ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବିଦାୟୀ ୨୦୨୪ର ମେଣ୍ଟ ମ୍ୟାଜିକ୍: ୪ଶହ ପାର୍ ଆଶା ଅଧୁରା, ହେଲେ ଗାଦିରେ ବସିଲା ବିଜେପି

Published By : Prameya | December 16, 2024 11:11 AM

ଭୁବନେଶ୍ୱର ୧୬/୧୨(ରଞ୍ଜନ ସାହୁ, ହେମନ୍ତ ପରିଡ଼ା, ମାନସୀ ଶୁକ୍ଳା, ଭାଗ୍ୟଶ୍ରୀ ସାହୁ): ବିଦାୟୀ ୨୦୨୪ ଥିଲା ରାଜନୀତିର ବର୍ଷ । ସାଧାରଣ ନିର୍ବାଚନକୁ ନେଇ ପ୍ରଚାର ଅଭିଯାନରେ  କମ୍ପିଥିଲା ଦେଶ । ଜନାଦେଶ ନିଜ ପକ୍ଷକୁ ନେବା ପାଇଁ  ଦଳଗୁଡ଼ିକ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ବିଜେପି ନେତୃତ୍ୱାଧୀନ  ଏନ୍‌ଡିଏକୁ ତୃତୀୟ ଥର ଗାଦିରେ ବସାଇ ନ ଦେବା ପାଇଁ ବିରୋଧୀଙ୍କ  ‘ଇଣ୍ଡିଆ’ ମେଣ୍ଟ ଶତତ ଚେଷ୍ଟା କରିଥିଲା । ହେଲେ ମୋଦି-ଶାହଙ୍କ ରଣନୀତିରେ  ସେମାନଙ୍କ ଉଦ୍ୟମ ନିଷ୍ଫଳ ହୋଇଥିଲା । ହାଟ୍ରିକ୍‌ ମାରି ଗାଦି ଦଖଲ କରିଥିଲା  ଏନ୍‌ଡିଏ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର  ମୋଦି । ଏମିତିକି ବିହାର, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ବି ଗାଦି  ଦଖଲ କରିଥିଲା ଏନ୍‌ଡିଏ । ହରିଆଣାରେ ବିଜେପି ହାଟ୍ରିକ୍‌ ମାରିବା ସହ ଓଡ଼ିଶାରେ  ଐତିହାସିକ ବିଜୟ ହାସଲ କରିଥିଲା । ବିଦାୟୀ ବର୍ଷରେ ମେଣ୍ଟ ରାଜନୀତି  ମ୍ୟାଜିକ୍‌ ଦେଖାଇଥିଲା । ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌-କଂଗ୍ରେସ ଏବଂ ଜମ୍ମୁ କାଶ୍ମୀରରେ ଏନ୍‌ସି-କଂଗ୍ରେସ ମେଣ୍ଟ କମାଲ୍‌ କରିଥିଲା । ୨୦୨୪ରେ  ଘଟିଥିବା ରାଜନୈତିକ ଘଟଣାକ୍ରମକୁ ନେଇ ଏ ଉପସ୍ଥାପନା ।

ମୋଦି ୩.୦


ଚଳିତବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ହାଟ୍ରିକ୍‌ ମାରିଥିଲା ଏନ୍‌ଡିଏ । ଐତିହାସିକ ବିଜୟ ହାସଲ କରି  ସମସ୍ତଙ୍କୁ ଚକିତ କରିଦେଇଥିଲା। ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ଏନ୍‌ଡିଏକୁ ଗାଦିଚ୍ୟୁତ ପାଇଁ ସବୁ ପ୍ରକାର  ଉଦ୍ୟମ କରିଥିଲେ । ଦେଶବ୍ୟାପୀ ପ୍ରମୁଖ ନେତାମାନେ ବିଜେପିକୁ ରୋକିବା ଲାଗି ବ୍ୟାପକ ପ୍ରଚାର କରିଥିଲେ ।  କିନ୍ତୁ ଏନ୍‌ଡିଏକୁ କ୍ଷମତାସୀନ ହେବାରୁ ରୋକିପାରି ନ ଥିଲେ । ଜେଡିୟୁ ଓ ଟିଡିପି ଭଳି ପ୍ରମୁଖ ମେଣ୍ଟ ଦଳ  ଏନ୍‌ଡିଏକୁ ସରକାର ଗଢ଼ିବା ଲାଗି ଭିଟାମିନ୍‌ ସାଜିଥିଲେ । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରେ  ଦ୍ୱିତୀୟ ନେତା ଭାବେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦିଙ୍କୁ ଶପଥପାଠ କରାଇଥିଲେ । ତାଙ୍କ ପରେ ରାଜନାଥ ସିଂହ, ଅମିତ ଶାହ,  ନୀତିନ ଗଡ଼କରୀ, ଜେ ପି ନଡ୍ଡା, ଶିବରାଜ ସିଂହ ଚୌହାନ ପ୍ରମୁଖ ୭୧ ଜଣ ନେତା ବି ଶପଥ ନେଇଥିଲେ ।

୪୦୦ ପାର୍‌ ଆଶା ଅଧୁରା

ଏନ୍‌ଡିଏ ଯଦିଓ ଏଥର ହାଟ୍ରିକ୍‌ ମାରିଥିଲା, କିନ୍ତୁ ଏହାର ୪୦୦  ପାର୍‌ ଆଶା ଅଧୁରା ରହିଯାଇଥିଲା । ଭୋଟ ଫଳ ବିଜେପି  କିମ୍ବା ଏନ୍‌ଡିଏର ଆଶାଜନକ ହୋଇ ନ ଥିଲା । ଏନ୍‌ଡିଏ  ୪୦୦ ପାର୍‌ କରିବା ନେଇ ଆଶା ରଖିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ମଧ୍ୟ ଦୃଢ଼ ଦାବି କରିଥିଲେ । ବିଜେପି ଅତିକମ୍‌ରେ ୩୭୦  ଆସନ ପାଇବାକୁ ଟାର୍ଗେଟ୍‌ ରଖିଥିଲା । କିନ୍ତୁ ଏହାଠାରୁ ବହୁ ପଛରେ  ପଡ଼ିଥିଲା । ୩୭୦ ଦୂର କଥା ଏକକ ବହୁମତ (୨୭୨) ମିଳିପାରି ନ  ଥିଲା । ଦଳକୁ ୨୪୦ ଆସନ ମିଳିଥିଲା ବେଳେ ଏନ୍‌ଡିଏ ୨୯୩ରେ ସୀମିତ  ରହିଥିଲା। ଅନ୍ୟପକ୍ଷରେ ‘ଇଣ୍ଡିଆ’ ମେଣ୍ଟକୁ ୨୩୪ ମିଳିଥିଲା । ୨୦୧୯  ନିର୍ବାଚନରେ ବିଜେପି ଏକାକୀ ୩୦୩ ଆସନ ପାଇଥିଲା ବେଳେ ୨୦୨୪ରେ  ଏନ୍‌ଡିଏ ପକ୍ଷେ ୩୦୦ ପାର୍‌ କରିବା ସମ୍ଭବ ହୋଇ ନ ଥିଲା।

ଟିଡିପି, ଜେଡିୟୁ ତ୍ରାଣକର୍ତ୍ତା 


ଏଥର ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଠୋସ ରଣନୀତି ବନାଇଥିଲା ।  ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଏବଂ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)କୁ  ଏନ୍‌ଡିଏରେ ସାମିଲ କରିଥିଲା । ଫଳରେ ସରକାର ଗଢ଼ିବା ପାଇଁ ଏନ୍‌ଡିଏକୁ  ସହଜ ହୋଇଥିଲା । ବିଜେପି ଏକାକୀ ୨୪୦ ଆସନ ପାଇଥିଲେ ହେଁ ବହୁମତ  (୨୭୨) ଠାରୁ ଏହା କମ୍‌ ଥିଲା । ଟିଡିପିର ୧୬ ଓ ଜେଡିୟୁର ୧୨ ଆସନ  ବେଶ୍‌ ସହାୟକ ହୋଇଥିଲା । ଅନ୍ୟ ସହଯୋଗୀ ଦଳ ଜିତିଥିବା ଆସନ  ଏନ୍‌ଡିଏର ମୋଟ ଅଙ୍କକୁ ୨୯୩ରେ ପହଞ୍ଚାଇଥିଲା । ତେଣୁ ଟିଡିପି ଓ ଜେଡିୟୁ ସହ ମେଣ୍ଟ ଅନେକ ଫାଇଦା ପହଞ୍ଚାଇଥିଲା । 

ଓମ୍‌ ବିର୍ଲା ପୁଣି ବାଚସ୍ପତି

ଏନ୍‌ଡିଏର ହାଟ୍ରିକ୍‌ ବିଜୟ ଓମ୍‌ ବିର୍ଲାଙ୍କ ପାଇଁ ଲାଭଦାୟକ  ହୋଇଥିଲା । ସେ ଲଗାତର ଦ୍ୱିତୀୟ ଥର ପାଇଁ ଲୋକସଭା  ବାଚସ୍ପତି ନିର୍ବାଚିତ ହୋଇଥିଲେ । ୨୦୨୪ ଜୁନ୍‌ ୨୬ରେ ଲୋକସଭା  ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ  ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ବିର୍ଲାଙ୍କ ନାମ ନେଇ ପ୍ରସ୍ତାବ ରଖିଥିଲେ । ଏହାପରେ ଶିବସେନା  (ଉଦ୍ଧବ ଗୋଷ୍ଠୀ) ସାଂସଦ ଅରବିନ୍ଦ ସାୱନ୍ତ କଂଗ୍ରେସ ସାଂସଦ କେ ସୁରେଶଙ୍କ  ନାମ ପ୍ରସ୍ତାବ ରଖିଥିଲେ । ବାଚନିକ ଭୋଟରେ ବିର୍ଲାଙ୍କ ନାମରେ ମୋହର ବାଜିଥିଲା ।  ରାଜସ୍ଥାନର କୋଟାରୁ ବିଜେପି ସାଂସଦ ଥିବା ବିର୍ଲା ସପ୍ତଦଶ ଲୋକସଭାର ବି  ବାଚସ୍ପତି ରହିଥିଲେ । ଓମ୍‌ ବିର୍ଲା ବାଚସ୍ପତି ନିର୍ବାଚିତ ହେବା ପରେ  ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ  ଗାନ୍ଧୀ ପରମ୍ପରା ଅନୁସାରେ ବିର୍ଲାଙ୍କୁ ତାଙ୍କ ଚୌକି  ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥିଲେ ।

ହରିଆଣାରେ ବିଜେପିର ହାଟ୍ରିକ୍‌ ବିଜୟ

ହରିଆଣାରେ ବିଧାନସଭା ନିର୍ବାଚନ ଫଳକୁ ନେଇ ସମସ୍ତ  ଏକ୍‌ଜିଟ୍‌ ପୋଲ୍‌ ଭୁଲ ପ୍ରମାଣିତ ହୋଇଥିଲା । ରାଜ୍ୟରେ  ହାଟ୍ରିକ୍‌ ମାରିଥିଲା ବିଜେପି । ତୃତୀୟ ଥର ପାଇଁ ଗଢ଼ିଥିଲା  ସରକାର । ବିଜେପି ରାଜ୍ୟର ଦୀର୍ଘ ୫୭ ବର୍ଷ ଇତିହାସରେ  ପ୍ରଥମ ଦଳ ଭାବେ ତୃତୀୟଥର ପାଇଁ କ୍ଷମତାସୀନ ହୋଇଥିଲା ।  ହରିଆଣାର ମୋଟ ୯୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ  ଭୋଟ ଗ୍ରହଣ ହୋଇଥିଲା । ଫଳାଫଳ ଅନୁସାରେ ବିଜେପିକୁ ୪୮  ଆସନ ମିଳିଥିଲା । କଂଗ୍ରେସକୁ ୩୭ ଆସନ ମିଳିଥିଲା । ଓମ୍‌ ପ୍ରକାଶ  ଚୌତାଲାଙ୍କ ଆଇଏନ୍‌ଏଲ୍‌ଡିକୁ ୨ଟି ଆସନ ମିଳିଥିଲା ବେଳେ ୩ଟି  ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଦୁଶ୍ୟନ୍ତ ଚୌତାଲାଙ୍କ  ଜେଜେପି (ଜନନାୟକ ଜନତା ପାର୍ଟି) ଖାତା ଖୋଲିପାରି ନ ଥିଲା ।  ଆପ୍‌ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କ ଗୃହ ରାଜ୍ୟ ହରିଆଣା  ହୋଇଥିଲେ ମଧ୍ୟ ଦଳ ଏଠାରେ ଖାତା ଖୋଲିପାରି ନ ଥିଲା । ୧୯୬୬ରେ  ପଞ୍ଜାବରୁ ପୃଥକ ହୋଇ ହରିଆଣା ସ୍ୱତନ୍ତ୍ର ରାଜ୍ୟ ହେବା ପରେ ପ୍ରଥମ  ଦଳ ଭାବେ ବିଜେପି କ୍ରମାଗତ ତୃତୀୟଥର ପାଇଁ କ୍ଷମତା ଦଖଲ କରିଥିଲା ।

ମହାୟୁତିକୁ ଜିତାପଟ

ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରେ ଏ ବର୍ଷ  ଭୋଟ ହୋଇଥିଲା । ରାଜ୍ୟରେ ଶିବସେନା ଓ ଏନ୍‌ସିପି  ଦୁଇଫାଳ ହୋଇଥିବା ଦୃଷ୍ଟିରୁ ଏଥର ନିର୍ବାଚନ ଉପରେ  ସମଗ୍ର ଦେଶର ଜନତାଙ୍କ ନଜର ଥିଲା । ଉଦ୍ଧବ ଠାକରେ,  ଏକନାଥ ସିନ୍ଦେ, ଶରଦ ପାୱାର ଓ ଅଜିତ ପାୱାରଙ୍କ ପାଇଁ  ଏହା ଅଗ୍ନି ପରୀକ୍ଷା ଭଳି ହୋଇଥିଲା । ଏହି ନିର୍ବାଚନରେ  ଯେ ମୋଦି ମ୍ୟାଜିକ୍‌ ଚାଲିଥିଲା, ତାହା ଭୋଟ ଫଳରୁ ସ୍ପଷ୍ଟ ଜଣାପଡ଼ିଥିଲା। ବିଜେପି ଏକାକୀ ୧୩୨ ଆସନ ପାଇଥିଲା ।  ଫଳରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ  ବିପୁଳ ଫାଇଦା ମିଳିଥିଲା । ମେଣ୍ଟ ଦଳ ଶିବସେନା  ସିନ୍ଦେକୁ ୫୭ ଓ ଏନ୍‌ସିପି ଅଜିତକୁ ୪୧ ଆସନ  ମିଳିଥିଲା । ମହାୟୁତି ମୋଟ ୨୩୦ ଆସନ ପାଇ ସରକାର  ଗଢ଼ିଥିଲା । ଅନ୍ୟପକ୍ଷରେ ଶିବସେନା ଉଦ୍ଧବ ୨୦, କଂଗ୍ରେସ ୧୬  ଓ ଏନ୍‌ସିପି ଶରଦ ଗୋଷ୍ଠୀ ୧୦ଟି ଆସନରେ ଜିତିଥିଲା । ବିଜେପିକୁ  ବିପୁଳ ସମର୍ଥନକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ  ଧନ୍ୟବାଦ ଜଣାଇଥିଲେ । ମହାରାଷ୍ଟ୍ରରେ ମହା ବିଜୟ  ବିଜେପିକୁ ଜାତୀୟ ରାଜନୀତିରେ ଆହୁରି  ସବଳ କରିଥିଲା ।

ଚମକିଲେ ସିନ୍ଦେ, ଅଜିତ

ମହାରାଷ୍ଟ୍ର ରାଜନୀତି ପାଇଁ ବିଦାୟୀ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଛିବର୍ଷ  ଧରି ଲାଗିରହିଥିବା ରାଜନୈତିକ ହଟଚମଟ ୨୦୨୪ରେ ଶେଷ ହେବା  ନେଇ ଆଶା ରହିଥିଲା । ସମଗ୍ର ଦେଶବାସୀଙ୍କ ନଜର ଏଥର ରାଜ୍ୟ  ବିଧାନସଭା ନିର୍ବାଚନ ଉପରେ ନିବଦ୍ଧ ରହିଥିଲା । ଶିବସେନା ଓ ଏନ୍‌ସିପି  ଦୁଇଫାଳ ହୋଇଯିବା ପରେ ଜନତା ପ୍ରକୃତରେ କାହାକୁ ଚାହିଁବେ, ତାହା  ଜାଣିବାକୁ ସମସ୍ତେ ବ୍ୟଗ୍ର ଥିଲେ । ତେବେ ନଭେମ୍ବର ୨୩ରେ ଭୋଟ  ଫଳ ଆସିଥିଲା । ଚମକିଥିଲେ ଶିବସେନା ସିନ୍ଦେ ଓ ଏନ୍‌ସିପି ଅଜିତ  ଗୋଷ୍ଠୀ । ଅନ୍ୟପକ୍ଷରେ ଶିବସେନା ଉଦ୍ଧବ ଓ ଏନ୍‌ସିପି ଶରଦ ଗୋଷ୍ଠୀ  ଫ୍ଲପ୍‌ ସୋ’ ପ୍ରମାଣିତ ହୋଇଥିଲେ । 

ଅଜିତ ଗୋଷ୍ଠୀ ପ୍ରକୃତ ଏନ୍‌ସିପି 

ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ସିପି ନେତା ଶରଦ ପାୱାରଙ୍କୁ ନିର୍ବାଚନ  କମିଶନଙ୍କଠାରୁ ଶକ୍ତ ଧକ୍କା ଲାଗିଥିଲା । କମିଶନ ଅଜିତ ପାୱାରଙ୍କ ନେତୃତ୍ୱାଧୀନ  ଏନ୍‌ସିପିକୁ ପ୍ରକୃତ ଏନ୍‌ସିପି ବୋଲି ଘୋଷଣା କରିଥିଲେ । ଏଥିସହ ଦଳୀୟ ନାମ ଓ  ଚିହ୍ନ ବ୍ୟବହାର ପାଇଁ ଅଜିତଙ୍କୁ ଅନୁମତି ବି ଦେଇଥିଲେ । ଏହା ତାଙ୍କୁ ଫାଇଦା ଦେଇଥିଲା । 

ସିନ୍ଦେ ଗୋଷ୍ଠୀ ପ୍ରକୃତ ଶିବସେନା


ପ୍ରକୃତ ଶିବସେନା କାହାର ତାକୁ ନେଇ ବିଦାୟୀ  ବର୍ଷରେ ବଳ କଷାକଷି ଚାଲିଥିଲା । ଏକନାଥ ସିନ୍ଦେ  ଓ ଅନ୍ୟ ୧୫ ବିଧାୟକଙ୍କ ଅଯୋଗ୍ୟତା ମାମଲାକୁ ନେଇ  ବାଚସ୍ପତି ରାହୁଲ ନାର୍‌ୱେକର ନିଷ୍ପତ୍ତି ନେଇଥିଲେ । ବାଚସ୍ପତି  ନିଜର ୧୨୦୦ ପୃଷ୍ଠା ସମ୍ବଳିତ ନିଷ୍ପତ୍ତିରେ ସିନ୍ଦେଙ୍କ ସମେତ  ସମସ୍ତ ୧୬ ବିଧାୟକଙ୍କ ସଦସ୍ୟତାକୁ କାଏମ  ରଖିଥିଲେ । ଏଥିସହ ସିନ୍ଦେ ଗୋଷ୍ଠୀ  ହିଁ ଅସଲି ଶିବସେନା ବୋଲି ଦର୍ଶାଇଥିଲେ ।


ହେମନ୍ତ-ଚମ୍ପାଇ କଳି 


ବିଦାୟ ୨୦୨୪ ବର୍ଷରେ ଝାଡ଼ଖଣ୍ଡ ରାଜନୀତି ଦୃଷ୍ଟି ଆକର୍ଷଣ କରିଥିଲା । ଜମି ଦୁର୍ନୀତି ମାମଲାରେ  ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ ଜେଲ ଯିବା ପରେ ତାଙ୍କ ସ୍ଥାନରେ  ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ତେବେ  ଜେଲରୁ ଫେରିବା କ୍ଷଣି ହେମନ୍ତ ପୁଣି ଗାଦି ଦଖଲ କରିଥିଲେ ।  ଏହାକୁ ନେଇ ଚମ୍ପାଇ ଅସନ୍ତୁଷ୍ଟ ହୋଇ ବିଦ୍ରୋହ  କରିଥିଲେ । ଶେଷରେ ଦଳ ଛାଡ଼ି ବିଜେପିରେ  ସାମିଲ ହୋଇଥିଲେ । ତାଙ୍କ ଯୋଗଦାନ  ବିଜେପିକୁ ଫାଇଦା ଦେଇ ନ ଥିଲା ।  ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ  ଜିତିଥିଲା ଏବଂ ହେମନ୍ତ  ପୁଣି ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲେ।

ହେମନ୍ତଙ୍କ ଦବ୍‌ଦବା 



ଝାଡ଼ଖଣ୍ଡରେ ଏ ବର୍ଷ ବିଧାନସଭା ନିର୍ବାଚନ ହୋଇଥିଲା ।  ପୁଣି ଦବ୍‌ଦବା ଜାହିର କରିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ  ସୋରେନ । ହେମନ୍ତଙ୍କ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟ  କ୍ଷମତାସୀନ ହୋଇଥିଲା । ରାଜ୍ୟର ୮୧ଟି ବିଧାନସଭା ଆସନ  ମଧ୍ୟରୁ ଜେଏମ୍‌ଏମ୍‌ ମେଣ୍ଟ ୫୬ଟି ଆସନ ଜିତିଥିଲା । ଏହା  ବହୁମତ ସଂଖ୍ୟା ୪୧ରୁ ଅଧିକ ଥିଲା । କେବଳ ଜେଏମ୍‌ଏମ୍‌କୁ  ୩୪ଟି ଆସନ ମିଳିଥିଲା ବେଳେ କଂଗ୍ରେସକୁ ୧୬ ଓ ଆର୍‌ଜେଡିକୁ  ୪ଟି ଓ ସିପିଆଇ(ଏମ୍‌ଏଲ୍‌)କୁ ୨ଟି ଆସନ ମିଳିଥିଲା ।  ଅନ୍ୟପକ୍ଷରେ ଏନ୍‌ଡିଏ ମେଣ୍ଟ ୨୪ଟି ଆସନ ପାଇଥିଲା । ବିଜେପି  ଏକାକୀ ୨୧ଟି ଆସନ ଜିତିଥିଲା । ଜେଏମ୍‌ଏମ୍‌ ମେଣ୍ଟ ଜିତିବା ପରେ  ହେମନ୍ତ ସୋରେନ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏ ବର୍ଷ ଜେଏମ୍‌ଏମ୍‌ରୁ ପୃଥକ୍‌  ହୋଇ ଚମ୍ପାଇ ସୋରେନ ବିଜେପି ଟିକଟରୁ ଲଢ଼ିଥିଲେ । ହେମନ୍ତଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ  ବୋଲି କୁହାଯାଉଥିଲା । କିନ୍ତୁ ସେଭଳି କିଛି ହୋଇ ନ ଥିଲା । ଚମ୍ପାଇଙ୍କ ଯୋଗଦାନ ବିଜେପିକୁ ଫାଇଦା ଦେଇ  ନ ଥିଲା । ଜମି ଦୁର୍ନୀତି ମାମଲାରେ ଜେଲ ଯାଇ ବି ହେମନ୍ତ ନିଜ ପତିଆରା ବଜାୟ ରଖିବାରେ ସମର୍ଥ ହୋଇଥିଲେ । 

ଭାଇ ଗଡ଼ ରଖିଲେ ଭଉଣୀ


ଚଳିତବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁପିର ରାଏବରେଲି  ଓ କେରଳର ୱାୟନାଡ ଆସନରୁ ଲଢ଼ି ଉଭୟରେ  ଜିତିଥିଲେ । ଏହାପରେ ସେ ରାଏବରେଲି ରଖି ୱାୟନାଡ  ଛାଡ଼ିଦେଇଥିଲେ । ଫଳରେ ଏଠାରେ ଉପନିର୍ବାଚନ ହୋଇଥିଲା । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ପ୍ରିୟଙ୍କା ନିଜର  ପ୍ରଥମ ପ୍ରବେଶରେ ବିଜୟ ଟିକା ପିନ୍ଧିଥିଲେ । ସେ ଭାଇ ରାହୁଲଙ୍କ ଗଡ଼  ରଖିବାରେ ସମର୍ଥ ହୋଇଥିଲେ । ପ୍ରିୟଙ୍କାଙ୍କୁ ୬.୨୨ ଲକ୍ଷରୁ ଅଧିକ ଭୋଟ  ମିଳିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ସିପିଆଇର ସତ୍ୟନ ମୋକେରି  ୨.୧୧ ଲକ୍ଷ ଓ ବିଜେପିର ନବ୍ୟା ହରିଦାସଙ୍କୁ ୧.୦୯ ଲକ୍ଷ ଭୋଟ ମିଳିଥିଲା ।

କଂଗ୍ରେସକୁ  ବିରୋଧୀ ଆସନ


ତମାମ ଏକ୍‌ଜିଟ୍‌ ପୋଲ୍‌କୁ ଭୁଲ ପ୍ରମାଣିତ  କରି କଂଗ୍ରେସ ଏଥର ସାଧାରଣ ନିର୍ବାଚନରେ  ବଡ଼ ସଫଳତା ପାଇଥିଲା । ଦଳ ଏକାକୀ ୯୯  ଆସନରେ ଜିତିଥିଲା । କଂଗ୍ରେସ ସମେତ  ବିରୋଧୀ ଦଳଙ୍କ ‘ଇଣ୍ଡିଆ’ ମେଣ୍ଟକୁ ୨୩୪  ଆସନ ମିଳିଥିଲା । ୧୦ ବର୍ଷ ମଧ୍ୟରେ ପ୍ରଥମ  ଥର ପାଇଁ ବିରୋଧୀ ଆସନ ଦଖଲ କରିଥିଲା  କଂଗ୍ରେସ । ଦଳୀୟ ସାଂସଦ ରାହୁଲ ଗାନ୍ଧୀ  ଲୋକସଭାରେ ବିରୋଧୀ ଦଳ ନେତା  ହୋଇଥିଲେ । କଂଗ୍ରେସର ଏହି ସଫଳତା  ଦେଶବ୍ୟାପୀ ଦଳର ନେତା ଓ କର୍ମୀଙ୍କ  ମଧ୍ୟରେ ନୂଆ ଉତ୍ସାହ ଭରିଥିଲା । ବର୍ଷ  ଶେଷ ବେଳକୁ କଂଗ୍ରେସ ସାଂସଦ ସଂଖ୍ୟା  ବଢ଼ିଥିଲା । ଉପନିର୍ବାଚନରେ ଦଳକୁ ଫାଇଦା  ମିଳିଥିଲା । ୱାୟନାଡ ଓ ନାନ୍ଦେଡ଼ ଲୋକସଭା  ଆସନ କଂଗ୍ରେସ ଖାତାକୁ ଆସିଥିଲା ।

ଫ୍ଲପ୍‌  ମାରିଲା ‘ଇଣ୍ଡିଆ’ 


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ରୋକିବା ପାଇଁ  ବିରୋଧୀ ଦଳଗୁଡ଼ିକ ୨୦୨୩ରେ ହାତ ମିଳାଇଥିଲେ ।  ‘ଇଣ୍ଡିଆ’ ନାମରେ ଗଢ଼ିଥିଲେ ମହାମେଣ୍ଟ । ଦିଲ୍ଲୀ,  ପାଟନା ଭଳି ସ୍ଥାନରେ ଏହାର ସଭା ବସିଥିଲା । ନୀତି  ଓ ରଣନୀତି ବି ପ୍ରସ୍ତୁତ ହୋଇଥିଲା । ପ୍ରଭାବ ବି ବଢ଼ିବାକୁ ଲାଗିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଚେହେରା  ନ ଥିବାରୁ ମେଣ୍ଟକୁ ଅକୁଣ୍ଠ ସମର୍ଥନ ମିଳି ନ ଥିଲା ।  ଏହାକୁ ନେଇ ଫାଟ ବି ସୃଷ୍ଟି ହୋଇଥିଲା । ମେଣ୍ଟ  ଗଢ଼ିଥିବା ପ୍ରମୁଖ ନେତା ନୀତୀଶ କୁମାର ଶେଷରେ  ଏନ୍‌ଡିଏରେ ସାମିଲ ହୋଇଥିଲେ । ଫଳରେ ଲୋକସଭା ନିର୍ବାଚନରେ ଫ୍ଲପ୍‌ ମାରିଥିଲା ‘ଇଣ୍ଡିଆ’ । ବର୍ଷ ଶେଷ  ବେଳକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଏହାର ନେତୃତ୍ୱ ନେବାକୁ ଇଚ୍ଛା ପ୍ରକାଶ  କରିଥିଲେ । ଶିବସେନା ୟୁବିଟି  ଓ ସପା ସମର୍ଥନ ଦେବେ  ବୋଲି କହିଥିଲେ ।

ଜମ୍ମୁ-କାଶ୍ମୀରରେ ଏନ୍‌ସି-କଂଗ୍ରେସ 


ଧାରା ୩୭୦ ହଟିବା ପରେ ଚଳିତବର୍ଷ ପ୍ରଥମ ଥର ପାଇଁ  ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା ।୯୦ ଆସନ  ପାଇଁ ଅକ୍ଟୋବର ୫ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା ।  ଏଥିରେ ବିଜେପି ଜିତିବା ନେଇ ଆଶା ରଖିଥିଲା । ଦଳର ହେଭିୱେଟ୍‌  ନେତାମାନେ ଘନଘନ ଜମ୍ମୁ-କାଶ୍ମୀର ଗସ୍ତ କରି ପ୍ରଚାର ଅଭିଯାନକୁ ତୀବ୍ର  କରିଥିଲେ । କିନ୍ତୁ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି)କୁ ବିପୁଳ ସଫଳତା  ମିଳିଥିଲା । ଏନ୍‌ସି-କଂଗ୍ରେସ-ସିପିଏମ୍‌ ମେଣ୍ଟ ୪୯ ଆସନ ପାଇ ସରକାର ଗଢ଼ିଥିଲା ।  ଏନ୍‌ସି ନେତା ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏନ୍‌ସିକୁ ୪୨  ଆସନ ମିଳିଥିଲା ବେଳେ ଏହାର ସହଯୋଗୀ କଂଗ୍ରେସକୁ ୬ ଓ ସିପିଏମ୍‌କୁ ଗୋଟିଏ  ଆସନ ମିଳିଥିଲା । ବିଜେପି ୨୯ ଆସନ ଜିତିଥିଲା ବେଳେ ମେହବୁବା ମୁଫତିଙ୍କ ପିଡିପିକୁ  ୩ଟି ଆସନ ମିଳିଥିଲା । ଅନ୍ୟ ୯ଟି ଆସନରୁ ୭ଟିରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲା ବେଳେ ଆପ୍‌  ଏବଂ ଜେକେପିସି ଗୋଟିଏ ଲେଖାଏ ଆସନ ହାସଲ କରିଥିଲେ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.