ବ୍ରହ୍ମପୁର,୧୦/୦୬: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାର୍ଜଫ୍ରେମ୍ ହୋଇପାରୁନି । ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ଡିସ୍ଚାର୍ଜ ପିଟିସନ୍ ଶୁଣାଣି ସରି ନ ଥିବାରୁ ଚାର୍ଜଫ୍ରେମ୍ ହୋଇପାରୁ ନାହିଁ । ବ୍ରହ୍ମପୁର ଏଡିଜେ-୩ ବିବସ୍ୱତ ଗୌତମଙ୍କ କୋର୍ଟରେ ଆଜି ଏହି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଡିସ୍ଚାର୍ଜ ପିଟିସନ୍ର ଶୁଣାଣି ସରିଛି । ଅନ୍ୟ ଅଭିଯୁକ୍ତ ତଥା ରାଜେନ୍ଦ୍ର ସାହୁ, ଶିଶୁପାଳ ପାଶୱାନ ଓ କୁନ୍ଦନ କୁମାରଙ୍କ ଡିସ୍ଚାର୍ଜ ପିଟିସନ୍ରେ ଶୁଣାଣି ଆସନ୍ତା ୧୧ ତାରିଖରେ କରିବାକୁ କୋର୍ଟ ଧାର୍ଯ୍ୟ କରିଥିବା ସୂଚନା ଦେଇଛନ୍ତି ଆଇନଜୀବୀ ଚକ୍ରପାଣି ନାହାକ ।
ସେପଟେ ହାଇକୋର୍ଟରେ ଏପ୍ରିଲ୍ ୧୭ରେ ବିକ୍ରମ ପଣ୍ଡାଙ୍କ ଜାମିନ୍ ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରହିଛି । ପୀତବାସ ପଣ୍ଡା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ବିପିନ ସ୍ୱାଇଁ, ସୀମାଞ୍ଚଳ ନାୟକ, କାଳୁ ଚରଣ ଭୂୟାଁ, ଯୋଗେନ୍ଦ୍ର ରାଉତ ଓ ମଦନ ଦଳେଇ ମଧ୍ୟ ଡିସଚାର୍ଜ ପିଟିସନ୍ ଦେଇଛନ୍ତି । ସେପଟେ ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ) ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବାବେଳେ ଆଜି ତାହାର ଶୁଣାଣି ହୋଇଛି । କୋର୍ଟ ପୁଲିସକୁ ରିପୋର୍ଟ ମାଗିଛନ୍ତି । ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉମା ବିଷୋୟୀ, କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତ, ଏହି ମାମଲାରୁ ବାଦ୍ ଦେବାକୁ ଡିସ୍ଚାର୍ଜ ପିଟିସନ୍ ଦାଖଲ କରିଛନ୍ତି ।
ଅଧିକ ପଢ଼ନ୍ତୁ :- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ମଦନମୋହନଙ୍କ ଜାମିନ ଆବେଦନ ଖାରଜ
ଗତ ବର୍ଷ ଅକ୍ଟୋବର ୬ ତାରିଖ ସନ୍ଧ୍ୟାରେ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗର ଛକରେ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ । ପୀତବାସଙ୍କୁ ରାଜନୈତିକ ଏବଂ ବ୍ୟକ୍ତିଗତ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ଦର୍ଶାଇଥିଲା । ସେହି ମାମଲାରେ ପୁଲିସ ୧୬ ଜଣଙ୍କୁ ଗିରଫ କରିଛି ଏବଂ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ହୋଇସାରିଛି ।