ଭୁବନେଶ୍ୱର,୦୭/୧୨: ଦେଶ ଓ ରାଜ୍ୟର ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷ, ସଂସ୍ଥା କିମ୍ବା ଦଳ ମାନସିକ ଦାରିଦ୍ର୍ୟରୁ ମୁକ୍ତ ନହେଲେ ନେତୃତ୍ୱ ସମାଜକୁ ସଠିକ୍ ଦିଗଦର୍ଶନ ଦେଇପାରିବ ନାହିଁ। ବର୍ତ୍ତମାନ ସମୟ ମାନସିକ ଦାରିଦ୍ର୍ୟରୁ ମୁକ୍ତ ହେବାର ପ୍ରକୃଷ୍ଟ ସମୟ ବୋଲି ଡକ୍ଟର ଅରୁଣ କୁମାର ସାହୁ କହିଛନ୍ତି । ସ୍ଥାନୀୟ ବୁଦ୍ଧ ମନ୍ଦିରରେ ସାମାଜିକ ନ୍ୟାୟ ସାମ୍ମୁଖ୍ୟ ଅନୁକୂଲ୍ୟରେ ଅନୁଷ୍ଠିତ 'ଆମେ କେଉଁଠି, ଅତୀତ, ବର୍ତମାନ ଓ ଭବିଷ୍ୟତ” ଶୀର୍ଷକ ଆଲୋଚନାରେ ବକ୍ତବ୍ୟ ରଖି ଶ୍ରୀସାହୁ ଏହା କହିଥିଲେ ।
ନିଜ ବକ୍ତବ୍ୟରେ ଶ୍ରୀସାହୁ ସାମ୍ପ୍ରତିକ ସ୍ଥିତିର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବିଷୟରେ ଏକାଧିକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଡକ୍ଟର ଅରୁଣ ସାହୁ କହିଥିଲେ ଯେ, 'ରାଜନୀତି ଏକ ଉଚ୍ଚ ହୃଦୟବତି। ରାଜନୀତି ସବୁ ନିୟନ୍ତ୍ରଣ କରେ । କେତେକ ଭାବନ୍ତି, ରାଜନୀତିରୁ ସେମାନେ ଦୂରରେ । ହେଲେ ରାଜନୀତି ପରୋକ୍ଷ ଓ ପ୍ରତ୍ୟକ୍ଷରେ ସମାଜର ସବୁ ଜିନିଷ ନିୟନ୍ତ୍ରଣ କରିଥାଏ । ତେଣୁ ଜନଗଣ ଅଜ୍ଞାନତା ହିଁ ଭ୍ରଷ୍ଟ ରାଜନେତାଙ୍କ ଶକ୍ତି ହୋଇଛି । ବ୍ୟବସ୍ଥା ଏପରି ହୋଇଗଲାଣି ଭଲ ଲୋକ ଆଉ ନିର୍ବାଚିତ ହୋଇ ପାରୁନାହାନ୍ତି । ସରକାରୀ ଅଫିସର ଚରିତ୍ର ବଦଳିଗଲାଣି । ଯିଏ ଭୋଟ ଦିଏ ସିଏ ଜାଣିନି, ତା’ ଭୋଟର ମୂଲ୍ୟ କେତେ? ଅନୁରୂପ ଭାବେ ଯିଏ ଭୋଟ ପାଉଛି – ସେ ଜାଣୁ ନାହିଁ ଭୋଟର ମୂଲ୍ୟ କ’ଣ ? ରାଜନୈତିକ ନେତୃତ୍ୱ ଆଜି ଆତ୍ମକୈନ୍ଦ୍ରିକ ହୋଇଯାଇଛି ବୋଲି ଶ୍ରୀସାହୁ କହିଥିଲେ ।