ନୂଆଦିଲ୍ଲୀ,୫/୭ : ପାକିସ୍ତାନ କ୍ରିକେଟ ବୋର୍ଡ଼ (PCB) ପୁଣି ଥରେ ଷ୍ଟାର୍ ବ୍ୟାଟର ଆଜମଙ୍କୁ ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ ନିଯୁକ୍ତ କରିଛି । ପିସିବି ୨୦୨୩ରେ ବାବର ଆଜମଙ୍କଠାରୁ ଅଧିନାୟକତ୍ବ ଛଡ଼ାଇ ଶାନ ମସୁଦଙ୍କୁ ଦେଇଥିଲା । କିନ୍ତୁ ମସୁଦଙ୍କ ନେତୃତ୍ବରେ ପାକ୍ ଟିମ୍ ବାରମ୍ବାର ଖରାପ ପ୍ରଦର୍ଶନ କରୁଥିଲା । ଏବେ ପୁଣି ଥରେ ବୋର୍ଡ଼ ବାବର ଆଜମଙ୍କୁ ଟେଷ୍ଟ ଅଧିନାୟକ କରି ଦେଇଛି । ପିସିବି ଓ୍ବେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜ ଲାଗି ପାକିସ୍ତାନ ଟିମର ଘୋଷଣା କରିଛି । ଷ୍ଟାର୍ ଦ୍ରୁତବୋଲର ଶାହୀନ ଅଫରୀଦୀଙ୍କୁ ଟିମରୁ ବାହାର କରି ଦିଆଯାଇଛି । ସେହିଭଳି ହସନ ଅଲୀ ଏବଂ ନେମାନ ଅଲୀଙ୍କୁ ବି ଏହି ଉଭୟ ସିରିଜ ଲାଗି ଟିମରେ ସ୍ଥାନ ମିଳିପାରିନାହିଁ ।

ଶାନ ମସୁଦଙ୍କ ଅଧିନାୟକତ୍ବରେ ପାକିସ୍ତାନ ୧୬ଟେଷ୍ଟ ମ୍ୟାଚ୍ ଖେଳିଛି । ଏହି ସମୟରେ ତାକୁ ୧୨ ଟେଷ୍ଟରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ନିକଟରେ ପାକ୍ ଟିମକୁ ବାଂଲାଦେଶ ବିପକ୍ଷରେ ବି ଟେଷ୍ଟ ସିରିଜ ହାରିବାକୁ ପଡ଼ିଥିଲା । ଏହାସହ ସାଉଥ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ଟେଷ୍ଟ ସିରିଜରେ ବି ପାକ୍ ଟିମ୍ ପରାଜୟ ହୋଇଥିଲା । ପିସିବି ଓ୍ବେଷ୍ଟଇଣ୍ଡିଜ ସିରିଜ ଲାଗି ୧୬ସଦସ୍ୟ ଟିମର ଘୋଷଣା କରିଛି । ମାତ୍ର ଇଂଲଣ୍ଡ ଗସ୍ତ ଲାଗି ସଉଦ ସକିଲଙ୍କୁ ୧୭ତମ ଖେଳାଳୀ ଭାବେ ଟିମରେ ରଖାଯାଇଛି । କିନ୍ତୁ ଶକୀଲଙ୍କୁ ଟିମରେ ସାମିଲ ହେବା ପୂର୍ବରୁ ଫିଟନେସ ଟେଷ୍ଟରେ ସାମିଲ ହେବାକୁ ପଡ଼ିବ । ଚୟନକର୍ତ୍ତା ଟିମରେ ୪ଯୁବ ଖେଳାଳୀଙ୍କୁ ପ୍ରଥମ ଥର ସାମିଲ କରିଛନ୍ତି । ଏହି ୪ ଖେଳାଳୀ ବାମ ହାତୀ ସ୍ପିନର ଅଲୀ ଉସ୍ମାନ, ବ୍ୟାଟର ମୁହମ୍ମଦ ଅବେସ ଜଫର, ଦ୍ରୁତ ବୋଲର ଉବେଦ ଶାହ ଏବଂ ଓ୍ବିକେଟକିପର- ବ୍ୟାଟର ମୁହମ୍ମଦ ଗାଜୀ ଗୋରୀ ଅଟନ୍ତି ।

ପାକିସ୍ତାନ ଟିମ୍ ପ୍ରଥମେ ଓ୍ବେଷ୍ଟଇଣ୍ଡିଜ ଯିବ । ଓ୍ବେଷ୍ଟଇଣ୍ଡିଜରେ ପାକ୍ ଟିମ୍ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ଏହି ସିରିଜର ପ୍ରଥମ ଟେଷ୍ଟ ୨୫ରୁ ୨୯ଜୁଲାଇ ପର୍ଯ୍ୟନ୍ତ ଖେଳାଯିବ । ସେହିଭଳି ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ୨ରୁ ୬ଅଗଷ୍ଟ ପର୍ଯ୍ୟନ୍ତ ପୋର୍ଟ ଅଫ ସ୍ପେନରେ ହେବ । ଏହାପରେ ପାକ୍ ଟିମ୍ ୩ମ୍ୟାଚର ଟେଷ୍ଟ ସରିଜ ଲାଗି ଇଂଲଣ୍ଡ ଯିବ । ଏହି ୩ ଟେଷ୍ଟ ମ୍ୟାଚ୍ ୧୯ଅଗଷ୍ଟରୁ ୧୩ସେପ୍ଟେମ୍ବର ମଧ୍ୟରେ ଲିଡ୍ସ, ଲର୍ଡସ ଏବଂ ବର୍ମିଂହମରେ ଖେଳାଯିବ ।

ଓ୍ବେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ଲାଗି ପାକିସ୍ତାନର ଟେଷ୍ଟ ଟିମ୍ – ବାବର ଆଜମ( ଅଧିନାୟକ), ଅମୀର ଜମାଲ, ଅବ୍ଦୁଲ୍ଲା ଫଜଲ, ଅଲୀ ଉସ୍ମାନ, ଅଜାନ ଅବେସ, ଇମାମ ଉଲ ହକ, ଖୁରମ ଶାହଜାଦ, ମହମ୍ମଦ ଅବ୍ବାସ, ମହମ୍ମଦ ଅଲୀ, ମହମ୍ମଦ ରିଜଓ୍ବାନ(ଓ୍ବିକେଟକିପର), ମହମ୍ମଦ ଅବେସ ଜାଫର, ମହମ୍ମଦ ଗାଜୀ ଗୋରୀ(ଓ୍ବିକେଟକିପର), ସାଜିଦ ଖାନ, ସଲମାନ ଅଲୀ ଆଗ, ଶାନ ମସୁଦ ଏବଂ ଉବେଦ ଶାହ(ଫିଟନେସ ଟେଷ୍ଟ ପାସ୍ କରିବା ପରେ ସଉଦ ଶକୀଲ ଇଂଲଣ୍ଡ ଗସ୍ତ ଲାଗି ଟିମର ଭାଗିଦାରୀ ହେବେ) ।