ନୂଆଦିଲ୍ଲୀ,୧୦/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଅଷ୍ଟମ ସଂସ୍କରଣ ଆରମ୍ଭ। ସୋମବାର ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀ ସ୍ଥିତି ସୁନ୍ଦର ନର୍ସରୀରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଏହି ସମୟରେ ପିଏମ୍ ମୋଦି ତାଙ୍କ ସ୍କୁଲ ଦିନର ଅନୁଭୂତି ବଖାଣିଛନ୍ତି। ବିଦ୍ୟାର୍ଥୀଙ୍କୁ ଗଣିତ ପ୍ରଶ୍ନ ସମାଧାନ କରିବାର ଉପାୟ ବତାଇଛନ୍ତି। ହସ୍ତାକ୍ଷର ସୁନ୍ଦର କରିବାକୁ କହିଛନ୍ତି। ପିଲାଙ୍କୁ ଅଧିକ ଚାପ ନଦେବାକୁ ଏବଂ ଟ୍ୟାଲେଣ୍ଟ ଦେଖି ସେହି ଆଧାରରେ ପଢାଇବାକୁ ଅଭିଭାବକ ଏବଂ ଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି। ପିଲାଙ୍କୁ ଅନ୍ୟ ପିଲା ସହ ତୁଳନା ନକରିବାକୁ କହିଛନ୍ତି। 

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଟିପ୍ସ ଦେଇଛନ୍ତି। ଚାଷୀଙ୍କ ଭଳି ଡାଏଟ୍ ଫଲୋ କରିବାକୁ ଏବଂ ଭରପୁର ଶୋଇବାକୁ କହିଛନ୍ତି। ସେ କହିଛନ୍ତି ଯେ, ପରୀକ୍ଷା ଜୀବନର ସବୁକିଛି ତାହା ଭାବିବା ଭୁଲ୍। ଲେଖିବା ଅଭ୍ୟାସ ଥିଲେ ପରୀକ୍ଷାରେ ଲେଖିବାକୁ କଷ୍ଟ ହେବନି। ସମୟର ସଦୁପଯୋଗ କର, ଟାଇମ୍ ମ୍ୟାନେଜମେଣ୍ଟ ଶିଖ। ଅଧିକ ନଭାବି ବର୍ତ୍ତମାନ ସମୟରେ ଧ୍ୟାନ ଦେଲେ ସଫଳ ନିଶ୍ଚିତ। ଜୀବନରେ ସଫଳତା ପାଇଁ ବିଫଳତାକୁ ବୁଝି ତାକୁ ଧ୍ୟାନ ଦେବା ଦରକାର। କେବେ କେବେ ନିଜ ସହ କଥା ହେବା ଉଚିତ୍। ଯେଉଁଠି କେହି ନଥିବେ ସେଠାରେ ପହଞ୍ଚନ୍ତୁ, ନେତୃତ୍ଵ ନେଇପାରିବେ।