ନୂଆଦିଲ୍ଲୀ : ଦିଲ୍ଲୀରେ ପଲ୍ୟୁସନ ପୁଣି ଥରେ ଗୁରୁତର ଶ୍ରେଣୀରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁସାରେ ,ଦିଲ୍ଲୀରେ ରବିବାର ସନ୍ଧ୍ୟା ୪ଟାରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୯ ରେକର୍ଡ କରାଯାଇଛି। ଦିଲ୍ଲୀରେ ରବିବାର ସକାଳେ କୁହୁଡ଼ି ଛାଇ ରହିଛି, ଯାହାକି ଏକ୍ୟୁଆଇ ଖସି ୩୯୮ ଅର୍ଥାତ୍‌ ବହୁତ ଖରାପ ଶ୍ରେଣୀରେ ରେକର୍ଡ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ଶନିବାର ସକାଳ ୮ଟାରେ ହାରାହାରି ଏକ୍ୟୁଆଇ ୩୯୫ ଅଙ୍କ ରେକର୍ଡ କରାଯାଇ ଥିଲା। 

ଦିଲ୍ଲୀର ଅଲୀପୁର , ଆନନ୍ଦ ବିହାର , ଅଶୋକ ବିହାର , ବୱାନା , ମଥୁରା ରୋଡ୍‌ , ବୁରାଡି କ୍ରସିଂ, ଡିଟିୟୁ ଦିଲ୍ଲୀ , କରଣୀ ସିଂହ ସୁଟିଂ ରେଞ୍ଜ, ଦ୍ୱାରକା ସେକ୍ଟର-୮ , ଆଇଟିଓ ଦିଲ୍ଲୀ , ଜହାଙ୍ଗୀରପୁରୀ , ଜବାହରଲାଲ ନେହରୁ ଷ୍ଟାଡିୟମ, ମେଜର ଧ୍ୟାନଚନ୍ଦ୍ର ଷ୍ଟାଡ଼ିୟନ , ମନ୍ଦିର ମାର୍ଗ , ମୁଣ୍ଡକା , ନରେଲା, ନେହରୁ ନଗର , ନର୍ଥ କ୍ୟାମ୍ପସ , ଓଖଲା ଫେଜ୍‌-୨, ପଟପଡଗଞ୍ଜ, ପଞ୍ଜାବୀ ବାଗ୍‌, ପୂସା, ଆରକେପୁରମ୍‌ , ରୋହିଣୀ , ଶାଦୀପୁର, ସିରିଫୋର୍ଟ, ସୋନିଆ ବିହାର, ବିବେକ ବିହାର, ବଜିରପୁର ସମେତ ୨୮ଟି କେନ୍ଦ୍ର ଏକ୍ୟୁଆଇ ୪୦୦ ଅତିକ୍ରମ କରିଥିବା ରେକର୍ଡ କରିଛି। 

ରବିବାର ଦିଲ୍ଲୀର ଅନେକ ଭାଗରେ ହାଲକା ଧୂଆଁର ଚାଦର ଛାଇ ରହିଛି। ସିପିସିବିର ମାନକ ମୁତାବିକ ବାୟୁରେ ପ୍ରଦୂଷକ କଣିକା ପିଏମ୍‌ ୧୦ର ସ୍ତର ୧୦୦ରୁ ଏବଂ ପିଏମ୍‌ ୨.୫ର ସ୍ତର ୬୦ ମାଇକ୍ରୋଗ୍ରାମ୍‌ ପ୍ରତି ଘନ ମିଟରରୁ କମ୍‌ ହେବାରେ ତାକୁ ସ୍ୱାସ୍ଥ୍ୟକର ମନେକରାଯାଏ। ରବିବାର ସନ୍ଧ୍ୟାରେ ୫ଟା ସମୟରେ ପିଏମ୍‌ ୧୦ର ସ୍ତର ୨୨୫ରୁ ଉପରେ ଥିଲା ଏବଂ ପିଏମ୍ ୨.୫ର ସ୍ତର ୩୫୪ରୁ ଅଧିକ ଥିଲା। ଏହିପରି ଭାବେ ଦିଲ୍ଲୀ-ଏନସିଆର ବାୟୁରେ ପ୍ରଦୂଷକ କଣିକାର ସ୍ତର ସାଧାରଣ ସ୍ତର ଠାରୁ ଅଧିକ ରେକର୍ଡ କରାଯାଇଛି।