ନୂଆଦିଲ୍ଲୀ,୨୫/୦୭: ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ପାରା ଶକ୍ତିଉତ୍ତୋଳନରେ ଭାରତର ଝଣ୍ଡୁ କୁମାର ଦେଶ ପାଇଁ ପ୍ରଥମ ପଦକ ଜିତିଛନ୍ତି । ସେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ହାସଲ କରିଛନ୍ତି । ନାଇଜେରିଆର ରିଲୁୱାନ ଇଦ୍ରିସ୍ ତାଙ୍କ ଶେଷ ପ୍ରୟାସରେ ୨୧୨ କିଲୋଗ୍ରାମ ଉଠାଇବାରେ ବିଫଳ ହେବା ପରେ ଝଣ୍ଡୁ କୁମାରଙ୍କ ପଦକ ନିଶ୍ଚିତ ହୋଇଥିଲା, ଯାହା ଭାରତର ପ୍ରଥମ ପଦକ । ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଖାତା ଖୋଲିବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଲା ନାହିଁ । ବିହାରର ୨୯ ବର୍ଷୀୟ ଝାଣ୍ଡୁ କୁମାର, ଯିଏ ପୂର୍ବରୁ ଇ-ରିକ୍ସା ଚଲାଉଥିଲେ ସେ ଆଜି ପଦକ ଭେଟି ଦେଇଛନ୍ତି । ଅଶୋକ କୁମାର ମଲ୍ଲିକ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ । ଦ୍ୱିତୀୟ ଦିବସରେ ଜିମ୍ନାଷ୍ଟିକ୍, ପାରା ଶକ୍ତିଉତ୍ତୋଳନ ଓ ସନ୍ତରଣରେ ମୋଟ୍ ୧୪ଟି ଇଭେଣ୍ଟରେ ପଦକ ପ୍ରତିଦ୍ୱନ୍ଦ୍ୱିତା ରହିଥିଲା । ଅଷ୍ଟ୍ରେଲିଆ ସର୍ବାଧିକ ୪ଟି ସ୍ୱର୍ଣ୍ଣ ସହ ମୋଟ୍ ୧୦ଟି ପଦକ ଜିତିଛି ।
ଭାରତ ଗୋଟିଏ ବ୍ରୋଞ୍ଜ ସହ ପଦକ ତାଲିକାରେ ନବମ ସ୍ଥାନରେ ରହିଛି । ପାରା ଶକ୍ତିଉତ୍ତୋଳନ ପୁରୁଷ ହେଭିୱେଟ ବର୍ଗରେ ୧୯୦ କିଲୋ ଉତ୍ତୋଳନ କରି ମୋଟ୍ ୧୩୦.୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ । ନାଇଜେରିଆର ରିଲୁୱାନ ଇଡରିସ (୨୦୮ କିଲୋ) ୧୩୨.୮ ପଏଣ୍ଟ ସହ ସ୍ୱର୍ଣ୍ଣ ଏବଂ ଇଂଲଣ୍ଡର ମାଥ୍ୟୁ ହାର୍ଡିଂ (୧୯୯ କିଲୋ) ୧୩୧.୦ ପଏଣ୍ଟ ସହ ରୌପ୍ୟ ଜିତିଥିଲେ । ଅନ୍ୟତମ ଭାରତୀୟ ସୁଧୀର (୧୮୩ କିଲୋ) ୧୧୪.୧ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ । ସେମିତି ପାରା ପୁରୁଷ ଲାଇଟୱେଟରେ ଇଂଲଣ୍ଡର ମାର୍କ ସ୍ୱାନ ସ୍ୱର୍ଣ୍ଣ (୨୨୨ କିଲୋ ଉତ୍ତୋଳନ କରିଥିଲେ), ନାଇଜେରିଆର ରୋଲାଣ୍ଡ ଇଜୁରୁଇକେ (୧୮୫ କିଲୋ) ରୌପ୍ୟ ଏବଂ ବୁନିଏ ଗଷ୍ଟିନ (୨୨୦ କିଲୋ) ବ୍ରୋଞ୍ଜ ପଦକ ଜିତିଥିଲେ । ଅଶୋକ (୨୦୦ କିଲୋ) ଚତୁର୍ଥ ସ୍ଥାନରେ ରହିଥିଲେ । ଏହି ପ୍ରତିଯୋଗିତାରେ ଦ୍ୱିତୀୟ ଭାରତୀୟ ଭାବେ ପରମଜିତ କୁମାର ସପ୍ତମ ସ୍ଥାନରେ ରହିଥିଲେ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱାନ ହିଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଲାଭ କରିଥିଲେ । ମହିଳା ଲାଇଟୱେଟ ବର୍ଗରେ ନାଇଜେରିଆର ଏସ୍ତର ଏୱର୍ଗୁ ସ୍ୱର୍ଣ୍ଣ, ଏସ୍ତା ଓୟେମା ରୌପ୍ୟ ଓ ଇଂଲଣ୍ଡର ଓଲିଭିଆ ବ୍ରୁମେ ବ୍ରୋଞ୍ଜ ପଦକ ଜିତିଥିଲେ ।
ଏହା ବି ପଢନ୍ତୁ...Sachin Tendulkar: 'ବିଫଳତା ଠିକ୍ ଅଛି, କିନ୍ତୁ ଚିଟିଂ ଆଉ ସର୍ଟକଟ୍ କେବେ ନୁହେଁ'; ଛାତ୍ର ଆନ୍ଦୋଳନକୁ ନେଇ କହିଲେ ସଚିନ୍
ଲନ ବଲ ପ୍ରଥମ ମ୍ୟାଚରେ ମାଲଟାକୁ ପରାଜିତ କରିଥିବା ଭାରତୀୟ ମହିଳା ଯୋଡ଼ି ରୁପା ରାଣୀ ତିର୍କୀ ଓ ପିଙ୍କି ସିଂ ଦ୍ୱିତୀୟ ମ୍ୟାଚରେ ମଧ୍ୟ ବିଜୟୀ ହୋଇଥିଲେ । ଏହି ଯୋଡ଼ି ୨-୦ (୬-୪, ୭-୫) ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଥିଲେ । ଏହି ବିଜୟ ସହ ସେମାନେ ଗ୍ରୁପ୍ ବି’ରେ ଶୀର୍ଷ ସ୍ଥାନରେ ରହିଛନ୍ତି ।
ସନ୍ତରଣ ଶ୍ରୀହରି ନଟରାଜ ପୁରୁଷ ୫୦ ମିଟର ବ୍ୟାକଷ୍ଟ୍ରୋକ ହିଟ୍ରେ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ହିଟ୍ରେ ୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେ ୨୫.୫୨ ସେକେଣ୍ଡ ସହ ୧୪ତମ ସ୍ଥାନରେ ରହିଥିଲେ । କିନ୍ତୁ ସେମି ଫାଇନାଲ ହିଟ୍ରେ ସପ୍ତମ ସ୍ଥାନରେ ରହି ଫାଇନାଲରୁ ବଞ୍ଚିତ ହୋଇଥିଲେ ।
ପାରା ସନ୍ତରଣ ୧୦୦ ମିଟର ପୁରୁଷ ଫ୍ରୀଷ୍ଟାଇଲରେ ଆରଭିଭିବିକେ ବୁଦିଜିନା ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି । ସେ ୫୭.୫୭ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରିଥିଲେ । ଦକ୍ଷିଣ ଆଫ୍ରିକାର ନାଥାନ ହେଡ୍ରିକ୍ସ (୫୪.୫୪ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ବକ୍ସିଂ ପୁରୁଷ ୫୫ କିଲୋ ଓଜନ ବର୍ଗରେ ଯଦୁମଣି ସିଂ ୫-୦ରେ ସ୍କଟଲାଣ୍ଡର ଆରୋନ କୁଲେନଙ୍କୁ ପରାଜିତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।