ଫୁଲବାଣୀ, ୨୭।୨: ଶୁକ୍ରବାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଜଣେ କନଷ୍ଟେବଳଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଦୁଇ ଜଣ ଯୁବକ ଛୁରୀରେ ଆକ୍ରମଣ କରିବା ଫଳରେ କନଷ୍ଟେବଳ ଜଣକ ଗୁରୁତର ହୋଇଛନ୍ତି । ଏପଟେ ଦୁଇ ଦୁର୍ବୁତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ଟା ବେଳେ କନଷ୍ଟେବଳ ମନୋରଞ୍ଜନ ସାବତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଥିବା ପରିବା ଦୋକାନ ପାଖରେଠିଆ ହୋଇଥିବା ବେଳେ ଦୁଇଜଣ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଶରୀରର ବିଭିନ୍ନ ସ୍ଥାନରେ ଛୁରୀରେ ଆଘାତ କରିବା ସହିତ ତଳେ ପକାଇ ଠେଙ୍ଗାରେ ପିଟିଥିଲେ । ପାଖରେ ଥିବା କିଛି ଲୋକ ଏହା ଦେଖିପାରି ଦୁଇ ଯୁବକଙ୍କୁ ଅଟାକାଇ ଥିଲେ । ସେମାନଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ ଏବଂ ଗୁରୁତର କନଷ୍ଟେବଳଙ୍କୁ ଆଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଟାଉନ ପୁଲିସ ପହଞ୍ଚି ଦୁର୍ବୁତ୍ତମାନଙ୍କୁ ଡାକ୍ତରଖାନା ଆଣିଥିଲା ।
ଏହା ବି ପଢ଼ନ୍ତୁ... ପଟ୍ଟା ସଂଶୋଧନ ପାଇଁ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ
ଆକ୍ରମଣକାରୀ ମାନେ ସାଲୁଙ୍କୀ ସାହିର ୨୮ ବର୍ଷୀୟ ସନ୍ତୋଷ ସ୍ୱାଇଁ ଓ ୨୫ ବର୍ଷୀୟ ଅଞ୍ଜନ ପ୍ରଧାନ ବୋଲି ଜଣାପଡ଼ିଛି । ଆହତ ମନୋରଞ୍ଜନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ ଚାଲିଥିବା ଟାଉନ ଥାନା ଏସଆଇ ସରୋଜ କୁମାର ସାହୁ କହିଛନ୍ତି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦିନ ଦ୍ୱିପ୍ରହରେ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।