ପାଟନା, ୪।୬: ବିହାରର ରାଜଧାନୀ ପାଟନାର ଦୁଇଟି କୋଚିଂ ସେଣ୍ଟରର ପ୍ରତିଯୋଗିତା ଏବେ ଯୁଦ୍ଧ ପାଲଟିଛି। ଚର୍ଚ୍ଚିତ କୋଚିଂ ଟିଚର ଖାନ୍ ସାର୍ ଓରଫ୍ ଫୈସଲ ଖାନ୍ଙ୍କ ଦୁଇ ବଡିଗାର୍ଡଙ୍କୁ ପୋଲିସ ଗିରଫ କରିଛି। ପ୍ରତିଦ୍ବନ୍ଦୀ କୋଚିଂ ସଂସ୍ଥା ଜ୍ଞାନ ବିନ୍ଦୁ ପକ୍ଷରୁ ଖାନ୍ ସାର୍ଙ୍କ ଗାର୍ଡ ଫାୟାରିଂ କରିବା ବେଳର ଏକ ଭିଡିଓ ଜାରି କରିଛି। ଏହାପରେ ପୋଲିସ ଦୁଇ ଗାର୍ଡଙ୍କୁ ଗିରଫ କରିଛି। ଏବେ ପ୍ରଶ୍ନ ଉଠୁଛି ଯେ, ଏହି ମାମଲାରେ କ’ଣ ଖାନ୍ ସାର ଗିରଫ ହେବେ। ଅନ୍ୟପକ୍ଷେ ଜ୍ଞାନ ବିନ୍ଦୁ ଏକାଡେମୀର ଡାଇରେକ୍ଟର ରୋସନ୍ ଆନନ୍ଦ ଓରଫ ରୋସନ୍ ସାର୍ଙ୍କୁ ମୁକ୍ତ କରିବା ନେଇ ଦାବି ହେଉଛି।
ଗୁରୁବାର ସନ୍ଧ୍ୟାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ତାଙ୍କ ଇନଷ୍ଟିଚ୍ୟୁଟ୍ ବାହାରେ ରାସ୍ତାରେ ଏକାଠି ହୋଇଥିଲେ। ଅନ୍ୟପକ୍ଷେ ଜ୍ଞାନ ବିନ୍ଦୁ ଏକାଡେମୀର ଛାତ୍ରଛାତ୍ରୀ ମଧ୍ୟ ପାଟନାରେ ବହୁ ସଂଖ୍ୟାରେ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖାନ୍ ସାରଙ୍କ ବିରୋଧରେ ନାରାବାଜି କରିଛନ୍ତି। କାର୍ଗିଲ ଚୌକ ପାଖରେ ଏକାଠି ହୋଇ ଛାତ୍ରଛାତ୍ରୀ ଖାନ୍ ସାର୍ଙ୍କୁ ବିରୋଧ କରିଛନ୍ତି। ଛାତ୍ରଙ୍କ ହାତରେ ରୋସନ୍ ସାର୍ଙ୍କ ସମର୍ଥନରେ ପୋଷ୍ଟରେ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ପୋଲିସ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ବିକ୍ଷୋଭ ପ୍ରଦର୍ଶନକୁ କିଛି ସମୟ ପାଇଁ ବନ୍ଦ କରିଛି।
ରୋଶନ ସାର୍ଙ୍କୁ ଗତକାଲି, ବୁଧବାର ପୋଲିସ ଗିରଫ କରି ଜେଲ ପଠାଇ ଦେଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଖାନ ସାର୍ଙ୍କ କୋଚିଂ ସେଣ୍ଟର ବାହାରେ ଭଙ୍ଗାରୁଜା ଏବଂ ଗାର୍ଡଙ୍କ ଉପରେ ଆକ୍ରମଣ ପରେ ରୋଶନ ଆନନ୍ଦ ଏବଂ ଅନ୍ୟ କେତେ ଜଣଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଥିଲା। ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଜେଲଦଣ୍ଡ ଦିଆଯାଇଛି। କୁହାଯାଉଛି ଯେ ଏହି ବିବାଦ ଦୁଇଟି କୋଚିଂ ପ୍ରତିଷ୍ଠାନ ମଧ୍ୟରେ ପ୍ରତିଯୋଗିତାମୂଳକ ଲଢ଼େଇରୁ ସୃଷ୍ଟି ହୋଇଥିଲା। ବିହାର ପୋଲିସ କନେଷ୍ଟବଳ ନିଯୁକ୍ତି ଫଳାଫଳ ପ୍ରକାଶ ପାଇବା ପରେ ବିବାଦ ଆହୁରି ତୀବ୍ର ହୋଇଥିଲା।