ଚାନ୍ଦବାଲି, ୭/୬ : ଶ୍ଵାସ ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଘଟିଛି। ଡାକ୍ତର ଏବଂ ଆଟେଣ୍ଡାଣ୍ଟଙ୍କ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ମୁତାବକ, ଶନିବାର ସକାଳେ ବିଜୟନଗର ଗ୍ରାମର ଶ୍ଵାସ ରୋଗୀ ପ୍ରଫୁଲ୍ଲ ଦାଶ ଚିକିତ୍ସା ପାଇଁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ଚିକିତ୍ସା କରିବା ସହ ରୋଗୀଙ୍କ ମୁହଁରେ ଅକ୍ସିଜେନ୍ ଲଗାଇଥିଲେ। ପ୍ରଫୁଲ୍ଲ ଚିକିତ୍ସାଧୀନ ଥିବା ବେଳେ ଡ୍ୟୁଟିରେ ଥିବା ଆଟେଣ୍ଡାଣ୍ଟ ସମର ମହାଳିକ ତାଙ୍କ ମୁହଁରୁ ଅକ୍ସିଜେନ୍ କାଢି ନେଇଥିଲେ। କିଛି ସମୟ ମଧ୍ୟରେ ପ୍ରଫୁଲ୍ଲଙ୍କର ମୃତ୍ୟୁ ହୋଇଥିଲା। ଯାହାଫଳରେ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କ ଅବହେଳା ପାଇଁ ରୋଗୀର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରଫୁଲଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀମାନେ ଡାକ୍ତରଖାନାରେ ପହଞ୍ଚି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।