ନୂଆଦିଲ୍ଲୀ, ୦୮/୧୨: ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ୧୫୦ ବର୍ଷରେ ପଦାର୍ପଣ କରିବା ଅବସରରେ ସୋମବାର ଲୋକସଭାରେ ୧୦ ଘଣ୍ଟା ଧରି ଚର୍ଚ୍ଚା ହେବ । ବିଭିନ୍ନ ଦଳର ସାଂସଦ ଏଥିରେ ଭାଗନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଭାଷଣ ଦେବା ପରେ ଆଲୋଚନା ଚାଲିବ । ଏହାଦ୍ୱାରା ‘ବନ୍ଦେ ମାତରମ୍’କୁ ନେଇ ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଶବାସୀଙ୍କ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାଷଣ ଦେବେ । ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ସାଂସଦ ବିତର୍କରେ ସାମିଲ ହେବେ । ଏହାପରେ ମଙ୍ଗଳବାର ରାଜ୍ୟସଭାରେ ମଧ୍ୟ ‘ବନ୍ଦେ ମାତରମ୍’ ଉପରେ ଆଲୋଚନା ହେବ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଥମେ ଭାଷଣ ଦେବେ । ଏହାପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ବକ୍ତବ୍ୟ ରଖିବେ । ଉଭୟ ଗୃହରେ ଏହି ଚର୍ଚ୍ଚା ‘ବନ୍ଦେ ମାତରମ୍’ର ଐତିହାସିକ ତଥା ସାଂସ୍କୃତିକ ମହତ୍ତ୍ୱକୁ ରେଖାଙ୍କିତ କରିବ ।
ସଂସଦରେ ‘ବନ୍ଦେ ମାତରମ୍’ ଉପରେ ବିତର୍କ ବେଳେ ହଙ୍ଗାମା ହେବା ଆଶଙ୍କା ରହିଛି । କାରଣ ଗୀତଟିର ଛନ୍ଦକୁ କଂଗ୍ରେସ ହଟାଇଥିବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ । ନିକଟରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୋଦି କହିଥିଲେ, ୧୯୩୭ରେ ଗୀତର ମହତ୍ତ୍ୱପୂର୍ଣ୍ଣ ଛନ୍ଦକୁ ହଟାଯିବା ଯୋଗୁ ଭାରତର ବିଭାଜନ ହୋଇଥିଲା। ଏହି ବିଭାଜନ ମାନସିକତା ଆଜି ବି ଦେଶ ପାଇଁ ବଡ଼ ଆହ୍ୱାନ ହୋଇ ଛିଡ଼ା ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ, ୧୯୩୭ରେ ‘ବନ୍ଦେ ମାତରମ୍’ର ଜରୁରି ଅଂଶକୁ ହଟାଯିବା ଦ୍ୱାରା ଦେଶ ବିଭାଜନର ସୂତ୍ରପାତ ହୋଇଥିଲା । ରାଷ୍ଟ୍ର ଗଠନର ଏହି ମହାନ ମନ୍ତ୍ର ସହ ଏଭଳି ଅନ୍ୟାୟ କାହିଁକି ହୋଇଥିଲା, ତାହା ଆଜିର ପିଢ଼ି ବୁଝିବା ଆବଶ୍ୟକ । କେନ୍ଦ୍ର ସରକାର ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ଅବସରରେ ବିଶେଷ ସ୍ମାରକ ମୁଦ୍ରା ଓ ଡାକ ଟିକଟ ଜାରି କରିଥିଲେ, ଯାହା ଏହାର ସାଂସ୍କୃତିକ ଐତିହ୍ୟକୁ ସମ୍ମାନିତ କରେ । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସ୍ୱାଧୀନତା ସଂଗ୍ରାମର ଅମର ଧରୋହର ଦର୍ଶାଇଥିଲେ । ଏହି ଗୀତ ରାଷ୍ଟ୍ରଭକ୍ତିର ଭାବନାକୁ ଜାଗ୍ରତ କରୁଛି ବୋଲି କହିଥିଲେ ।
ଉଲ୍ଲେଖଥାଉ କି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ଶାସକ ଓ ବିରୋଧୀ ନେତାଙ୍କ ବୈଠକରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ସହମତି ହୋଇଥିଲା । ‘ବନ୍ଦେ ମାତରମ୍’କୁ ୧୮୭୦ ଦଶକରେ ମହାନ ସାହିତ୍ୟିକ ବଙ୍କୀମ ଚନ୍ଦ୍ର ଚାଟାର୍ଜୀ ବଙ୍ଗଳାରେ ଲେଖିଥିଲେ । ଏହି ଗୀତ ତାଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଆନନ୍ଦମଠ’ର ଅଂଶବିଶେଷ । ଉପନ୍ୟାସ ୧୮୮୨ରେ ପ୍ରକାଶିତ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ‘ବନ୍ଦେ ମାତରମ୍’ ପ୍ରମୁଖ ପ୍ରେରଣା ସାଜିଥିଲା । ଏହା ଲକ୍ଷ ଲକ୍ଷ କ୍ରାନ୍ତିକାରୀଙ୍କୁ ଏକାଠି କରିଥିଲା । ୧୯୫୦ରେ ଏହାକୁ ରାଷ୍ଟ୍ରୀୟ ଗୀତ ଭାବେ ଗ୍ରହଣ କରାଯାଇଥିଲା ।
ଏହି ଗୀତ ଉପରେ ସଂସଦରେ ଚର୍ଚ୍ଚା ହେବାକୁ ଥିବା ନେଇ ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଭାଷଣ ଦେବାକୁ ଯାଉଥିବାରୁ ଦେଶବାସୀ ଏଥିପାଇଁ ବେଶ୍ ଉତ୍ସାହିତ । ଆଜି ଏକବିଂଶ ଶତାବ୍ଦୀର ପ୍ରଥମ ଚତୁର୍ଥାଂଶରେ ଦେଶର ଯୁବପିଢ଼ିଙ୍କୁ ନିଃସନ୍ଦେହ ସେହି ଶକ୍ତି ଓ ପ୍ରେରଣା ମିଳିବ, ଯାହା ସ୍ୱାଧୀନତା ସଂଗ୍ରାମ ବେଳେ ମିଳିଥିଲା । ସୁଧାଂଶୁ ତ୍ରିବେଦୀ ଆହୁରି କହିଛନ୍ତି, ସେତେବେଳର ଲଢ଼େଇ ସ୍ୱାଧୀନତା ଓ ରାଜନୈତିକ ସ୍ୱାଧୀନତା ପାଇଁ ଉଦ୍ଦିଷ୍ଟ ଥିଲା । ଆଜିର ଲଢ଼େଇ ସାମାଜିକ ଓ ସାଂସ୍କୃତିକ ସ୍ୱାଧୀନତା ଲାଗି ଉଦ୍ଦିଷ୍ଟ । ତେଣୁ ଆଶା କରୁଛୁ ଅତୀତର ତ୍ରୁଟିକୁ ପଛରେ ପକାଇ ଦଳଗତ ଭାବନାରୁ ଊଦ୍ଧ୍ୱର୍କୁ ଉଠି, କଠୋପନ୍ଥୀ ବିଚାର କିମ୍ବା ମତକୁ ପଛରେ ରଖି ସମସ୍ତ ଦଳ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷର ଏହି ସମାରୋହରେ ସାମୂହିକ ଭାବେ ବିଚାର ବ୍ୟକ୍ତ କରିବେ । ଏଥିସହ ରାଷ୍ଟ୍ରୀୟ ବିକାଶ ଓ ରାଷ୍ଟ୍ରୀୟ ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବେ । ଲୋକସଭାରେ ନିର୍ବାଚନ ସଂସ୍କାର ନେଇ ମଧ୍ୟ ବିତର୍କ ହେବ । ଏଥିରେ ମଙ୍ଗଳବାର ଓ ବୁଧବାର ଭୋଟର ତାଲିକାର ଏସ୍ଆଇଆର୍ ସମେତ ବିବାଦୀୟ ପ୍ରସଙ୍ଗର ସମସ୍ତ ଦିଗକୁ ସାମିଲ କରାଯିବ । ରାଜ୍ୟସଭାରେ ବୁଧବାର ଓ ଗୁରୁବାର ନିର୍ବାଚନ ସଂସ୍କାର ଉପରେ ବିତର୍କ ହେବ ।