ଖନ୍ତାପଡ଼ା,୨୦/୦୩: ଗୋରୁ ବୋଝେଇ ପିକଅପ୍କୁ ପିଛା କରୁଥିଲେ ଗୋସୁରକ୍ଷା ଦଳ । ରାସ୍ତା କଡରେ ଥିବା ଏକ ସେଲୁନକୁ ଧକ୍କା ଦେଲା ଗାଡ଼ି । ଘଟଣା ସ୍ଥଳରେ ଗୋମାଫିଆ ଆସି ପିଛା କରୁଥିବା ଲୋକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ କରିଲେ ଭୟଭୀତ । ପୋଲିସ ବିଳମ୍ବରେ ପହଞ୍ଚିବାରୁ ଶ୍ରୀଜଙ୍ଗ ଛକରେ ଗୋପାଳପୁର ବାଲେଶ୍ୱର ସ୍ଲଟ ରୋଡ଼ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଗୋସୁରକ୍ଷା ଦଳ ଏକ ଗୋରୁ ବୋଝେଇ ପିକଅପ୍କୁ ପିଛା କରିଥିଲେ । ପିକଅପ୍ଟି ରାସ୍ତା କଡରେ ଥିବା ଏକ ସେଲୁନ୍କୁ ଧକ୍କା ଦେଇଥିଲା । ପରେ ଗାଡ଼ିର ଡ୍ରାଇଭର୍ କିଛି ଗୋମାଫିଆଙ୍କୁ ଫୋନ୍ କରିଥିଲା । ଖବର ପାଇ ଘଟଣା ସ୍ଥଳରେ ଗୋମାଫିଆ ଆସି ପିଛା କରୁଥିବା ଲୋକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ଏଥି ସହିତ ସେମାନେ ଗୋଟିଏ କାର୍ ଓ ଆଠଟି ବାଇକକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଗୋସୁରକ୍ଷା ଦଳ ପୋଲିସକୁ ଫୋନ୍ କରିଥିଲେ ମଧ୍ୟ ଖନ୍ତାପଡ଼ା ପୋଲିସ ସେଠାରେ ବିଳମ୍ବରେ ପହଞ୍ଚିଥିଲେ । ସେତେବେଳକୁ ଗୋମାଫିଆ ମାନେ ପିକଅପ୍ଟିକୁ ନେଇ ଫେରାର ହୋଇଯାଇଥିଲେ । ପୋଲିସ ବିଳମ୍ବରେ ପହଞ୍ଚିବାରୁ ଗୋପାଳପୁର ବାଲେଶ୍ୱର ସ୍ଲଟ ରୋଡ଼ ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିବ୍ୟଜ୍ୟୋତି ଦାସ,ସଦର ଏସ୍ଡିପିଓ ସୁଭ୍ରାଂଶୁ ଶେଖର ନାୟକଙ୍କ ସହିତ ବହୁ ଅଧିକାରୀ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି । ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୋଲିସ ଅଧିକାରୀଙ୍କ ବହୁ ବୁଝା ସୁଝା ପରେ ରାସ୍ତା ଅବରୋଧ ହଟିଥିଲା ।