ବ୍ରହ୍ମପୁର,୨୬/୦୬: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୮  ମାସ ପରେ ଫାଇନାଲ୍‌ ଚାର୍ଜସିଟ୍‌ ଦାଖଲ କରିଛି ପୁଲିସ । ଗତକାଲି ସନ୍ଧ୍ୟାରେ ପୁଲିସ  ୩୯୬ ପୃଷ୍ଠାର ଚାର୍ଜସିଟ୍‌ ସହ ଗୋଟିଏ ପେନ୍‌ଡ୍ରାଇଭ୍‌ ବ୍ରହ୍ମପୁର ଏସ୍‌ଡିଜେଏମ୍‌  କୋର୍ଟରେ ଦାଖଲ କରିଛି । ଜାନୁଆରୀ ୫ରେ ପୁଲିସ ୧୬ ଶହ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍‌ ଦେଇଥିଲା। ଏବେ ପୁଣି ସେଥିରେ ୩୯୬ ପୃଷ୍ଠାର ତଥ୍ୟ ଯୋଡ଼ି ହୋଇଛି ।  

ଅଧିକ ପଢ଼ନ୍ତୁ :-  Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମଙ୍କ ଡିସ୍‌ଚାର୍ଜ ପିଟିସନ୍‌ର ଶୁଣାଣି

୩୯୬ ପୃଷ୍ଠାରେ ପୁଲିସ ସୋସିଆଲ୍‌ ମିଡିଆ, ସାକ୍ଷୀ ଏବଂ କିଛି ପ୍ରମାଣ  ପାଇବା ପରେ ସେସବୁ ଯୋଡ଼ିଛି । ଆଉ କିଛି ନୂଆ ସାକ୍ଷୀ ମଧ୍ୟ ଏହି କେସ୍‌ରେ ଆସିଛନ୍ତି । ଏହି ହତ୍ୟାକାଣ୍ଡ ମାମଲାରେ ୧୬ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନେ ଏବେ ଜେଲ୍‌ରେ ଅଛନ୍ତି । ଜଣେ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳିସାରିଛି । ପୂର୍ବତନ ମେୟର  ଶିବ ଶଙ୍କର ଦାଶ ଫୁଲବାଣୀ ଜେଲ୍‌ରେ ରହୁଥିବାବେଳେ ପୂର୍ବତନ ବିଧାୟକ ବିକ୍ରମ  କୁମାର ପଣ୍ଡା, ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ  ଦଳେଇ, ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ, କୁରୁପତି ଭୂୟାଁ ଏବଂ ଅନ୍ୟମାନେ ବ୍ରହ୍ମପୁର  ଜେଲ୍‌ରେ ଅଛନ୍ତି । ଅଭିଯୁକ୍ତମାନେ ଏହି କେସ୍‌ରେ ସମ୍ପୃକ୍ତି ନ ଥିବା ଦର୍ଶାଇ ଓକିଲଙ୍କ  ଜରିଆରେ ପୃଥକ୍‌ ଭାବେ ଡିସ୍‌ଚାର୍ଜ ପିଟିସନ୍‌ ଦାଖଲ କରିଛନ୍ତି ।

​​​​​​​

ସେହି ପିଟିସନ୍‌ର  ଶୁଣାଣି ଜାରି ରହିଥିବାବେଳେ ଫାଇନାଲ୍‌ ଚାର୍ଜସିଟ୍‌ ଏବେ କୋର୍ଟରେ ଦାଖଲ ହୋଇଛି ।  ଆଜି ଏଡିଜେ-୩ କୋର୍ଟରେ ଅଭିଯୁକ୍ତ ବିଜେଡି କର୍ପୋରେଟର ମଳୟ ବିଷୋୟୀ,  ସୀମାଞ୍ଚଳ ନାହାକ ଓ ବିପିନ୍‌ ସ୍ୱାଇଁଙ୍କ ଡିସ୍‌ଚାର୍ଜ ପିଟିସନ୍‌ର ଶୁଣାଣି ଥିଲା ବୋଲି ସୂଚନା  ଦେଇଛନ୍ତି ତାଙ୍କ ଓକିଲ ଚକ୍ରପାଣି ନାହାକ । ଫାଇନାଲ୍‌ ଚାର୍ଜସିଟ୍‌ ଆସିବା ପରେ ଆଜି  ଶୁଣାଣି ହୋଇପାରିନି ଏବଂ ଆସନ୍ତା ୪ ତାରିଖରେ ଶୁଣାଣି ହେବ ।