ଭୁବନେଶ୍ୱର,୧୫/୦୫: ରାଜ୍ୟରେ ପେଟ୍ରୋଲ ପମ୍ପ ଗୁଡିକରେ ସ୍ଥିତି ସଙ୍ଗୀନ । ନା ଅଛି ପେଟ୍ରୋଲ ନା ଅଛି ଡିଜେଲ । ପେଟ୍ରୋଲ ପମ୍ପ ଆଗରେ ଘଣ୍ଟା ଘଣ୍ଟା ଧରି ଲୋକମାନେ ଲମ୍ବା ଲାଇନରେ ରହୁଛନ୍ତି । ସେପଟେ ତୈଳ ମହଜୁଦ ଥିବା ନେଇ ଲୋକମାନଙ୍କୁ ଆଶ୍ବାସନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନଥିବା ସେ କହିଛନ୍ତି । ଆଗକୁ ୧୩ ଦିନ ପାଇଁ ତେଲ ମହଜୁତ ଅଛି । ଲୋକଙ୍କ ଭିଡ଼ ଯୋଗୁଁ ୫୦ ପ୍ରତିଶତ ଚାହିଦା ବଢିଛି । ଲୋକଙ୍କୁ ନିବେଦନ ପ୍ୟାନିକ ହୁଅନ୍ତୁ ନାହିଁ । ଜାରକିନ ଆଣି ଟାଙ୍କିରେ ଭିଡ଼ କିଣନ୍ତୁ ନାହିଁ । ଡଲାରରେ ସୁନା ଏବଂ ତୈଳ ବାହାର ଦେଶରୁ କିଣା ଯାଉ ଥିବାରୁ ଡଲାର ଅଧିକ ସୁଦୃଢ ହେଉଛି । ତେଣୁ ଅର୍ଥନୀତିକୁ ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ତେଲ କମ ବ୍ୟବହାର ପାଇଁ କହିଥିଲେ । ଏହାକୁ ନେଇ ତେଲ ଆଗକୁ ମିଳିବ ନାହିଁ ବୋଲି ଭୁଲ ମେସେଜ୍ ଯାଇଛି । ତୈଳ କଳାବଜାରୀ ରୋକିବାକୁ ଚଢ଼ାଉ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ପବ୍ଲିକ ଟ୍ରା୍ସପୋର୍ଟକୁ ଆଗ ତେଲ ଦେବାକୁ ଯୋଗାଣ ମନ୍ତ୍ରୀ କହିଛନ୍ତି ।

ସେପଟେ ଡିପୋରେ ତେଲ ମହଜୁଦ ଥିବା କହିଛନ୍ତି ଉତ୍କଳ ପେଟ୍ରୋଲିଅମ୍ ଡିଲର୍ ଆସୋସିଏସନ୍ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ଅଧିକ ଚାହିଦା ଥିବାରୁ ପରିବହନରେ ବିଳମ୍ବ ହେଉଛି। ଆସନ୍ତକାଲି ସନ୍ଧ୍ୟା ସୁଦ୍ଧାସବୁ ସ୍ଵାଭାବିକ ହୋଇଯିବ । ଲୋକେ ଛାନିଆ ହୋଇ ଆବଶ୍ୟକତାରୁ ଅଧିକ ତେଲ ପକାଉ ଥିବାରୁ ସଙ୍କଟ ସୃଷ୍ଟି ହୋଇଛି । ରାଜ୍ୟରେ ୩ ହଜାରଟି ପେଟ୍ରୋଲ ପମ୍ପ୍ ରହିଥିବା ବେଳେ ଓଡ଼ିଶାରେ ଦୈନିକ ୪୪ଲକ୍ଷ ୭୦ ହଜାର ଲିଟର ପେଟ୍ରୋଲ ଓ ଏକ କୋଟି ୧୨ ଲକ୍ଷ ୩୯ ହଜାର ଲିଟର ଡିଜେଲ୍ ବିକ୍ରି ହୋଇଥାଏ। ହେଲେ ଲୋକଙ୍କ ମଧ୍ୟରେ ପାନିକ ବାୟିଂ ଯୋଗୁ ଏଭଳି ଅବସ୍ଥା ହେଉଛି। ଏବେ ୨୫ଟି ପେଟ୍ରୋଲ ପମ୍ପରୁ ତେଲ ସରିଛି।

ଆହୁରି ପଢନ୍ତୁ-‘SIR’ Update: ମେ’ ୩୦ ତାରିଖରୁ ଘର ଘର ବୁଲିବେ ବିଏଲଓ, ୨୦ରୁ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ

ରାଜ୍ୟରେ ପର୍ଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ ମହଜୁଦ ଅଛି । ଭିଡ଼ କରନ୍ତୁ ନାହିଁ କି ପ୍ୟାନିକ୍ କରନ୍ତୁ ନାହିଁ ବୋଲି ଆଇଓସିଏଲ୍ ସିଜିଏମ୍ କମଲ ସିଲ୍ କହିଛନ୍ତି । ସେ ଆହୁରି କହିଛନ୍ତି, କୌଣସି ସ୍ଥାନରେ ସଟେଜ୍ ନାହିଁ । ଅଧିକ ପେଟ୍ରୋଲ ଓ ଡିଜେଲ କିଣି ମହଜୁଦ କରନ୍ତୁ ନାହିଁ । IOCL, HPC, BPC, Reliance, Nayara ଭଳି ସମସ୍ତ ତୈଳ କମ୍ପାନୀ ନିକଟରେ ସମସ୍ତ ମହଜୁଦ ଅଛି । ଅନ୍ୟ କାରଣ ଯୋଗୁଁ କିଛି ତୈଳ ଟାଙ୍କି ବନ୍ଦ ରହିଛି । ଜିଲ୍ଲାୱାରୀ ମନିଟର କରାଯାଉଛି । ଜିଲ୍ଲା ୱାରୀ ୩ ରୁ ୪ ଦିନର ଷ୍ଟକ ମେଣ୍ଟେନ କରାଯାଉଛି । ରାସ୍ତାରେ ଲମ୍ବା ଲାଇନ ଲଗାନ୍ତୁ ନାହିଁ । ଡିମାଣ୍ଡ ଅନୁସାରେ ସବୁ ଟାଙ୍କିକୁ ତେଲ ପହଞ୍ଚାଯିବ । ଗତ ଦୁଇ ଦିନରେ ୩୦ ପ୍ରତିଶତ ତୈଳ ବିକ୍ରି ବଢିଛି ବୋଲି କମଲ ସିଲ୍ କହିଛନ୍ତି ।