ନୂଆଦିଲ୍ଲୀ- ସଂସଦ ଭବନ ଭିତରେ ଟିଏମ୍ସି ସାଂସଦଙ୍କ ଦ୍ୱାରା ଇ-ସିଗାରେଟ୍ ପିଇବା ମାମଲା ଏବେ ଥମି ନାହିଁ। ଏହି ମଧ୍ୟରେ ଟିଏମ୍ସିର ବରିଷ୍ଠ ସାଂସଦ ସୌଗତ ରାୟ ସଂସଦ ଭବନ ବାହାରେ ସିଗାରେଟ୍ ପିଇବାର ନଜର ଆସି ଥିଲେ। ଦୁଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଓ ଗଜେନ୍ଦ୍ର ସିଂହଙ୍କ ଦିଲ୍ଲୀ ପ୍ରଦୂଷଣ ଉପରେ ଯୁକ୍ତି ମଧ୍ୟରେ ନିଜେ ସିଗାରେଟ୍ ପିଇବାକୁ ଉଚିତ୍ ଦର୍ଶାଇ ସୌଗତ ରାୟ ଏମିତି କହିଦେଲେ ଯେ, ଗୋଟିଏ ସିଗାରେଟ୍ରେ କଣ ହେବ। ଉଲ୍ଲେଖନୀୟ ଯେ, ଗୁରୁବାର ଜଣେ ଟିଏମ୍ସି ସାଂସଦ ଗୃହ ଭିତରେ ଇ-ସିଗାରେଟ୍ ପିଉଥିଲେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ଆଡ଼କୁ ଲୋକସଭା ଅଧ୍ୟକ୍ଷଙ୍କ ଧ୍ୟାନ ଆକର୍ଷିତ କରି ଏହା ଉପରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ଟିଏମସି ସାଂସଦଙ୍କ ନାଁ ଏବେସୁଦ୍ଧା ସସପେନ୍ସ ରହିଛି।

ଏହି ସମୟରେ ଗଜେନ୍ଦ୍ର ସିଂହ ଶେଖାୱତ ଓ ଗିରିରାଜ ସିଂହ ତାଙ୍କୁ ଟାର୍ଗେଟ୍ କରିଥିଲେ। ଉଭୟ କେନ୍ଦ୍ର ମନ୍ତ୍ରୀ କହିଥିଲେ ଦାଦା, ଆପଣ ନିଜର ଓ ଆମର ସ୍ୱାସ୍ଥ୍ୟକୁ କାହିଁକି ବିପଦରେ ପକାଉଛନ୍ତି। ପରେ ଟିଏମସି ନେତା ସୌଗତ ରାୟ ସାମ୍ୱାଦିକଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ , ଏହି ତଥାକଥିତ ଅଭିଯୋଗରେ କିଛି ନାହିଁ। ଗୃହ ଭିତରେ ସିଗାରେଟ୍ ପିଇବାରେ ପ୍ରତିବନ୍ଧକ ଅଛି। ଗୃହ ବାହାରେ ଏହି ଖୋଲା ସ୍ଥାନରେ ସିଗାରେଟ୍ ପିଇବା ନେଇ କୌଣସି ପ୍ରତିବନ୍ଧକ ନାହିଁ।

ଓଲଟା ବିଜେପି ଉପରେ ବିରକ୍ତ ହୋଇ ଟିଏମସି ସାଂସଦ କହିଥିଲେ, ବିଜେପି ଏହିପରି ଅଭିଯୋଗ ଲଗାଇ ଥାଏ। ଯେତେବେଳେ କି ତାଙ୍କର ସରକାରରେ ଦିଲ୍ଲୀରେ ସବୁଠୁ ଅଧିକ ପ୍ରଦୂଷଣ ହୋଇଛି। ଏହିପରି କଥା କହିବା ସ୍ଥାନରେ ତାଙ୍କୁ ପ୍ରଦୂଷଣ ଦୂର କରିବା ଉପରେ ଧ୍ୟାନ ଦେବା ଉଚିତ୍। ସେ ଆହୁରି କହିଛନ୍ତି ଆମର ଗୋଟିଏ ସିଗାରେଟ୍ରେ କିଛି ହେବ ନାହିଁ। ଟିଏମସି ସାଂସଦ କହିଛନ୍ତି , ଏହି ମାମଲାରେ ରାଜନୀତି ହେଉଛି ।