ଭୁବନେଶ୍ବର, ୧୫/୦୫: ଓଡ଼ିଶାରେ ଆରମ୍ଭ ହେବ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) । ଆସନ୍ତା ୩୦ ତାରିଖରୁ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ବିଏଲ୍ଓ (ବୁଥ୍ ସ୍ତରୀୟ ଅଧିକାରୀ) । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର.ଏସ ଗୋପାଳନ ।
ରାଜ୍ୟରେ ହେବାକୁ ଥିବା ଏସଆଇଆର୍ ପ୍ରକ୍ରିୟାରେ ୩୮ ହଜାର ୧୨୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଘରେ ଘରେ ପହଞ୍ଚି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ । ସେମାନଙ୍କୁ ସହଯୋଗ କରିବା ପାଇଁ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ୨୭ ହଜାର ୭୨୩ ଜଣ ବୁଥସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ନିୟୋଜିତ ହୋଇଛନ୍ତି । ଏସଆଇଆର୍ ପାଇଁ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ଚଳିତ ମାସ ୨୦ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ମେ’ ମାସ ୩୦ ତାରିଖରୁ ଜୁନ୍ ୨୮ ପର୍ଯ୍ୟନ୍ତ ବିଏଲଓମାନେ ଘର ଘର ବୁଲି ଏସଆଇଆର ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ । ଜୁନ୍ ୨୮ ସୁଦ୍ଧା ଭୋଟରମାନଙ୍କର ପୋଲିଂ ବୁଥ୍ ପୁନର୍ଗଠନ ପ୍ରକ୍ରିୟା ସରିବ । ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଏହାକୁ ନେଇ ଆପତ୍ତି, ଅଭିଯୋଗ ଥିଲେ ଅଗଷ୍ଟ ୮ ତାରିଖ ଭିତରେ ଦାଖଲ କରିବାକୁ ହେବ । ସମସ୍ତ ଆପତ୍ତି, ଅଭିଯୋଗ ଉପରେ ଜୁଲାଇ ୫ରୁ ସେପ୍ଟେମ୍ବର ୨ ଭିତରେ ନିଷ୍ପତ୍ତି ନିଆଯିବ । ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି ହେବ ।
ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ପ୍ରତି ବୁଥ୍ରେ ପ୍ରତ୍ୟେକ ରାଜନୈତିକ ଦଳ ଜଣେ ଲେଖାଏଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ନିର୍ବାଚନ କମିଶନ ଅନୁରୋଧ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ୩ କୋଟି ୩୪ ଲକ୍ଷ ୧୪ ହଜାର ୮୬୮ ଭୋଟରଙ୍କ ମଧ୍ୟରୁ ବୁଧବାର ସୁଦ୍ଧା ୩ କୋଟି ୧୬ ଲକ୍ଷ ୭ ହଜାର ୪୧୬ଜଣଙ୍କର ମ୍ୟାପିଂ (୨୦୨୫ ଭୋଟର ତାଲିକା ସହ ୨୦୦୨ ତାଲିକାର ମେଳ) କରାଯାଇଛି । ଅର୍ଥାତ୍ ଏବେ ସୁଦ୍ଧା ରାଜ୍ୟରେ ୯୪.୫୯% ଭୋଟରଙ୍କର ମ୍ୟାପିଂ ସରିଛି । ଏବେ ବି ୧୮ ଲକ୍ଷ ୭ ହଜାର ୪୫୨ଜଣଙ୍କର ମ୍ୟାପିଂ ହୋଇପାରିନି । ମ୍ୟାପିଂରେ ଭୁବନେଶ୍ୱର ସବୁଠାରୁ ପଛରେ ରହିଛି । ଭୁବନେଶ୍ୱରରେ ଭୋଟର ତାଲିକା ମ୍ୟାପିଂ ହାର ଏବେ ସୁଦ୍ଧା ୮୦.୪୨% ରହିଛି ।
ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ଏସଆଇଆର୍ ପ୍ରକ୍ରିୟାକୁ ତଦାରଖ ସହ ଏଥିରେ ସହଯୋଗ ପାଇଁ ରାଜନୈତିକ ଦଳଗୁଡ଼ିକ ସେଭଳି ଆଗ୍ରହ ଦେଖାଉନାହାନ୍ତି । ରାଜ୍ୟରେ ୩୮ ହଜାରରୁ ଅଧିକ ବୁଥ୍ ଥିବାବେଳେ ବିଜେପି ୧୬ ହଜାର ୬୦୪ଟି ବୁଥସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ନିଯୁକ୍ତ କରିଥିବାବେଳେ ବିଜେଡି ୭୯୩୪ ଜଣ ଏବଂ କଂଗ୍ରେସ ୩୧୮୫ଜଣ ବିଏଲ୍ଏଙ୍କୁ ନିଯୁକ୍ତ କରିଛି । ବାମ ଦଳ ଏବଂ ଅନ୍ୟାନ୍ୟ ଦଳ ଏଯାଏଁ ଜଣେ ବି ବିଏଲ୍ଏ ନିଯୁକ୍ତ କରିନାହାନ୍ତି ।