ନୂଆଦିଲ୍ଲୀ,୧୭/୦୧: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଟ୍ରାକରେ ଦୌଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମାଲଦା ରେଳ ଷ୍ଟେସନରୁ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ହାୱଡାରୁ ଗୌହାଟୀ (କାମାକ୍ଷା) ମଧ୍ୟରେ ଚଳାଚଳ କରିବ । ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କରିବା ସହ ୩୨୫୦ କୋଟି ଟଙ୍କାର ରେଳ ଓ ସଡକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକ ଜନସଭାକୁ ସମ୍ଭୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଶ୍ଟିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ , କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ ।

ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆଜି ମାଲଦାରୁ ପଶ୍ଚିମବଙ୍ଗକୁ ପ୍ରଗତିକୁ ଗତି ଦେବାର ଅଭିଯାନ ଅଧିକ ଦ୍ରୁତ ହୋଇଛି । ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହୋଇଛି । ନୂଆ ରେଳ ସେବା ପଶ୍ଚିମବଙ୍ଗକୁ ମିଳିଛି । ଏହାଦ୍ୱାରା ଲୋକଙ୍କୁ ଯାତ୍ରା ସହଜ ହେବ । ବ୍ୟବସାୟ, କାରବାର ସହଜ ହେବ । ଟ୍ରେନ୍ ସୁବିଧା ବଙ୍ଗ ଯୁବଶକ୍ତିଙ୍କୁ ନୂଆ ଅବସର ଦେବ । ଆଜି ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ । ଏହା ମେଡ୍ ଇନ୍ ଇଣ୍ଡିଆ, ଏହା ଆମ ଭାରତୀୟଙ୍କ ଝାଳରେ ତିଆରି ହୋଇଛି । ଏହା ମା' କାଳୀଙ୍କ ଭୂମିକୁ ମା' କାମାକ୍ଷାଙ୍କ ଭୂମି ସହିତ ସଂଯୋଗ କରୁଛି । ଭବିଷ୍ୟତରେ,ଏହି ଆଧୁନିକ ଟ୍ରେନ୍ ସାରା ଦେଶରେ ବିସ୍ତାରିତ ହେବ। ଏହି ଆଧୁନିକ ସ୍ଲିପର୍ ଟ୍ରେନ୍ ପାଇଁ ବଙ୍ଗଳା, ଆସାମ ଏବଂ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଉଛି । ଆଜି, ବଙ୍ଗଳା ଆଉ ୪ଟି ଆଧୁନିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ପାଇଛି । ନୂଆ ଜଳପାଇଗୁଡ଼ି-ନାଗରକୋଇଲ୍ ଅମୃତ ଭାରତ ଏକ୍ସପ୍ରେସ୍, ନୂଆ ଜଳପାଇଗୁଡ଼ି-ତିରୁଚ୍ଚିରାପାଲି ଅମୃତ ଭାରତ ଏକ୍ସପ୍ରେସ୍,ଆଲିପୁରଦୁଆର-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ୍, ଆଲିପୁରଦୁଆର-ମୁମ୍ବାଇ ଅମୃତ ଭାରତ ଏକ୍ସପ୍ରେସ୍ । ଏହା ଦକ୍ଷିଣ ଏବଂ ପଶ୍ଚିମ ଭାରତ ସହିତ ବଙ୍ଗଳା, ବିଶେଷକରି ଉତ୍ତର ବଙ୍ଗଳାର ସଂଯୋଗକୁ ଆହୁରି ସୁଦୃଢ଼ ​​କରିବ । ''

 

ଅଧିକ ପଢନ୍ତୁ...ବନ୍ଦେ ଭାରତ ୪.୦; ୨୦୪୭ ସୁଦ୍ଧା ସାରା ଦେଶର ଚାଲିବ ୪,୫୦୦ ବନ୍ଦେ ଭାରତ, ଘଣ୍ଟା ପ୍ରତି ବେଗ ରହିବ ୩୫୦ କିମି