ନୂଆଦିଲ୍ଲୀ,୧୭/୧୦:ଫିଲିପାଇନ୍ସରେ ଭୂମିକମ୍ପ ଝଟକା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏନେଇ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ପକ୍ଷରୁ ସୂଚନା ମିଳିଛି। ଗୋଟିଏ ସପ୍ତାହ ପୂର୍ବରୁ ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ୭.୫ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଥିଲା, ଯାହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ଆଉ ଏବେ ସେହି ଅଞ୍ଚଳରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଛି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହି ଭୂମିକମ୍ପ ୬୨ କିଲୋମିଟର ଗଭୀରତାରେ ଘଟିଥିଲା।

ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ଘଟିଥିବା ଏହି ଭୂମିକମ୍ପରେ ଅନେକ ସ୍କୁଲ କୋଠା ଏବଂ ଏକ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଲୋକମାନେ ଖୋଲା ଆକାଶ ତଳେ ରାତି ବିତାଇବାକୁ ବାଧ୍ୟ ହୋଇଛନ୍ତି। କର୍ତ୍ତୃପକ୍ଷ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ପ୍ରଭାବିତ ଅଞ୍ଚଳକୁ ଡାକ୍ତରୀ ଦଳ ପଠାଯାଉଛି। ସେପଟେ ଭୂମିକମ୍ପ ପରେ ମିଣ୍ଡାନାଓରେ ସୁନାମି ଚେତାବନୀ ଜାରି ହୋଇଥିଲା।   ତଥାପି, ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ କିଛି ଘଣ୍ଟା ପରେ ସତର୍କତା ପ୍ରତ୍ୟାହାର କରାଯାଇଥିଲା। ସେହିପରି ପ୍ରାୟ ୫୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଡାଭାଓ ସହର ଭୂମିକମ୍ପର କେନ୍ଦ୍ରସ୍ଥଳର ସବୁଠାରୁ ନିକଟତର ଥିଲା। ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଖାଲି କରାଯାଇଥିଲା ଏବଂ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ପରବର୍ତ୍ତୀ ଭୂକମ୍ପର ସମ୍ଭାବନା ରହିଛି। ପ୍ରକାଶ ଥାଉକି,ଫିଲିପାଇନ୍ସ ବିଶ୍ୱର ସବୁଠାରୁ ଭୂମିକମ୍ପପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ। ଯାହା ପ୍ରଶାନ୍ତ ମହାସାଗରୀୟ ବଳୟରେ ଅବସ୍ଥିତ।ଏଠାରେ ପ୍ରତିବର୍ଷ ଛୋଟ ଏବଂ ବଡ଼ ବଡ ଭୂମିକମ୍ପ ଅନୁଭୂତ ହୁଏ, କେତେକ ସମୟରେ ସୁନାମିର ଆଶଙ୍କା ମଧ୍ୟ ରହିଥାଏ।