ଭୁବନେଶ୍ୱ, ୧୭/୦୨: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମ୍‌ଏୱାଇ-ୟୁ) ରେ ରାଜ୍ୟରେ ୧.୮ ଲକ୍ଷ ବାସଗୃହ  ମଞ୍ଜୁର ହୋଇଥିଲା । ୨୦୨୩- ୨୪ରେ ପ୍ରାୟ ୧.୩ ଲକ୍ଷ ଘର ସମ୍ପୂର୍ଣ୍ଣ  ହୋଇଛି । ପିଏମ୍‌ଏୱାଇ ୨.୦ରେ ଏହି  ଧାରାକୁ ଆହୁରି ଦୃଢ଼ କରିବା ଲାଗି  ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।  ଏହି ଯୋଜନା ସହ ଆଉ ୫ ଲକ୍ଷ  ହିତାଧିକାରୀ ଯୋଡ଼ି ହେବେ ବୋଲି  ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ  କୁହାଯାଇଛି ।  

ଏହି ରିପୋର୍ଟ ମୁତାବକ, ଏବେ  ରାଜ୍ୟରେ ସହରୀକରଣ ଧାରା  ତ୍ୱରାନ୍ୱିତ ହୋଇଛି । ୨୦୨୧ରେ ଏହା  ୧୮.୫% ରହିଥିବା ବେଳେ ୨୦୩୬  ବେଳକୁ ୨୧.୧%କୁ ବଢ଼ିବ ବୋଲି  ଆକଳନ କରାଯାଇଛି । ଏହାକୁ  ନଜରରେ ରଖି ରାଜ୍ୟ ସରକାର  ବାସଗୃହ, ପାନୀୟ ଜଳ ଯୋଗାଣ,  ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା  ବ୍ୟବସ୍ଥାକୁ ମଧ୍ୟ ବ୍ୟବସ୍ଥିତ କରୁଛନ୍ତି । 

ସହରାଞ୍ଚଳରେ ୧୦୦% ପାନୀୟ  ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା  ଦିଆଯାଇଛି । ୧୦୯ ସହରାଞ୍ଚଳ  ସ୍ଥାନିୟ ନିକାୟ ସାର୍ବଜନୀନ ଲକ୍ଷ୍ୟ  ହାସଲ କରିବାକୁ ସକ୍ଷମ ହୋଇଛନ୍ତି ।  ଜଳସାଥୀ କାର୍ଯ୍ୟକ୍ରମ ଦ୍ୱାରା ୱାଟ୍‌କୋ  ଏବଂ ପିଏଚ୍‌ଇଓ ପାନିୟ ଜଳ ଯୋଗାଣ  ଦିଗରେ ଏବେ କାର୍ଯ୍ୟକ୍ରମ ଜାରି  ରଖିଛନ୍ତି । ସ୍ୱଚ୍ଛ ଏବଂ ନିରାପଦ ପାନୀୟ  ଜଳ ଯୋଗାଣ ଦିଗରେ ୨୦୨୩-୨୪ରେ  ୬୦,୬୫୮ ଜଳ ପରୀକ୍ଷଣ କରାଯାଇଛି । 

୧୨ ଏସ୍‌ଟିପି ଏବଂ ୧୧୨  ଏଫ୍‌ଏସ୍‌ଟିପି ଜରିଆରେ ଯଥାକ୍ରମେ  ୩୭୩.୫ ଏମ୍‌ଏଲ୍‌ଡି ଏବଂ ୦.୩  ଏମ୍‌ଏଲ୍‌ଡି ବର୍ଜ୍ୟବସ୍ତୁ ପରିଚାଳନା କରାଯାଇଛି । ସହରାଞ୍ଚଳ ପରିମଳ  ବ୍ୟବସ୍ଥାରେ ଆମ ସହର ଆପ୍ଲିକେସନ  ଦ୍ୱାରା ୫୯୮୫ ଏସ୍‌ଏଚ୍‌ଜି ମହିଳାଙ୍କୁ  କଠିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି  ନିୟୋଜିତ କରାଯାଇଛି । ଗରିମା ସ୍କିମ୍‌  ଦ୍ୱାରା କୋର ସାନିଟେସନ ୱାର୍କରଙ୍କୁ  ନିରାପତ୍ତା ତାଲିମ ଏବଂ ବିଭିନ୍ନ ଉପକରଣ ପ୍ରଦାନ କରାଯାଉଛି ।