ନୂଆଦିଲ୍ଲୀ, ୧୦/୦୬ : ସ୍ୱାଧୀନ ଭାରତରେ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦେଶର ସବୁଠୁ ଲମ୍ବା କାର୍ଯ୍ୟକାଳ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ବିବେଚିତ ହୋଇଛନ୍ତି । ୨୦୨୪ ଜୁନ ୯ରେ ମୋଦି ଏନ୍‌ଡିଏର ତୃତୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କ ସରକାରକୁ ୧୨ ବର୍ଷ ପୂରଣ ହୋଇଛି । ମୋଦି ୨୦୧୪ ମେ ୨୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଥିଲେ ଏବଂ ଆଜି ଅର୍ଥାତ ୨୦୨୬ ଜୁନ ୧୦ ସୁଦ୍ଧା ତାଙ୍କ କାର୍ଯ୍ୟକାଳର ୪,୩୯୯ ଦିନ ପୂରଣ ହୋଇଛି ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ପ୍ରଥମ ଥର ପାଇଁ ୧୯୫୨ ମେ ୧୩ରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେ ଲଗାତର ୪୩୯୮ ଦିନ ବା ୧୨ ବର୍ଷ ୧୪ ଦିନ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ରହିଥିଲେ । ମଙ୍ଗଳବାର ମୋଦି ତାଙ୍କର ଏହି ରେକର୍ଡର ସମକକ୍ଷ ହୋଇଥିଲେ । ଆଜି ୪,୩୯୯ ଦିନ ପୂରଣ କରି ସେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି । ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ୧୨ ବର୍ଷ ୧୫ ଦିନ ପୂରଣ କରିଛନ୍ତି । ନେହରୁ ୧୯୪୭ ଅଗଷ୍ଟ ୧୫ରେ ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ପ୍ରଥମ ଲୋକସଭା ନିର୍ବାଚନ ପରେ ସେ ୧୯୫୨ ମେ ୧୩ରେ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଥିଲେ । ୧୯୬୪ ମେ ୨୭ରେ ଦେହାନ୍ତ ପର୍ଯ୍ୟନ୍ତ ନେହରୁ ପ୍ରଧାନମନ୍ତ୍ରୀ ରହିଥିଲେ ।

ଆହୁରି ପଢନ୍ତୁ- Fortune India : କୋହଲି ଭାରତର ସବୁଠୁ ମହଙ୍ଗା ସେଲିବ୍ରିଟି, ବ୍ରାଣ୍ଡ ଭାଲ୍ୟୁ ୩୫୪୨ କୋଟି, ଦ୍ଵିତୀୟରେ ଶାହରୁଖ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି।

ମୋଦି ଦେଶର ସବୁଠୁ ଲମ୍ବା ଅବଧିର ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ଏବଂ ତାଙ୍କ ସରକାରଙ୍କ ୧୨ ବର୍ଷ ପୂରଣ ହେବା ପରିପ୍ରେକ୍ଷୀରେ ବୁଧବାର ଏନ୍‌ଡିଏ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି । ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅପରାହ୍ନ ୩ଟାରୁ ୯ଟା ପର୍ଯ୍ୟନ୍ତ ହେବାକୁ ଥିବା ବୈଠକରେ ଏନ୍‌ଡିଏ ସହଯୋଗୀ ଦଳର ନେତା ସାମିଲ ହେବେ । ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଯୋଗଦେବେ । ସୂତ୍ର ମୁତାବକ, ବୈଠକରେ ଏକ ପ୍ରସ୍ତାବ ପାରିତ କରାଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଐତିହାସିକ ଉପଲବ୍ଧି ପାଇଁ ବଧେଇ ଦିଆଯିବ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏ ନେଇ ଏକ ପ୍ରସ୍ତାବ ରଖିବେ । ଏନ୍‌ଡିଏ ସହଯୋଗୀ ଦଳର ନେତାମାନେ ପ୍ରସ୍ତାବକୁ ସମର୍ଥନ ଜଣାଇବେ । ପ୍ରଧାନମନ୍ତ୍ରୀଙ୍କ ବିଗତ ୧୨ ବର୍ଷର ଉପଲବ୍ଧି ବାବଦରେ ଚର୍ଚ୍ଚା ହେବ । ଆସାମ ଓ ପଶ୍ଚିମବଙ୍ଗରେ ଏନ୍‌ଡିଏର ନିର୍ଣ୍ଣାୟକ ବିଜୟ ପରେ ଏନ୍‌ଡିଏର ଏହି ପ୍ରଥମ ବୈଠକ ବସୁଛି । ତା’ଛଡ଼ା ଟିଏମ୍‌ସିରେ ଅନିଶ୍ଚିତତା ଲାଗି ରହିବା ଏବଂ ନୂଆଦିଲ୍ଲୀରେ ବିରୋଧୀଙ୍କ ‘ଇଣ୍ଡି’ ମେଣ୍ଟର ସଦ୍ୟ ବୈଠକ ଭଳି ରାଜନୈତିକ ପରିବର୍ତ୍ତନ ମଧ୍ୟରେ ଏନ୍‌ଡିଏ ନିଜ ଆଗାମୀ ରଣନୀତି ପ୍ରସ୍ତୁତ କରିବା ନେଇ ଆଶା କରାଯାଉଛି।

ଓଡ଼ିଶାରେ ମୋଦି ସରକାର ୩.୦ର ୨ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ, କେନ୍ଦ୍ର ଆଇନମନ୍ତ୍ରୀଙ୍କ ଉଦ୍ବୋଧନ