ସରକାରୀ କ୍ୱାର୍ଟରରେ ଗଞ୍ଜେଇ ରଖିବା ଅଭିଯୋଗରେ ଫାଣ୍ଡି ଅଧିକାରୀ ଗିରଫ

ବୌଦ୍ଧ,୨୫/୧ (ଆପ୍ର) : ଗଞ୍ଜେଇ ଚାଲାଣକାରୀଙ୍କୁ ଧରି ଛାଡିଦେବା ଓ ସରକାରୀ କ୍ୱାର୍ଟରେ ଗଞ୍ଜେଇ ରଖିବା ଅଭିଯୋଗରେ ବଘିଆପଡା ଫାଣ୍ଡି ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଗତ ୧୬ ତାରିଖରେ ବଡଗୋଛାପଡା ଗ୍ରାମର ଚନ୍ଦନ ପ୍ରଧାନ ଓ ସରଜିତ ମଲିକ ଏକ ମଟର ସାଇକେଲରେ ଗଂଜେଇ ଧରି ଆସୁଥିବା ବେଳେ ବଘିଆପଡା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, ଦୁଇ କନେଷ୍ଟବଳ ସଂଜିବ କୁମାର ପ୍ରଧାନ ଓ କେଶବ ପ୍ରଧାନ ସେମାନଙ୍କୁ ଧରିଥିଲେ। ଗଂଜେଇ ଓ ମଟର ସାଇକେଲକୁ ରଖି ଅଭିଯୁକ୍ତ ମାନଙ୍କୁ ଛାଡି ଦେବା ସହ ଗଂଜେଇ ଓ ମଟର ସାଇକେଲକୁ ସରକାରୀ କ୍ୱାର୍ଟରରେ ରଖିଥିଲେ । ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏହି ଘଟଣା ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଳାଦ ସହାୟ ମିନା ଜାଣିବା ପରେ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାଜିଷ୍ଟେଟଙ୍କ ଉପସ୍ଥିତିରେ ପୁଲିସ କର୍ମଚାରୀଙ୍କ ସରକାରୀ କ୍ୱାର୍ଟର ରୁ ଦୁଇଟି ବ୍ୟାଗରେ ଥିବା ୧୩ କିଲୋ ଗଂଜେଇ ସହ ଏକ ମଟରସାଇକେଲ ଜବତ କରିଥିଲେ ।
ଏନେଇ ବୌଦ୍ଧ ଥାନା ଅଧିକାରୀ ଏକ ମାମଲା ବୌଦ୍ଧ ଥାନାରେ ରୁଜ କରିଥିଲେ । ଏହି ଘଟଣାରେ ଗତ ଗୁରୁବାର ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଫାଣ୍ଡି ଅଧିକାରୀ ଓ ଦୁଇ କନେଷ୍ଠବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ନିଲମ୍ବିତର ୬ ଦିନ ରେ ବୁଧବାର ଏହି ଗଂଜେଇ ମାମଲାରେ ଫାଣ୍ଡି ଅଧିକାରୀ ସନାତନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ପଚାରିବାରୁ ଏହି ଗଂଜେଇ ମାମଲାରେ ଗିରଫ କରି ଫାଣ୍ଡି ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ ।