ଭୁବନେଶ୍ୱର, ୧୮ ।୭ : କେନ୍ଦୁଝରର ‘ସେବା ଫାଉଣ୍ଡେସନ୍’ ସଂଗଠନର ପ୍ରାୟ ୫୦ ଜଣ ବାକ୍ ଶ୍ରବଣ ଶକ୍ତି ବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ, ଦକ୍ଷତା ବିକାଶ ଏବଂ ଆତ୍ମନିର୍ଭରଶୀଳତାକୁ ନେଇ ଆଲୋଚନା କରିଥିଲେ।

ଏହି ଆଲୋଚନା କାଳରେ ବାଳିକାମାନଙ୍କୁ ବର୍ତ୍ତମାନ ସଂଗଠନ ପକ୍ଷରୁ ସିଲାଇ ଏବଂ ହସ୍ତଶିଳ୍ପର ପ୍ରଶିକ୍ଷଣ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଅବଗତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂଗଠନର କର୍ମକର୍ତ୍ତା ଓ ବାଳିକାମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଏକାଧିକ ବୟନ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ତେଣୁ ଏହି ପ୍ରଶିକ୍ଷିତ ବାଳିକାମାନଙ୍କୁ ସେହି ସବୁ ଶିଳ୍ପସଂସ୍ଥା ସହିତ ଯୋଡ଼ି ସେମାନଙ୍କ ପାଇଁ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରାଯିବ ବୋଲି ସେ କହିଥିଲେ। ଏହାଦ୍ୱାରା ସେମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ସମାଜରେ ଏକ ସମ୍ମାନଜନକ ଜୀବନ ବିତାଇପାରିବେ। ଆମ ସରକାର ପ୍ରତିଟି ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପବଦ୍ଧ ଏବଂ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଉପଯୁକ୍ତ ସୁଯୋଗ ଦେଇ ଆତ୍ମନିର୍ଭରଶୀଳ କରିବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ନୂତନ ଉଦ୍ୟୋଗୀ ମାନଙ୍କ ବିକାଶ ତଥା ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଅବଦାନ ଓ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସେ ଆଲୋଚନା କରିଥିଲେ । ଏହା ସହିତ ସାମ୍ପ୍ରତିକ ସମୟରେ ଜୀବନଧାରଣ ଏବଂ ସଫଳତା ପାଇଁ ‘ଦକ୍ଷତା’ କେତେ ଗୁରୁତ୍ୱପୂର୍ଣ୍ଣ, ସେ ନେଇ ମୁଖ୍ୟମନ୍ତ୍ରୀ ବାଳିକାମାନଙ୍କୁ ଉତ୍ସାହିତ କରିବା ସହ ନିଜ ନିଜର ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ଓଡ଼ିଶାରେ ଥିବା ଦିବ୍ୟାଙ୍ଗ ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ ବାସଗୃହ ଯୋଗାଇ ଦିଆଯିବ । ଏହା ସହିତ ସେମାନଙ୍କ ପାଇଁ ଗ୍ୟାସ ସଂଯୋଗ, ଶୌଚାଳୟ ନିର୍ମାଣ, ଉନ୍ନତ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ସମସ୍ତ ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରାଯିବ । ରାଜ୍ୟର ପ୍ରତିଟି ଦିବ୍ୟାଙ୍ଗ ଭାଇଭଉଣୀ ଯେପରି ସମସ୍ତ ସରକାରୀ ସୁବିଧା ପାଇ ସୁରକ୍ଷିତ ଜୀବନଯାପନ କରିପାରିବେ, ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବାଳିକାମାନଙ୍କୁ ପ୍ରଦାନ କରାଯାଉଥିବା ଶ୍ରବଣ ଯନ୍ତ୍ର ଓ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ। ଆବଶ୍ୟକତା ଅନୁଯାୟୀ କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପାଣ୍ଠି ଏବଂ ସରକାରୀ ଯୋଜନା ମାଧ୍ୟମରେ ସେମାନଙ୍କୁ ତୁରନ୍ତ ଉନ୍ନତମାନର ଶ୍ରବଣ ଯନ୍ତ୍ର ଯୋଗାଇ ଦେବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ରବିବାର ସେମାନଙ୍କର ପୁରୀ ଶ୍ରୀକ୍ଷେତ୍ର ଗସ୍ତ ଓ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷିତ ଓ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆହୁରି ପଢନ୍ତୁ : ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା , ଲୋକଙ୍କ ସମସ୍ୟା ବୁଝି ପଦକ୍ଷେପ ନେବାକୁ ପରାମର୍ଶ