ନୂଆଦିଲ୍ଲୀ,୧୧/୦୬:‘ଅପରେସନ ସିନ୍ଦୂର’ ଏବଂ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ନେଇ ବିଦେଶକୁ ଜଣାଇ ଫେରି ଆସିଥିବା ସର୍ବଦଳୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବାସଭବନରେ ସାକ୍ଷାତ କରିଛନ୍ତି । ସେମାନଙ୍କ ସହ ଡିନର ବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜ ବିଦେଶ ଯାତ୍ରାର ଅନୁଭବ ସେୟାର କରିଛନ୍ତି । ୭ଟି ପ୍ରତିନିଧି ମଣ୍ଡଳୀର ମୋଟ ୫୯ ସଦସ୍ୟ ୩୩ ଦେଶ ଯାତ୍ରା କରିଥିଲେ । ଏମାନଙ୍କ ମଧ୍ୟରେ ୫୧ ନେତା ଓ ୮ ଜଣ ରାଷ୍ଟ୍ରଦୂତ ସାମିଲ ଥିଲେ ।
ପ୍ରତିନିଧିମାନେ ଆଜି ୭,ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ୭ ଜଣ ସାଂସଦ ଏହି ପ୍ରତିନିଧି ମଣ୍ଡଳୀଗୁଡ଼ିକର ନେତୃତ୍ୱ ନେଇଥିଲେ । ଏମାନଙ୍କ ମଧ୍ୟରେ ବିଜେପିର ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ପଣ୍ଡା, କଂଗ୍ରେସର ଶଶି ଥରୁର, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମ୍କେର କାନିମୋଝି କରୁଣାନିଧି, ଏନ୍ସିପି (ଏସ୍ପି)ର ସୁପ୍ରିୟା ସୁଲେ ଏବଂ ଶିବସେନା (ସିନ୍ଦେ ଗୋଷ୍ଠୀ)ର ଶ୍ରୀକାନ୍ତ ସିନ୍ଦେ ଅନ୍ତର୍ଭୁକ୍ତ । ଏହି ପ୍ରତିନିଧି ମଣ୍ଡଳୀଗୁଡ଼ିକ ଦୁନିଆକୁ ୫ଟି ପ୍ରମୁଖ ସନ୍ଦେଶ ଦେଇଛନ୍ତି । ଆତଙ୍କବାଦ ବିରୋଧରେ ଭାରତର ଶୂନ ସହନଶୀଳତା ନେଇ ସେମାନେ ବିଭିନ୍ନ ରାଷ୍ଟ୍ରଙ୍କୁ ଜଣାଇଛନ୍ତି ।
ସେ କହିଛନ୍ତି, ଭାରତର ଅପରେସନ ସିନ୍ଦୂରରେ ଆତଙ୍କୀ ସଙ୍ଗଠନ ଓ ସେମାନଙ୍କ ଶିବିରକୁ ହିଁ ଟାର୍ଗେଟ୍ କରାଯାଇଥିଲା । କିନ୍ତୁ ପାକିସ୍ତାନୀ ସେନା ଏହାକୁ ନିଜ ଉପରେ ଆକ୍ରମଣ ଭାବି ଭାରତ ଉପରେ ପାଲଟା ଆକ୍ରମଣ କରିଥିଲା । ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବାରୁ ପାକିସ୍ତାନ ଏଭଳି ପଦକ୍ଷେପ ନେଇଥିଲା । ଏହି ପରିପ୍ରେକ୍ଷୀରେ ଭାରତୀୟ ସାଂସଦମାନେ କିଛି ପ୍ରମାଣ ବି ଉପସ୍ଥାପନ କରିଥିଲେ । ସାଂସଦମାନେ ଜଣାଇଥିଲେ ଯେ ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାରେ ପାକିସ୍ତାନୀ ଆତଙ୍କୀଙ୍କ ସମ୍ପୃକ୍ତି ଥିଲା । ପାକ୍ ସମର୍ଥିତ ଆତଙ୍କୀ ସଙ୍ଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍) ହିଁ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଜବାବ ସ୍ୱରୂପ ଭାରତ ଅପରେସନ ସିନ୍ଦୂର ଚଳାଇଥିଲା । ପାକିସ୍ତାନର ପାଲଟା ଆକ୍ରମଣ ପରେ ବି ଭାରତୀୟ ସେନା ଦାୟିତ୍ୱପୂର୍ଣ୍ଣ ଏବଂ ସଂଯମତା ରକ୍ଷା କରି ହମଲା କରିଥିଲେ । ପାକିସ୍ତାନର କୌଣସି ନିର୍ଦ୍ଦୋଷ ନାଗରିକଙ୍କ ଜୀବନ ଯେମିତି ନ ଯାଏ, ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ପାକିସ୍ତାନ ଯେତେବେଳେ ଏହାକୁ ରୋକିବା ପାଇଁ ଯୁଦ୍ଧବିରତି ଅନୁରୋଧ କଲା, ଭାରତ ତାହାକୁ ସ୍ୱୀକାର କରିଥିଲା । ସଂସଦୀୟ ପ୍ରତିନିଧି ଟିମ୍ଗୁଡ଼ିକ ଆହୁରି ଜଣାଇଥିଲେ କି ଆତଙ୍କବାଦ ବିରୋଧରେ ଦେଶଗୁଡ଼ିକ ଏକାଠି ହେବା ଆବଶ୍ୟକ । ଭାରତ ଏ ନେଇ ଗ୍ରହଣ କରୁଥିବା କାର୍ଯ୍ୟାନୁଷ୍ଠାନରେ ସହଯୋଗ କରିବା ଜରୁରି । ଭାରତ ଓ ପାକିସ୍ତାନ ମଧ୍ୟରେ ହେଉଥିବା ବିବାଦକୁ ଆତଙ୍କବାଦ ବିରୋଧୀ ଯୁଦ୍ଧ ଭାବେ ଦେଖିବାକୁ ଅପିଲ୍ କରାଯାଇଥିଲା । ଆହୁରି କୁହାଯାଇଥିଲା କି ପାକିସ୍ତାନ ବିରୋଧରେ ଭାରତ ନିଜର ପରିବର୍ତ୍ତିତ ଦୃଷ୍ଟିକୋଣକୁ ଉଜାଗର କରିଦେଇଛି । ସୀମାରେ ଘଟୁଥିବା ଆତଙ୍କବାଦ କାର୍ଯ୍ୟକଳାପକୁ ନେଇ ଉଦାସୀନ ନ ହୋଇ ଏଣିକି ସକ୍ରିୟ ଆଭିମୁଖ୍ୟ ଆପଣାଇବା ଏବଂ ଆତଙ୍କୀଙ୍କୁ ଆଗୁଆ ନିଷ୍କ୍ରିୟ କରିଦେବା ପାଇଁ ଭାରତ ଦୃଢ଼ ନିଶ୍ଚିତ କରିଥିବା ସେମାନେ ଦର୍ଶାଇଥିଲେ ।
କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱାଧୀନ ଟିମ୍ ମଙ୍ଗଳବାର ଭାରତ ଫେରିଆସିଛି । ତାଙ୍କ ଟିମ୍ ଆମେରିକା, ପାନାମା, ଗୁୟାନା, ବ୍ରାଜିଲ ଓ କଲମ୍ବିଆ ଯାତ୍ରା କରିଥିଲା । ଶଶି ଥରୁର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମ ସହ କଥା ହୋଇ କହିଥିଲେ, ଯେଉଁ ୫ଟି ଦେଶକୁ ଆମେ ଯାଇଥିଲୁ, ସେଠାରେ ଆମକୁ ଭଲ ଭାବେ ସ୍ୱାଗତ କରାଯାଇଥିଲା । ଏହି ଦେଶଗୁଡ଼ିକର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ପହଲଗାମ୍ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର କାହିଁକ ଚଳାଇଲା, ତାହା ନେଇ ସେମାନଙ୍କୁ ଅବଗତ କରାଯାଇଥିଲା । ପାକିସ୍ତାନର ଅସଲ ମୁଖା ଖୋଲାଯାଇଥିଲା । ଥରୁର କହିଥିଲେ, କେନ୍ଦ୍ର ସରକାର ରାଜନୈତିକ ସୀମାଠାରୁ ଊଦ୍ଧ୍ୱର୍ରେ ରହି ଏକତାର ସନ୍ଦେଶ ଦେବା ପାଇଁ ସମସ୍ତ ଦଳର ସାଂସଦଙ୍କୁ ବିଦେଶ ପଠାଇଥିଲେ । ଆମକୁ ଯାହା କରିବାକୁ କୁହାଯାଇଥିଲା, ଆମେ ତାହା ହିଁ କରିଥିଲୁ । ଆମେ ବେଶ୍ ଖୁସି ମନରେ ସ୍ୱଦେଶ ଫେରିଆସିଛୁ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ନେଇ ସେ କହିଥିଲେ, ପ୍ରଧାନମନ୍ତ୍ରୀ ଆମକୁ ସାକ୍ଷାତ କରିବାକୁ ଚାହୁଁଥିବା ନେଇ ଆମେ ବେଶ୍ ଖୁସି । ତେବେ ଏହା କୌଣସି ଔପଚାରିକ ବୈଠକ ହେବନାହିଁ ।