ପୁରୀ,୧୮/୦୭: ରଥଯାତ୍ରା ଭିଡ଼ ଲୁଟେରାଙ୍କ ପାଇଁ ପୁଷମାସ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ରେ କରିଛନ୍ତି ଲୁଟ୍‌ପାଟ । ଗୋଟିଏ ପରେ ଗୋଟିଏ ଲୁଟ୍ କରି ଖସିଯାଉଥିବା ବେଳେ ଶତାଧିକ ଲୁଟେରାଙ୍କୁ କାବୁ କରିଛନ୍ତି ଶ୍ରଦ୍ଧାଳୁ । ସେମାନଙ୍କ ମଧ୍ୟରୁ କିଛି ଲୁଟେରାକୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଅଟକ ରଖିଛି । ସହରର ବିଭିନ୍ନ ଥାନାରେ ୧୦୩ ଜଣ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୨୦୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ବଳିଆପଣ୍ଡା ଓ ସମୁଦ୍ରକୂଳ ଥାନା ପୁଲିସ ୧୯ଜଣ ଲୁଟେରାଙ୍କୁ ଗିରଫ କରିଛି । ୧୯ଜଣ ଲୁଟେରାଙ୍କଠାରୁ ୫୮ଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।

ବଳିଆପଣ୍ଡା ଥାନା ପୁଲିସ ନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର କିଙ୍ଗ୍‌ପିନ୍‌ ସହ ୧୩ ଜଣଙ୍କୁ କାବୁ କରିଛି । ସେମାନଙ୍କଠାରୁ ୪୨ଟି ମୋବାଇଲ୍ ଓ ଧଳା ରଙ୍ଗର ସ୍କୋର୍ପିଓ ଜବତ ହୋଇଛି । ଏଥିରୁ ପଶ୍ଚିମବଙ୍ଗରୁ ୧୧ ଜଣ ଥିବାବେଳେ ଜଣେ ବିହାରା ଏବଂ ଅନ୍ୟ ଜଣେ ଝାଡ଼ଖଣ୍ଡର କିଙ୍ଗପିନ୍ ରାମା ଆଶିଷ କୁମାର ଯାଦବଙ୍କ ଲୁଟେରା ଟିମ୍‌ରେ କାମ କରୁଥିଲା । ସେହିଭଳି ସମୁଦ୍ରକୂଳ ଥାନା ପୁଲିସ ଜଣେ ନାବାଳକ ସମେତ ୬ ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୧୬ଟି ମୋବାଇଲ୍ ଫୋନ୍ ଜବତ କରିଛି । ଟାଉନ୍ ଥାନା ପୁଲିସ ବଡ଼ଦାଣ୍ଡ ସମେତ ସଂଲଗ୍ନ ଗଳିରୁ ୪୭ ଜଣ ଅନ୍ତଃରାଜ୍ୟ ଲୁଟେରାକୁ ଗିରଫ କରିଛି । ସେମାନଙ୍କଠାରୁ ୩ଟି ସୁନା ଚେନ୍, ୪ଟି ମନି ପର୍ସ, ୧ଟି ଭ୍ୟାନିଟି ବ୍ୟାଗ୍, ୨ଟି କଟର, ୩୩ଟି ମୋବାଇଲ ଓ ୩୨ ହଜାର ୪୦୦ ଟଙ୍କା ଜବତ କରିଛି ।

ଅଧିକ ପଢ଼ନ୍ତୁ :-  Love Affair: ସ୍ତ୍ରୀଙ୍କ ଜନ୍ମଦିନରେ ସ୍ୱାମୀଙ୍କୁ ହତ୍ୟା! ଡାକ୍ତରଖାନାରେ ଶବ ଛାଡ଼ି ପତ୍ନୀ ଓ ପୁରୁଷ ବନ୍ଧୁ ଫେରାର

୨ ଦିନରେ ପ୍ରାୟ ହଜାରରୁ ଅଧିକ ଶ୍ରଦ୍ଧାଳୁ ଲୁଟ୍ପାଟ୍ର ଶିକାର ହୋଇ ଥାନାରେ ଭିଡ଼ ଲଗାଇଛନ୍ତି । ଶରଧାବାଲିରେ ୩ ରଥ ଲାଗିବା ପରେ ମଧ୍ୟ ଲୁଟେରାଙ୍କ ଆତଙ୍କ ସୀମା ଟପିଛି । ମାଳ ମାଳ ଅଭିଯୋଗପତ୍ର ଥାନା ଓ ଗୁଣ୍ଡିଚାବାଡ଼ି ପୁଲିସ ନିୟନ୍ତ୍ରଣ କକ୍ଷରେ ପହଞ୍ଚୁଛି । ୨ଟି ଥାନା ମାମଲା ରୁଜୁ କରି ୧୯ ଲୁଟେରାକୁ ଗିରଫ କରିଥିବାବେଳେ ବାକି ଥାନା ଅଞ୍ଚଳରେ ଲୁଟେରାଙ୍କୁ ଅଟକ ରଖାଯାଇଛି । ଅନ୍ୟପକ୍ଷରେ ଶୁକ୍ରବାର ମଧ୍ୟାହ୍ନରେ ବଡ଼ଦାଣ୍ଡରେ ରଥଟଣା ହେଉଥିବାବେଳେ ବଡ଼ଶଙ୍ଖରେ ଜଣେ ଲୁଟେରା ମହିଳା ଶ୍ରଦ୍ଧାଳୁଙ୍କ ବେକରୁ ସୁନା ଚେନ୍ ଲୁଟୁଥିବା ବେଳେ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ ଶ୍ରଦ୍ଧାଳୁ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମାଳ ମାଳ ପୁଲିସ୍ ଅଧିକାରୀ ଓ କର୍ମଚାରୀ ମୁତୟନ ରହିଥିବା ସତ୍ତେ୍ୱ ଲୁଟେରା ସେମାନଙ୍କୁ ଖାତିର ନ କରି ଲୁଟ୍ କରିବାରେ ସଫଳ ହେଉଛନ୍ତି ।