ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ କଂଗ୍ରେସ ନେତା ଶଶି ଥରୁରଙ୍କ ବିଦେଶ ଯାତ୍ରାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏବେ କେରଳର ପୂର୍ବତନ କଂଗ୍ରେସ ସଭାପତି କେ. ସୁଧାକରନ ନିଜ ଦଳକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଅପରେସନ ସିନ୍ଦୂର ପରେ ସାରା ବିଶ୍ୱରେ ଭାରତର ପକ୍ଷ ଉପସ୍ଥାପନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପଠାଯାଇଥିବା କଂଗ୍ରେସ ସାଂସଦଙ୍କ ତାଲିକାରେ ଶଶି ଥରୁରଙ୍କ ନାମ ନଥିଲା। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଆମ ଦଳ (କଂଗ୍ରେସ) ଶଶି ଥରୁରଙ୍କ ପ୍ରତି ଅସମ୍ମାନଜନକ ମନୋଭାବ ପୋଷଣ କରୁଛି । ସେ କହିଛନ୍ତି ଯେ, ଶଶି ଥରୁର ଜଣେ ଦକ୍ଷ ନେତା । ସେ କଂଗ୍ରେସ ଦଳର ଜଣେ ଉତ୍ସର୍ଗୀକୃତ କର୍ମୀ । ଦଳ ତାଙ୍କ ପ୍ରତି ଏପରି ମନୋଭାବ ଗ୍ରହଣ କରିବା ଉଚିତ୍ ନୁହେଁ ।
ଅପରେସନ ସିନ୍ଦୂର ପରେ, ଭାରତ ସାରା ବିଶ୍ୱରେ ପାକିସ୍ତାନର ଆତଙ୍କବାଦୀ ଏଜେଣ୍ଡାର ପର୍ଦ୍ଦାଫାସ କରିବା ପାଇଁ ବିଭିନ୍ନ ଦେଶକୁ ସଂସଦୀୟ ପ୍ରତିନିଧିମଣ୍ଡଳୀ ପଠାଉଛି । କେନ୍ଦ୍ର ସରକାର ଏହି ପ୍ରତିନିଧିମଣ୍ଡଳୀରେ ଶଶି ଥରୁରଙ୍କୁ ମଧ୍ୟ ମନୋନୀତ କରିଛନ୍ତି । ଅନ୍ୟପକ୍ଷରେ, ଶଶି ଥରୁରଙ୍କ ନାମ ଏହି ପ୍ରିନିଧିମଣ୍ଡଳୀରେ ସାମିଲ କରାଯିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ଏହାର କାରଣ ହେଉଛି, କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଯେଉଁ ସାଂସଦଙ୍କ ନାମ ସୁପାରିଶ କରିଥିଲା ସେଥିରେ ଶଶି ଥରୁରଙ୍କ ନାଁ ନଥିଲା । ଦଳ ପକ୍ଷରୁ ଶଶି ଥରୁରଙ୍କ ନାଁ ଦିଆଯାଇ ନଥିବା ବେଳେ କେନ୍ଦ୍ର ସରକାର କିଭଳି ତାଙ୍କୁ ପ୍ରତିନିଧିମଣ୍ଡଳୀରେ ସାମିଲ କଲେ ତାକୁ ନେଇ କଂଗ୍ରେସ ବିଚଳିତ ହେଉଛି ।
ଏହି ପ୍ରସଙ୍ଗରେ କେ. ସୁଧାକରନ କହିଛନ୍ତି ଯେ, ଶଶି ଥରୁରଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ । ସେପଟେ ଥରୁର ନି୦ଜେ ଏହା କହି ବିବାଦର ଅନ୍ତ ଘଟାଇଥିଲେ ଯେ, ସେ କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । କାରଣ ସେ ଏଥିରେ କୌଣସି ରାଜନୀତି ଦେଖୁନାହାଁନ୍ତି । ତଥାପି, ଥରୁରଙ୍କ ନାଁ ପ୍ରତିନିଧିମଣ୍ଡଳୀରେ ସାମିଲ ହେବାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛି କଂଗ୍ରେସ । ତେବେ ଥରୁର କ’ଣ କଂଗ୍ରେସ ଛାଡ଼ିବେ କି ବୋଲି ସୁଧାକରନଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କହିଛନ୍ତି, ଏଭଳି ଦାବିର କୌଣସି ସତ୍ୟତା ନାହିଁ । ମୁଁ ନିଜେ ତାଙ୍କ ସହ କଥା ହୋଇଛି ଏବଂ ସେ ଦଳ ଛାଡିବେ ନାହିଁ। ସେ କଂଗ୍ରେସର ଜଣେ ପ୍ରକୃତ ସୈନିକ ଏବଂ ଦଳ ପାଇଁ କାମ କରିବେ । ରାଜ୍ୟ କଂଗ୍ରେସ ସଭାପତି ପଦରୁ ହଟାଇବା ସମ୍ପର୍କରେ ମଧ୍ୟ ସୁଧାକରନ ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ, ତାଙ୍କୁ ଏବେ କିଛି ଆଶ୍ୱସ୍ତି ମିଳିଛି ଏବଂ ସେ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ନୁହଁନ୍ତି । କିନ୍ତୁ ରାଜନୀତିରୁ ନିଜକୁ ଦୂରେଇ ରଖିବେ ନାହିଁ ଏବଂ କଂଗ୍ରେସ ଦଳକୁ ମଜଭୁତ କରିବା ପାଇଁ କାମ ଜାରି ରଖିବେ । ସାମ୍ପ୍ରତିକ ସମୟରେ କଂଗ୍ରେସରେ ଘଟୁଥିବା ଏପରି ଘଟଣା ଦଳ ଭିତରେ ଗୋଷ୍ଠୀକନ୍ଦଳକୁ ଇଙ୍ଗିତ କରୁଛି । ଏଭଳି ସ୍ଥିତିରେ ସୁଧାକରନଙ୍କ ମନ୍ତବ୍ୟକୁ ନେଇ ଦଳର ହାଇକମାଣ୍ଡ ଉପରେ ଚାପ କେତେ ବୃଦ୍ଧି ପାଇବ ତା ଉପରେ ସମସ୍ତଙ୍କ ନଜର ରହିଛି ।