ପ୍ରଧାନମନ୍ତ୍ରୀ ମୋଦି କମ୍ ସମୟ ଶୋଇବା ଏକ ରୋଗ, ଡାକ୍ତରଙ୍କୁ ଦେଖାଇ ଔଷଧ ନିଅନ୍ତୁ: କେଜ୍ରିଓ୍ବାଲଙ୍କ କଟାକ୍ଷ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆମ୍ ଆଦମୀ ପାର୍ଟି (ଆପ୍)ର ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜୋରଦାର କରିଛନ୍ତି ପ୍ରହାର। ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ‘ମୋଦି ହଟାଅ’ ରାଲିକୁ ସମ୍ବୋଧିତ କରି କେଜ୍ରିଓ୍ବାଲ କହିଛନ୍ତି, ମୋଦିଙ୍କୁ ନିଦ ନଆସିବାର ରୋଗ ଅଛି। ତାଙ୍କୁ ଡାକ୍ତରଙ୍କୁ ଦେଖାଇବା ଦରକାର, ଔଷଧ ଖାଇବା ଉଚିତ। ନିଦ ନଆସିବା କାରଣରୁ ସେ ଚିଡଚିଡା ସ୍ବଭାବର ହୋଇଯାଇଛନ୍ତି ଓ ସମସ୍ତଙ୍କୁ ଜେଲ୍ରେ ପକାଇ ଦେଉଛନ୍ତି।
ଦିଲ୍ଲିରେ ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବାକୁ ନେଇ କିଛି ଲୋକଙ୍କୁ ଗିରଫ କରାଯିବା ନେଇ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଇଂରେଜମାନେ ମଧ୍ୟ ପୋଷ୍ଟର ଲଗାଇବା ପାଇଁ କାହାକୁ ଗିରଫ କରିନଥିଲେ। ସେ କହିଛନ୍ତି, ମୋଦି ଏତେ ଭୟଭୀତ ଓ ଅସୁରକ୍ଷିତ ମନେ କରୁଛନ୍ତି ଯେ, ପୋଷ୍ଟର ଲଗାଇଥିବା ଲୋକଙ୍କୁ ଜେଲରେ ପକାଉଛନ୍ତି। ମୋତେ ଜଣେ ବିଜେପି ନେତା କହିଥିଲେ, ମୋଦିଜୀ ୧୮ ଘଣ୍ଟା କାମ କରନ୍ତି। ସେ ଆମକୁ କହିଥିଲେ, ତିନି ଘଣ୍ଟା ମାତ୍ର ଶୁଅନ୍ତି। ତାଙ୍କୁ ଦୈବୀ ଶକ୍ତି ମିଳିଛି। ମୁଁ ତାଙ୍କୁ କହିଥିଲି ଏହା ଦୈବି ଶକ୍ତି ନୁହେଁ, ନିଦ ନହେବା ରୋଗ। ପ୍ରଧାନମନ୍ତ୍ରୀଙ୍କୁ କୁହ ସେ ଠିକ୍ରେ ନିଦରେ ଶୁଅନ୍ତୁ। ନିଦ ନଆସିଲେ ନିଦ ବଟିକା ନିଅନ୍ତୁ, କୌଣସି ଭଲ ଡାକ୍ତରଙ୍କୁ ଦେଖାନ୍ତୁ। ପ୍ରଧାନମନ୍ତ୍ରୀ ଠିକ୍ରେ ନଶୋଉଥିବାରୁ ଦିନ ସାରା ଚିଡଚିଡା ରୁହନ୍ତି। କେବେ ତାଙ୍କୁ ହସୁଥିବାର ଦେଖିନୁ। ଦିନ ସାରା ଚିଡଚିଡା ରୁହନ୍ତି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ପ୍ରଧାନମନ୍ତ୍ରୀ ସୁସ୍ଥ ରହିଲେ ଦେଶର ଉନ୍ନତି ହେବ।’