ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ସୀତାମଢ଼ିରେ ଏକ ନିର୍ବାଚନୀ ରାଲିରେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି । ବେଗୁସରାଇରେ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ସହ ଏକ ବୈଠକ ସମୟରେ ରାହୁଲ ଗାନ୍ଧୀ ପୋଖରୀକୁ ଡେଇଁବା ସଂପର୍କରେ ମୋଦୀ କହିଛନ୍ତି ଯେ, କିଛି ବଡ଼ ଲୋକ ବିହାରରେ ପାଣିରେ ବୁଡ଼ି ‘ନିର୍ବାଚନରେ ବୁଢ଼ିବାକୁ ଅଭ୍ୟାସ କରୁଛନ୍ତି’। କିଛି ବଡ଼ ଲୋକ ଏବେ ବିହାରକୁ ମାଛ ଦେଖିବାକୁ ଏବଂ ପାଣିରେ ଗାଧୋଇବାକୁ ଆସୁଛନ୍ତି। ଏହା ସହ ସେମାନେ ବିହାର ନିର୍ବାଚନରେ ବୁଡ଼ିବା ପାଇଁ ଅଭ୍ୟାସ କରୁଛନ୍ତି ବୋଲି ମୋଦୀ କହିଛନ୍ତି ।
କିଛି ଦିନ ପୂର୍ବରୁ, ରାହୁଲ ଗାନ୍ଧୀ ବେଗୁସରାଇର ଏକ ପୋଖରୀରେ ମାଛ ଧରିବାକୁ ଚେଷ୍ଟା କରିଥିଲେ । ମତ୍ସ୍ୟଜୀବୀଙ୍କ ସହ ପାଣିରେ ପହଁରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ପୂର୍ବତନ ମନ୍ତ୍ରୀ ମୁକେଶ ସାହାଣୀ ମଧ୍ୟ ତାଙ୍କ ସହିତ ଥିଲେ ଏବଂ ସେ ପାଣିରେ ଜାଲ ପକାଇଥିଲେ । କହ୍ନୈୟା କୁମାର ଏବଂ ଅନେକ ମତ୍ସ୍ୟଜୀବୀ ମଧ୍ୟ ତାଙ୍କ ସହିତ ପୋଖରୀ ଭିତରେ ପଶିଥିଲେ । ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ବିହାରରେ ଆରଜେଡି ନେତୃତ୍ୱାଧୀନ ବିରୋଧୀ ଦଳକୁ ମଧ୍ୟ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେ, ‘ଯଦି ବିରୋଧୀ ଦଳ ସରକାର ଗଠନ କରେ, ତେବେ ସେମାନେ ‘କଟ୍ଟା’ (ବନ୍ଧୁକ) ଦେଖାଇ ଲୋକଙ୍କୁ ଭୟଭୀତ କରିବେ । ବିହାରକୁ ଏପରି ସରକାରର ଆବଶ୍ୟକତା ନାହିଁ ଯିଏ ବନ୍ଧୁକ, କୁଶାସନ, ନିଷ୍ଠୁରତା ଏବଂ ଦୁର୍ନୀତିରେ ପରିପୂର୍ଣ୍ଣ। ଲୋକେ କହୁଛନ୍ତି, ଆମେ କଟ୍ଟା (ବନ୍ଧୁକ) ସରକାର ଚାହୁଁନାହୁଁ, ଆମେ ଏନଡିଏ ସରକାର ଚାହୁଁଛୁ। ମୁଣ୍ଡରେ ବନ୍ଧୁକ ରଖି ‘ହ୍ୟାଣ୍ଡସ୍ ଅପ’କହୁଥିବା ସରକାର ନୁହେଁ, ବରଂ ଷ୍ଟାର୍ଟଅପ୍ ଦରକାର । ଏନଡିଏ 'କଟ୍ଟା'କୁ ପ୍ରୋତ୍ସାହିତ କରେ ନାହିଁ । ସ୍କୁଲ ବ୍ୟାଗ, କମ୍ପ୍ୟୁଟର, କ୍ରିକେଟ ବ୍ୟାଟ ଏବଂ ହକି ଷ୍ଟିକକୁ ପ୍ରୋତ୍ସାହିତ କରେ।’
ସୂଚନାଯୋଗ୍ୟ, ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦ୍ବିତୀୟ ପର୍ଯ୍ୟୟ ନିର୍ବାଚନ ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି। ନଭେମ୍ବର ୬ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୬୪.୬୯% ମତଦାନ ହୋଇଛି। ବିରୋଧୀ ଦଳ ଏହି ବୃଦ୍ଧି ପାଇଥିବା ଭୋଟ୍ ହାରକୁ ଏନଡିଏ ବିରୋଧରେ ଜନ ସମର୍ଥନ ଭାବରେ ଦେଖୁଛନ୍ତି। ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି ।