ଭୁବନେଶ୍ୱର,୦୭/୦୫: ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌) ରେ ପିଜି ଓ ପିଏଚ୍‌ଡି ନାମଲେଖା ପାଇଁ ହେବ ପ୍ରବେଶିକା ପରୀକ୍ଷା । ଏନେଇ ବୁଧବାରଠୁ ଆବେଦନ ଆରମ୍ଭ ହୋଇଛି । ଆସନ୍ତା ଜୁନ୍‌ ୫ ତାରିଖ ଯାଏ ଆବେଦନର ସୁଯୋଗ ମିଳିବ । ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୱେବ୍‌ସାଇଟ୍‌ ମାଧ୍ୟମରେ ଅନ୍‌ଲାଇନ ଆବେଦନ କରିବେ ଇଚ୍ଛୁକ ଛାତ୍ରଛାତ୍ରୀ । 

ଏନ୍‌ଟିଏର ସୂଚନା ଅନୁଯାୟୀ, ଏଆଇଇଇଏରେ ପିଜି ନାମଲେଖା ଓ ଏଆଇସିଇରେ ଜୁନିଅର ରିସର୍ଚ୍ଚ ଫୋଲେସିପ୍‌ (ଜେଆର୍‌ଏଫ୍‌) କିମ୍ବା ସିନିଅର ରିସର୍ଚ୍ଚ ଫେଲୋସିପରେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖା ହେବ । ଜୁନ୍‌ ୭ରୁ ୯ ତାରିଖ ଯାଏ ଆବେଦନ ଫର୍ମ ସଂଶୋଧନର ସୁଯୋଗ ଦିଆଯିବ । ଜୁଲାଇ ୩ରେ ପରୀକ୍ଷା ହେବ । କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ପରୀକ୍ଷା ହେବ । ଅବ୍‌ଜେକ୍ଟିଭ୍‌ ଟାଇପ୍‌ର ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନ ଆସିବ । ଇଂରାଜୀ ମାଧ୍ୟମରେ ପରୀକ୍ଷା ହେବ । ୨ ଘଣ୍ଟାର ସମୟ ଦିଆଯିବ । ଏନେଇ ସମସ୍ତ ସୂଚନା ଏନ୍‌ଟିଏ ୱେବ୍‌ସାଇଟ୍‌ www.nta.ac.inରେ ଉପଲବ୍ଧ ରହିଛି ।