ଚନ୍ଦନେଶ୍ଵର,୨୧/୬ : ଓଡ଼ିଶାରୁ ପଡ଼ୋଶୀ ପଶ୍ଚିମବଙ୍ଗକୁ ହେଉଛି ଗୋମାଂସ ଚାଲାଣ। ଏଭଳି ସନ୍ଦେହରେ ଗାଁଲୋକେ ପିକଅପକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଭୋଗରାଇ ଓ ତାଳସାରି ସାମୁଦ୍ରିକ ଥାନା,ଚନ୍ଦନେଶ୍ଵର ଫାଣ୍ଡିର ପୁଲିସ ପହଞ୍ଚି ପିକଅପ ଜବତ କରି ଚାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି।
ସୂଚନା ଅନୁସାରେ, ଜଳେଶ୍ବର-ଚନ୍ଦନେଶ୍ଵର ୫୭ନଂରେ ଏକ ପିକଅପରୁ ପ୍ରବଳ ରକ୍ତ ଝରି ପଡିବା ସହ ଦୁର୍ଗନ୍ଧ ବାହାରୁ ଥିଲା। କିଛି ଲୋକ ଏହାକୁ ସନ୍ଦେହ କରି ଭୋଗରାଇର ବଗଡଛକଠାରେ ଗାଡ଼ିକୁ ଅଟକାଇଥିଲେ। ସେଥିରେ ଗୋମାଂସ ଚାଲାଣ ହେଉଥିବା ସେମାନେ ସନ୍ଦେହ କରିଥିଲେ। ପରେ ପୁଲିସ ପହଞ୍ଚି ପଚରାଉଚରା ଆରମ୍ଭ କରିଥିଲା।
ତେବେ ପିକଅପର ଚାଳକ ସେକ ରିଆଜଙ୍କ କହିବା କଥା ଗାଡିଟି କଟକର ଯୋବ୍ରା ଆନିକଟରୁ ଆସୁଥିଲା। ସେଥିରେ କୁକୁଡାର ପର, ନାଡି ଆଦି ରହିଛି। ପଶ୍ଚିମବଙ୍ଗ ରାମନଗର ଥାନା ଅଧୀନ ଶଙ୍କରପୁରକୁ ଯାଉଥିଲା। ସେଠାରେ ଚାଷ ହେଉଥିବା ହାଇବ୍ରିଡ ମାଗୁର ତାକୁ ଖାଇଥାନ୍ତା। ତେବେ ପୁଲିସ ମଧ୍ଯ ଏହାକୁ ସନ୍ଦେହ କରିବା ସହ ତାକୁ ଖଲାସି କରିବା ପାଇଁ ତାଳସାରୀ ଝାଉଁ ଜଙ୍ଗଲକୁ ନେଇଛନ୍ତି। ଚାଳକଙ୍କୁ ଭୋଗରାଇ ଥାନାକୁ ନିଆଯାଇଛି। ଏଥିରେ ତାଳସାରି ସାମୁଦ୍ରିକ ଥିନା ଅଧିକାରିଣୀ ଚମ୍ପାବତୀ ସୋରେନ, ଭୋଗରାଇ ଥାନାର ଏଏସଆଇ ବୁଦ୍ଧିଆ ମୁର୍ମୁ, ଚନ୍ଦନେଶ୍ଵର ଫାଣ୍ଡି ଅଧୀକାରୀ ବନବିହାରୀ ଶତପଥୀଙ୍କ ସମେତ ସଶସ୍ତ୍ର ପୁଲିସ ବାହିନୀ ଉପସ୍ଥିତ ଥିଲେ।