ତସ୍ମାନିଆ: ଅଷ୍ଟ୍ରେଲିଆର ତସ୍ମାନିଆରୁ ଗତ ଅଗଷ୍ଟ ୨ତାରିଖରେ ଉଡ଼ାଣ ଭରିଥିବା ଏକ ଯାତ୍ରୀବାହୀ ବିମାନ ଗତ ୨୨ ଦିନ ହେଲା ନିଖୋଜ ହୋଇଯାଇଛି। ବିମାନରେ ୭୨ ବର୍ଷୀୟ ଗ୍ରେଗୋରୀ ଭନ୍, ତାଙ୍କର ୬୬ ବର୍ଷୀୟ ସାଙ୍ଗ କିମ୍ ୱାର୍ନର ଏବଂ ସେମାନଙ୍କ ପାଳିତ କୁକୁର ମୋଲି ଥିଲେ। ଗ୍ରେଗୋରୀ ନିଜେ ବିମାନଟି ଚଳାଉଥିଲେ। ବିମାନଟି ତସ୍ମାନିଆର ଜର୍ଜଟାଉନ ବିମାନବନ୍ଦରରୁ ଦିନ ପ୍ରାୟ ୧ ଟା ସମୟରେ ଉଡ଼ାଣ ଭରି ପ୍ରଥମେ ଭିକ୍ଟୋରିଆ ଏବଂ ପରେ ନିଉ ସାଉଥ ୱେଲ୍ସର ହିଲଷ୍ଟନ ବିମାନବନ୍ଦର ଅଭିମୁଖେ ଯାଉଥିଲା। କିନ୍ତୁ ବାସ ଷ୍ଟ୍ରେଟ ଉପରେ ବିମାନଟି ହଠାତ୍ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି। 

ସନ୍ଧ୍ୟା ସୁଦ୍ଧା ବିମାନ ସମ୍ୱଦ୍ଧରେ କୌଣସି ସୂଚନା ନ ମିଳିବାରୁ ପରିବାର ଚିନ୍ତା ପ୍ରକଟ କରି ଅନୁସନ୍ଧାନ ଆରମ୍ଭ କରିଥିଲେ। ଅଷ୍ଟ୍ରେଲୀୟ କର୍ତ୍ତୃପକ୍ଷ ଉତ୍ତର ତସ୍ମାନିଆ, ବାସ ଷ୍ଟ୍ରେଟ ଏବଂ ଭିକ୍ଟୋରିଆରେ ହେଲିକପ୍ଟର, ନୌକା ଏବଂ ଜାହାଜ ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ, ଏହି ଘଟଣା ଘଟିବାର ୨୨ ଦିନ ବିତିଯାଇଥିଲେ ମଧ୍ୟ ବିମାନର କୌଣସି ଅବଶେଷ କିମ୍ବା ଦୁର୍ଘଟଣାର କୌଣସି ସଂକେତ ମିଳିନାହିଁ। ଏପରିକି ବିମାନରୁ କୌଣସି ଜରୁରୀ ସଂକେତ ମଧ୍ୟ ପ୍ରେରଣ କରାଯାଇ ନଥିଲା, ଯାହା ଅଧିକ ଆଶ୍ଚର୍ଯ୍ୟର ବିଷୟ ହୋଇଛି। 

ତସ୍ମାନିଆ ପୁଲିସର ଇନ୍ସପେକ୍ଟର ନିକ କ୍ଲାର୍କ କହିଛନ୍ତି, "ଗ୍ରେଗୋରୀ ଭନ୍ ଜଣେ ଅଭିଜ୍ଞ ପାଇଲଟ ଥିଲେ। ତେଣୁ, କୌଣସି ଜରୁରୀ ସଂକେତ ନ ପଠାଇବା ଏବଂ ବିମାନର ନିଖୋଜ ହେବାର କାରଣ ବୁଝିବା କଷ୍ଟକର ହେଉଛି।" ଏହି ଘଟଣା ୨୦୧୪ରେ ନିଖୋଜ ହୋଇଥିବା ମାଲେସିଆନ ଏୟାରଲାଇନ୍ସ ଫ୍ଲାଇଟ MH370ର ସ୍ମୃତିକୁ ପୁଣି ଥରେ ମନେ ପକାଇ ଦେଇଛି। ଯାହାର ମଧ୍ୟ କୌଣସି ଅବଶେଷ ଆଜି ଯାଏ ମିଳି ପାରିନାହିଁ। 

ଏହି ନିଖୋଜ ଘଟଣା ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଅଷ୍ଟ୍ରେଲୀୟ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି, କିନ୍ତୁ ବିମାନର ସ୍ଥିତି ଏବଂ ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।