ‘ପରମ ସୁନ୍ଦରୀ’ର ଟକ୍କର ହେବାକୁ ଯାଉଥିଲା । ସେଥିପାଇଁ ‘ପରମ ସୁନ୍ଦରୀ’ର ନିର୍ମାତା ଫିଲ୍ମ ରିଲିଜ୍‌ ତାରିଖକୁ ଘୁଞ୍ଚାଇବା ପାଇଁ ଯୋଜନା କରୁଥିଲେ । ଏବେ ଫିଲ୍ମର ନୂଆ ତାରିଖ ଘୋଷଣା ହୋଇଛି । ଆସନ୍ତା ଅଗଷ୍ଟରେ ଏହା ମୁକ୍ତିଲାଭ କରିବ ବୋଲି ନିର୍ମାତା ସ୍ପଷ୍ଟ କରିଛନ୍ତି । ତେବେ ତାରିଖ ଅଦ୍ୟାବଧି ଘୋଷଣା ହୋଇନାହିଁ । 

ଗତ ମେ’ ୨୯ ତାରିଖରେ ‘ପରମ ସୁନ୍ଦରୀ’ର ଫାର୍ଷ୍ଟ ଲୁକ୍‌ ଜାରି ହୋଇଥିଲା । ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପରମ ଭୂମିକାରେ ସିଦ୍ଧାର୍ଥ ଓ ସୁନ୍ଦରୀ ଭୂମିକାରେ ପରଦାକୁ ଆସିବେ ଜାହ୍ନବୀ । ଗତ ୧୧ ତାରିଖରେ ରାଜକୁମାର ରାଓଙ୍କ ଫିଲ୍ମ ‘ମାଲିକ’ ମୁକ୍ତିଲାଭ କରିଥିଲା । ଏଥିରେ ଦୁଇଟି ଟିଜର୍‌ ଦେଖିବାକୁ ମିଳିଥିଲା, ତନ୍ମଧ୍ୟରେ ଗୋଟିଏ ‘ପରମ ସୁନ୍ଦରୀ’ର । ଖାସ୍‌ କଥା ହେଉଛି, ଗତ ମେ’ ମାସରେ ରିଲିଜ୍‌ ହୋଇଥିବା ଫିଲ୍ମର ଟିଜର୍‌ ଏଥିରେ ପୁନଃ ପ୍ରଦର୍ଶିତ ହୋଇଥିଲା । ତେବେ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି । ଫିଲ୍ମଟି ଆସନ୍ତା ଅଗଷ୍ଟରେ ବିଶ୍ୱସ୍ତରରେ ମୁକ୍ତିଲାଭ କରିବ ବୋଲି ଉଲ୍ଲେଖ ହୋଇଛି । ଅଗଷ୍ଟ ୧ ତାରିଖରେ ‘ଧଡ଼କ୍‌୨’ ରିଲିଜ୍‌ ହେବ । ୧୪ରେ ଋତ୍ୱିକ-ଜୁନିୟର ଏନ୍‌ଟିଆର୍‌ ଓ କିଆରା ଆଡ଼ଭାନିଙ୍କ ‘ୱାର୍‌-୨’ ଏବଂ ରଜନୀକାନ୍ତଙ୍କ ‘କୁଲି’ ରିଲିଜ୍‌ ହେବାକୁ ଯାଉଛି । ୨୯ ତାରିଖରେ ‘ପରମ ସୁନ୍ଦରୀ’ ରିଲିଜ୍‌ ହୋଇପାରେ ବୋଲି ଆଶା କରାଯାଉଛି ।