ନୂଆଦିଲ୍ଲୀ – ପଶ୍ଚିମ ଏସିଆରେ ଜାରି ସଙ୍କଟକୁ ନେଇ କେନ୍ଦ୍ର ସରକାର ଲଗାତାର ଆଲର୍ଟ ମୋଡରେ ରହିଛନ୍ତି। ବାରମ୍ୱାର ବଦଳୁଥିବା ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ପେଟ୍ରୋଲିୟମ , ଅଶୋଧିତ ତୈଳ , ଗ୍ୟାସ୍ , ବିଦ୍ୟୁତ୍ ଓ ଫର୍ଟିଲାଇଜର ସେକ୍ଟର ସହ ଜଡ଼ିତ ସ୍ଥିତିର ସମୀକ୍ଷା କରିବା। ଏହା ବ୍ୟତୀତ ଅଧିକାରୀଙ୍କୁ ସାରାଦେଶରେ ଏହି ଜରୁରୀ ଜିନିଷର ସହଜ ଯୋଗାଣରେ ବିଶେଷ ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସରକାରୀ ସୂତ୍ରାନୁସାରେ , ସରକାର ସାରା ଦେଶରେ ଶକ୍ତି ସପ୍ଲାଇ ସୁରକ୍ଷିତ କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଉଛନ୍ତି। ପିଏମଙ୍କ ଠାରୁ ନେଇ ବରିଷ୍ଠ ଅଧିକାରୀ ସମସ୍ତେ ଏହି ମାମଲାରେ ନିରନ୍ତର ନଜର ରଖିଛନ୍ତି। ଦେଶରେ ଗ୍ୟାସ୍ ଓ ତୈଳର ଯୋଗାଣ ନିରନ୍ତର ଜାରି ର, ଏହା ମାମଲାରେ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନର ରାଷ୍ଟ୍ରପତିଙ୍କ ସହ ମଧ୍ୟ କଥା ହୋଇଥିଲେ।ଏହି କଥାବାର୍ତ୍ତା ବେଳେ ଉଭୟ ନେତା ଶାନ୍ତି , ସୁରକ୍ଷା ଓ ମୁକ୍ତ ବାଣିଜ୍ୟକୁ ନେଇ ଆଲୋଚନା କରିଥିଲେ।
ଆହୁରି ମଧ୍ୟ ପଢନ୍ତୁ : ଇରାନ ସଙ୍କଟ ମଧ୍ୟରେ ପାକିସ୍ତାନକୁ ପ୍ରତିରକ୍ଷା ଚୁକ୍ତି ମନେପକାଇଲା ସାଉଦୀ ଆରବ
ପ୍ରଧାନମନ୍ତ୍ରୀ ମୋଦି ଏହି କଥାବାର୍ତ୍ତା ବେଳେ ଉପସାଗରୀୟ ଅଞ୍ଚଳର ଗୁରୁତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଥିଲେ। ସେ କହିଥିଲେ ଯେ, ଏମିତି କାର୍ଯ୍ୟାନୁଷ୍ଠାନ ଆଞ୍ଚଳିକ ସ୍ଥିରତା ପାଇଁ ବଡ଼ ବିପଦ ଓ ବିଶ୍ୱ ସପ୍ଲାଇ ଶୃଙ୍ଖଳାକୁ ମଧ୍ୟ ପ୍ରଭାବିତ କରିଥାଏ। ଏହି ଯୁଦ୍ଧ ବେଳେ ଉଭୟ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ଏହା ଦ୍ୱିତୀୟ କଥାବାର୍ତ୍ତା ଥିଲା। ଏହା ପୂର୍ବରୁ ହୋଇଥିବା କଥାବାର୍ତ୍ତା ପରେ ଇରାନ ଭାରତର ଦୁଇଟି ଜାହାଜକୁ ହୋର୍ମୁଜରୁ ସୁରକ୍ଷିତ ବାହାରିବାରେ ସାହାଯ୍ୟ କରିଥିଲା।