ବଲାଙ୍ଗିର,୨୭/୮(ମୁକେଶ ବହିଦାର): ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଏକ ତନ୍ତ୍ରକ୍ଷେତ୍ର ଭାବରେ ବିଦିତ । ସେଠାରେ ବିଭିନ୍ନ ମନ୍ଦିରରେ ଗଣେଶ ପୂଜା ପାଆନ୍ତି । ପ୍ରସିଦ୍ଧ କୋସଳେଶ୍ୱର ମନ୍ଦିରରେ ପୂଜା ପାଉଥିବା ଗଣେଶଙ୍କୁ ନେଇ ଅନେକ କଥା ଓ କିମ୍ବଦନ୍ତୀ ରହିଛି । ଏହି ମନ୍ଦିର ବାହାର ବେଢ଼ାରେ ଗଣେଶ ଲୁକ୍କାୟିତ ଅବସ୍ଥାରେ ରହିଛନ୍ତି । ଲୋକାଚାରରେ ଗଣେଶରୁ ‘ଲୋକା’ ଗଣେଶ ହୋଇ ସମୟକ୍ରମେ ସେ ଲୁକ୍କାୟିତ ଭାବରେ ରହିଯାଇଥିବାରୁ କେତେକ ଲୋକକଥା ଅନୁଯାୟୀ ତାଙ୍କୁ ‘ଲୁକ୍ନିଆଁ’ ଗଣେଶ ମଧ୍ୟ କୁହାଯାଉଛି । ତନ୍ତ୍ର ସାଧନାରେ ଗଣେଶଙ୍କ ଉପସ୍ଥିତି ଏବେ ବି ଅନେକଙ୍କ ଗବେଷଣାର ପ୍ରସଙ୍ଗ । ତେଣୁ ଲୁକ୍ନିଆଁ ଗଣେଶ ଓ ଏହି ପୀଠର ସଂରକ୍ଷଣ ନିତାନ୍ତ ଜରୁରି ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି ।
ଦ୍ୱାଦଶ ଶତାବ୍ଦୀରେ ନିର୍ମିତ କୋସଳେଶ୍ୱର ମନ୍ଦିର ଅନ୍ୟତମ । ମନ୍ଦିର ସଂଲଗ୍ନ ଏକ ପ୍ରସ୍ତର ଲେଖାରୁ ଅନୁମାନ କରାଯାଏ ଯେ ତେଲଗୁଚୋଡ଼ ବଂଶୀୟ ରାଜା ଦ୍ୱିତୀୟ ସୋମେଶ୍ୱର ଦେବ ଏହାର ପୁନରୁଦ୍ଧାର କରାଇଥିଲେ । ମନ୍ଦିର ବାହାରେ ଏକ ମଣ୍ଡପ ରହିଛି । ସେଠାରେ ଛଅଟି ସ୍ତମ୍ଭ ରହିଛି । ମଝିରେ ବୃଷଭ ବସିଥିବା ବେଳେ ପ୍ରତି ଖମ୍ବରେ କାର୍ତ୍ତିକେୟ, ଚାମୁଣ୍ଡା, କିନ୍ନର, ଉମାମହେଶ୍ୱର, ନର୍ତ୍ତକୀ ଯୁଗଳଙ୍କ ମୂର୍ତ୍ତି ଖୋଦିତ ରହିଛି । ସେଥିମଧ୍ୟରୁ ଦକ୍ଷିଣ- ପୂର୍ବ କୋଣରେ ଅବସ୍ଥିତ ଏକ ଖମ୍ବର ନିମ୍ନ ଭାଗରେ ପ୍ରାୟ ୪ରୁ ୬ ଇଞ୍ଚର ସୁନ୍ଦର ଗଣପତି ମୂର୍ତ୍ତି ଖୋଦିତ ହୋଇଛି । ଯାହାକୁ ସ୍ଥାନୀୟ ଅଞ୍ଚଳରେ ‘ଲୁକନିଆଁ’ ଗଣେଶ ବୋଲି କୁହାଯାଉଛି । ମନ୍ଦିର ଭିତରେ ଅନ୍ୟ ଏକ ଗଣେଶ ରହିଥିଲେ ମଧ୍ୟ ପ୍ରଥମେ ବାହାରେ ଥିବା ଏହି ଗଣେଶଙ୍କଠାରେ ପୂଜା ହୋଇଥାଏ । ଏପରିକି ପାଟଣାଗଡ଼ ଆସି ପାଟଣେଶ୍ୱରୀ, ସମଲେଶ୍ୱରୀ, କୋସଳେଶ୍ୱର ସମେତ ସମସ୍ତ ଦେବାଦେବୀଙ୍କ ଦର୍ଶନ କରିସାରିଥିଲେ ମଧ୍ୟ ଲୁକ୍ନିଆଁ ଗଣେଶଙ୍କ ଦର୍ଶନ ନକଲେ, ତାହା ଅସମ୍ପୂର୍ଣ୍ଣ ବୋଲି ଏଠାରେ ଲୋକବିଶ୍ୱାସ ରହିଛି । ଅତି ଛୋଟ ହୋଇଥିବାରୁ ଧ୍ୟାନ କେନ୍ଦ୍ରିତ ନ କଲେ ସିଦ୍ଧି ମିଳିବନି । ତେଣୁ ଏକାଗ୍ରତା ପାଇଁ ଶ୍ରଦ୍ଧାଳୁ ଲୁକ୍ନିଆଁ ଗଣେଶଙ୍କୁ ଦର୍ଶନ କରିଥାନ୍ତି ।
ଗଣେଶଙ୍କ ଏଭଳି ନାମକରଣକୁ ନେଇ ଖୋର୍ଦ୍ଧା ବାଣପୁରର ଗବେଷକ ଡ. ମଦନମୋହନ ମହାପାତ୍ର କହିଛନ୍ତି, ଶୋଡ଼ଷ ଶତାବ୍ଦୀରେ ମହାତ୍ମା ଚୈତନ୍ୟ ଦାସଙ୍କ ରଚିତ ‘ନିର୍ଗୁଣ ମାହାତ୍ମ୍ୟ’ରେ ପାଟଣାଗଡ଼କୁ କୁମାରୀପାଟଣା ବା କୁଆଁରୀ ପାଟନା ନାମରେ ବର୍ଣ୍ଣନା କରାଯାଇଛି । ଅତୀତରେ ପାଟଣା ରାଜ୍ୟରେ ତନ୍ତ୍ରବିଦ୍ୟାର ବିଶେଷ ପ୍ରଭାବ ଥିଲା । ଗାଙ୍ଗୀ ଗଉଡୁଣୀ, ଶୁଆ ତେଲୁଣୀ, ଜ୍ଞାନଦେଇ ମାଲୁଣୀ, ନିତାଇ ଧୋବଣୀ, ଲୁହୁକୁଟୀ ଲୁହୁରୁଣୀ, ସୁକୁଟୀ ଚମାରୁଣୀ ଏବଂ ପତ୍ରପିନ୍ଧି ସଉରୁଣୀ ଆଦି ସାତଜଣ କୁମାରୀ କନ୍ୟା ତନ୍ତ୍ରବିଦ୍ୟାରେ ବିଶେଷ ପାରଦର୍ଶିତା ହାସଲ କରିଥିବାର ଜଣାଯାଏ । ସମ୍ଭବତଃ ସେମାନେ ଲକ୍ଷ୍ମୀକରାଙ୍କ ଦ୍ୱାରା ପ୍ରତିଷ୍ଠିତ ସହଜସ୍ଥାନ ତନ୍ତ୍ରର ପ୍ରଚାର ଓ ପ୍ରସାରବ୍ରତୀ ଥିଲେ । ଏହି ସପ୍ତ ସାଧିକାମାନେ ସମାଜର ଅତି ସାଧାରଣରୁ ସାଧାରଣ ବର୍ଗର ଅଟନ୍ତି । ପୂର୍ବରୁ ପୂଜା ପଦ୍ଧତିକୁ ନେଇ ଅନେକ ବାଧାବିଘ୍ନ ରହୁଥିଲା । ମାତ୍ର ସେହି ପଛୁଆବର୍ଗର ସାଧିକାମାନେ ସେହି ଗଣପତିଙ୍କୁ ପୂଜା କରିପାରୁଥିଲେ । ତେଣୁ ତାଙ୍କୁ ଲୋକ ଦେବତା ଗଣେଶ ବୋଲି କୁହାଯାଉଥିଲା । ପରେ ତାହା ଲୋକା ଏବଂ ଲୁକ୍ନିଆଁ ଗଣେଶ ଭାବରେ ପରିଚିତ ହୋଇଥିଲା ।
ସଂସ୍କୃତି ସଂଗଠକ ତଥା ଅଧ୍ୟାପକ ଶୁଭକାନ୍ତ ଦେବଙ୍କ କହିବାନୁସାରେ ମନ୍ଦିରର ପ୍ରତିଷ୍ଠା ସମୟ ଏବଂ ଲୁକନିଆଁ ଗଣେଶ ରହସ୍ୟ ଭିତରେ ରହିଛି । ତଥାପି କିମ୍ବଦନ୍ତୀ ଅନୁଯାୟୀ ମନ୍ଦିର ନିକଟରେ ଏକ ବଳି ଚାଲିଥିବା ବେଳେ ହଠାତ ପୋଢ଼ର ମୁଣ୍ଡ ହଟିଯାଇଥିଲା । କିଛି ସମୟ ପରେ ଖୋଜାଖୋଜି କରିବାରୁ ତାହା ଉକ୍ତ ଗଣେଶଙ୍କ ସମ୍ମୁଖରୁ ବାହାରିଥିଲା । ଯେହେତୁ ଗଣେଶ ସେହି ବଳିମୁଣ୍ଡକୁ ଲୁଚାଇ ଦେଇଥିଲେ, ସେହିଦିନଠାରୁ ଲୁକ୍ନିଆଁ ଗଣେଶ କୁହାଯାଏ । କିଛିବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ଲୁକ୍ନିଆଁ ଗଣେଶଙ୍କ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ଲୁକାଗଣେଶ ପୂଜା କମିଟି ନାଁରେ ଗଣେଶ ପୂଜା କରାଯାଉଥିବା ସେ କହିଛନ୍ତି ।