କୋଲକାତା, ୨୬।୬: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରେ ୟୁସିସି ଲାଗୁ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ୍ତା ସୋମବାର ଅର୍ଥାତ୍ ଜୁନ୍ ୨୯, ୨୦୨୬ରେ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ପଶ୍ଚିମବଙ୍ଗ ବିଧାନସଭାରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ଆଗତ କରିପାରନ୍ତି । ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ କ୍ୟାବିନେଟ୍‌ ସହ ଜଡ଼ିତ ବରିଷ୍ଠ ଅଧିକାରୀମାନେ ଏହି ବିଷୟରେ ସ୍ପଷ୍ଟ କରିଛନ୍ତି । ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବାର ୬ ମାସ ମଧ୍ୟରେ ୟୁସିସି ବିଲ୍ ଆଣିବାକୁ ଦଳ ପ୍ରତିଶ୍ରୁତି ଦେଇଥିଲା । ତେବେ ବର୍ତ୍ତମାନର ସଦ୍ୟତମ ସୂଚନା ଅନୁସାରେ, ଦଳ ନିଜର ନିର୍ଦ୍ଧାରିତ ସମୟ ସୀମାଠାରୁ ବହୁ ପୂର୍ବରୁ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି ।

ରାଜ୍ୟ କ୍ୟାବିନେଟ୍ ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଗୁରୁବାର ସନ୍ଧ୍ୟାରେ ବିଧାନସଭାରେ ଅନୁଷ୍ଠିତ ବିଜନେସ୍ ଆଡଭାଇଜରୀ କମିଟି ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ପଶ୍ଚିମବଙ୍ଗର ଆଇନଗତ ଏବଂ ସାମାଜିକ ନୀତି କ୍ଷେତ୍ରରେ ଏହା ଏକ ଐତିହାସିକ ତଥା ସବୁଠାରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, କାରଣ ବିଜେପି ସମାନ ନାଗରିକ ସଂହିତାକୁ ଏକ ପ୍ରମୁଖ ସଂସ୍କାର ଭାବରେ ଉପସ୍ଥାପନ କରୁଛି ।

ଏହା ବି ପଢ଼ନ୍ତୁ... ​​​​​​​Jharkhand Road Accident: ରାମଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା; ଯାତ୍ରୀବାହୀ ଗାଡ଼ିକୁ ପିଟିଲା ଟ୍ରକ୍, ୭ ମୃତ

ଉଲ୍ଲେଖଯୋଗ୍ୟ ଯେ, ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ, ବେଙ୍ଗଲରେ କ୍ଷମତାକୁ ଆସିବାର ୬ ମାସ ମଧ୍ୟରେ ସମାନ ନାଗରିକ ସଂହିତା ଲାଗୁ କରାଯିବ । ଏହି ସମ୍ପର୍କରେ ଶୁଭେନ୍ଦୁ ସରକାରଙ୍କ ଜଣେ ମନ୍ତ୍ରୀ କହିଛନ୍ତି, "ଉତ୍ତରାଖଣ୍ଡ, ଗୁଜରାଟ, ଆସାମ, ମଧ୍ୟପ୍ରଦେଶ ଏବବଂ ମହାରାଷ୍ଟ୍ର ଭଳି ଅନେକ ରାଜ୍ୟ ପୂର୍ବରୁ ହିଁ ସମାନ ନାଗରିକ ସଂହିତା (ୟୁସିସି) ପ୍ରସ୍ତାବକୁ ଲାଗୁ କରିସାରିଛନ୍ତି । ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ବର୍ତ୍ତମାନ ପଶ୍ଚିମବଙ୍ଗ ମଧ୍ୟ ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକ ଭଳି ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବ ।"