ଭୁବନେଶ୍ବର ୨୯/୧୨: ବହୁ ଚର୍ଚ୍ଚିତ ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ। ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ। କୋର୍ଟରେ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରାଯାଇଛି। କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ଦଲାଲ ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ , ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତିଶ କୁମାର ସମେତ ୧୬ଜଣଙ୍କ ନାଁରେ ଚାର୍ଜସିଟ୍ ରହିଛି। ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କେନ୍ଦ୍ରୟ ତନ୍ତକାରୀ ଏଜେନ୍ସି। ଏବେ ବି ତଦନ୍ତ ଚାଲିଛି, ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଚାର୍ଜସିଟ୍ରେ ସିବିଆଇ ଦର୍ଶାଇଥିବା ଜଣାପଡ଼ିଛି।
ଉଲ୍ଲେଖ ଯୋଗ୍ୟ ଯେ, ଏସ୍ଆଇ ଜାଲିଆତିର ମାଷ୍ଟରମାଇଣ୍ଡ ହିଞ୍ଜିଳି ବ୍ରାହ୍ମଣଛାଇ ଅଞ୍ଚଳର ଶଙ୍କର ପୃଷ୍ଟି । ଶଙ୍କରର ବହୁ ବରିଷ୍ଠ ଅଧିକାରୀ, ନେତା, ମନ୍ତ୍ରୀ ଓ ପୁଲିସ ଅଧିକାରୀଙ୍କ ସହ ସଂପର୍କ ରହିଛି । ଶଙ୍କରର ଦୁଇଟି କମ୍ପାନି ଥିଲା । ଗୋଟିଏ ପାନ୍ସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ ଓ ଅନ୍ୟଟି କେଦାରନାଥ ଟେକ୍ନୋଲୋଜିସ୍ । ଏସ୍ଆଇ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିଲା ପାନ୍ସଫ୍ଟ । ଶଙ୍କରର ଅତି ଖାସ୍ ଥିଲା ମୁନା ମହାନ୍ତି ।ବିଭିନ୍ନ ପର୍ଯ୍ୟାୟରେ ୩ ଶହରୁ ଅଧିକ ପରୀକ୍ଷାର୍ଥୀଙ୍କୁ ନେଇ ଆନ୍ଧ୍ରପ୍ରଦେଶରେ ଲିଖିତ ପରୀକ୍ଷା ପାଇଁ ତାଲିମ୍ ପାଇଁ ଯୋଜନା ହୋଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏମାନେ ସଫଳ ହୋଇଥିଲେ । ତୃତୀୟ ପର୍ଯ୍ୟାୟରେ ୧୧୪ ପରୀକ୍ଷାର୍ଥୀ ଆନ୍ଧ୍ରପ୍ରଦେଶ ଯାଉଥିଲା ବେଳେ ବ୍ରହ୍ମପୁର ପୁଲିସ୍ ଗିରଫ କରିଥିଲା । ଏଥି ସହ ୬ ଜଣ ଦଲାଲ୍ ମଧ୍ୟ ଗିରଫ ହୋଇଥିଲା । ଏହି ସମୟରେ ଜଣାପଡିଥିଲା ସବୁ ପରୀକ୍ଷାର୍ଥୀଙ୍କୁ ମୁନା ଯୋଗାଡ଼ କରିଥିଲା । ପ୍ରତି ପରୀକ୍ଷାର୍ଥୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ନେବାକୁ ଡିଲ୍ ହୋଇଥିଲା । ଅଗ୍ରୀମ ଆକାରରେ ୫ରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମୁନା ଆଦାୟ କରିଥିଲା । ପରୀକ୍ଷାର୍ଥୀ ଓ ଦଲାଲ୍ ଗିରଫ ହେବା ପରେ ଶଙ୍କର ଓ ମୁନା ସମେତ ୯ ଜଣ ଅଭିଯୁକ୍ତକୁ ବାନ୍ଧିଥିଲା କ୍ରାଇମ୍ବ୍ରାଞ୍ଚ। ପରବର୍ତ୍ତୀ ସମୟରେ ସିବିଆଇ ହାତକୁ ତଦନ୍ତ ଭାରି ଯାଇଥିଲା। ସିବିଆଇ ଟିମ୍ ଖୋଳତାଡ କରି ବିଭିନ୍ନ ସ୍ଥାନରୁ ୭ ଅଭିଯୁକ୍ତ ଗିରଫ କରିଥିଲା ।