ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆବାସ ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ: ଏଣିକି ଆପ୍ ଖୋଲି ତଥ୍ୟ ଭରିବେ, ଫଟୋ ଦେବେ ହିତାଧିକାରୀ

Published By : Prameya | November 28, 2024 8:21 AM

  • ବାଇକ୍‌, ଫ୍ରିଜ୍‌ ଥିଲେ ବି ମିଳିବ
  • ତଥ୍ୟ ଯାଞ୍ଚ କରିବେ କ୍ଷେତ୍ର ଅଧିକାରୀ, ବିଡିଓ
  • ଲୋକଙ୍କୁ ଶିଖାଇବାକୁ ୨ ତାରିଖରୁ ପଞ୍ଚାୟତରେ କର୍ମଶାଳା
  • ବିପର୍ଯ୍ୟୟ ପ୍ରତିରୋଧୀ ନକ୍ସା ଅନୁସାରେ ହେବ ଘର

ଭୁବନେଶ୍ୱର,୨୮/୧୧: ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ କାଟୁ କରିବନି । କେହି ଚାହିଁଲେ ବି ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ  ଅଟକାଇ ପାରିବେନି । ବ୍ଲକ୍‌ର କୌଣସି କର୍ମଚାରୀ,  ପଞ୍ଚାୟତ ନିର୍ବାହୀ ଅଧିକାରୀ କି ସରପଞ୍ଚଙ୍କ ଜରିଆରେ  ଆଉ ଆବାସ ସର୍ଭେ ହେବନି । ଲୋକେ ନିଜେ ନିଜର  ସର୍ଭେ କରିବେ । ଆପ ଖୋଲି ଗୋଟି ଗୋଟି କରି ନିଜ  ତଥ୍ୟ ଭରିବେ । ପୁରୁଣା ଘରର ଫଟୋ ଉଠାଇ ଅପଲୋଡ୍‌  କରିବେ । ସବୁ ତଥ୍ୟ ସିଧାସଳଖ ଆବାସ ପ୍ଲସ୍‌ ପୋର୍ଟାଲକୁ  ଚାଲିଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଘର  ଦେବାକୁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ନୂଆ  ଗାଇଡ୍‌ଲାଇନରେ ଏଭଳି ବ୍ୟବସ୍ଥା ଯୋଡ଼ିଛନ୍ତି । 

ନୂଆ ଗାଇଡଲାଇନ୍‌ରେ ଅନେକ ପୁରୁଣା ବ୍ୟବସ୍ଥାକୁ  ହଟାଯାଇଛି । ଆବାସ ଘର ଯୋଜନାରେ ରାଜନୈତିକ ମନମାନି  ଓ ଲାଞ୍ଚ କାରବାରକୁ ରୋକିବାକୁ ଏହି ଆପ୍ ବ୍ୟବହାର  କରାଯିବ । ଉଦ୍ଦେଶ୍ୟ ହେଲା, ଯୋଗ୍ୟ ହିତାଧିକାରୀ ବଞ୍ଚିତ  ହେବେନି ବା ଅଯୋଗ୍ୟ ହିତାଧିକାରୀ ଘର ହାତେଇବେନି ।  ଯଦି କିଏ କାରସାଦି କରିବ ତେବେ ନିଜ ଫାନ୍ଦରେ ନିଜେ  ଫସିବ । ଆବାସ ଯୋଜନାରେ ଥିବା ବ୍ୟବସ୍ଥାକୁ ନୂଆ ସରକାର  ଆମୂଳଚୁଳ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ  ଆବାସ ଘର ମିଳିବନି ବୋଲି ନିୟମ ଥିଲା । କିନ୍ତୁ ଏହାକୁ  ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ । ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର  ରହିଥିଲା । ଏହାକୁ ୧୫ ହଜାର କରାଯାଇଛି ।  

ଲୋକେ କିଭଳି ନିଜେ ନିଜର ସର୍ଭେ କରିବେ, ତାହା  ଶିଖାଇବାକୁ ପଞ୍ଚାୟତସ୍ତରରେ କର୍ମଶାଳା ହେବ । ୧୫ ବା  ୧୫ରୁ କମ୍‌ ସଂଖ୍ୟକ ପଞ୍ଚାୟତ ଥିବା ବ୍ଲକ୍‌ରେ ଡିସେମ୍ବର ୨  ତାରିଖରେ କର୍ମଶାଳା ହେବ । ୧୬ରୁ ୨୫ଟି ପଞ୍ଚାୟତ ଥିବା  ବ୍ଲକ୍‌ରେ ୨ ଓ ୩ ତାରିଖରେ କର୍ମଶାଳା ହେବ । ୨୫ରୁ ଅଧିକ ପଞ୍ଚାୟତ ଥିବା ବ୍ଲକ୍‌ରେ ୨, ୩ ଓ ୪ ତାରିଖରେ କର୍ମଶାଳା  ହେବ । ସ୍ଥାନୀୟ ଲୋକେ ଯେଭଳି ଏହି ଆବାସ କର୍ମଶାଳା  ହେଉଛି ବୋଲି ଜାଣିପାରିବେ ସେଥିପାଇଁ ବ୍ୟାପକ ପ୍ରଚାର  ପ୍ରସାର କରିବାକୁ କୁହାଯାଇଛି । 

କର୍ମଶାଳାରେ ଲୋକେ କିଭଳି ନିଜେ ନିଜର ସର୍ଭେ  କରିବେ ତାହାର ପ୍ରଶିକ୍ଷଣ ଦିଆଯିବ । ସର୍ଭେ  ସମୟରେ ପରିବାର ସଦସ୍ୟଙ୍କ ଆଧାର କାର୍ଡ,  ଜବ୍‌ କାର୍ଡ ଓ ବ୍ୟାଙ୍କ ଖାତା ବିବରଣୀ (ପାସବୁକ୍‌)  ଆବଶ୍ୟକ ପଡ଼ିବ । ଏହାକୁ ପ୍ରସ୍ତୁତ ରଖିବାକୁ  ଲୋକଙ୍କୁ କୁହାଯିବ । ଗତ ୧୮ ତାରିଖରେ ସବୁ  ବ୍ଲକ୍‌ ସ୍ତରୀୟ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । ସର୍ଭେ  ଠିକ୍‌ରେ ହେଉଛି କି ନା, ତାହାକୁ ଦେଖିବାକୁ ବ୍ଲକ  କର୍ମଚାରୀଙ୍କୁ ଦାୟିତ୍ୱ ବଣ୍ଟାଯିବ । ସେମାନେ ସର୍ଭେ  କାମ ପାଇଁ ଉତ୍ତରଦାୟୀ ରହିବେ । 

ଯେଉଁମାନେ ନିଜେ ସର୍ଭେରେ ତଥ୍ୟ ଭରି ନ  ପାରିବେ ବ୍ଲକ୍‌ କର୍ମଚାରୀ ସେମାନଙ୍କୁ ସହାୟତା  କରିବେ । ବ୍ଲକ୍‌ କର୍ମଚାରୀ ଗାଁର ପ୍ରତି ସାହିକୁ ଯାଇ  ଘର ନଥିବା ଓ କଚ୍ଚା ଘରେ ରହୁଥିବା ପରିବାରକୁ ସର୍ଭେରେ ଯୋଡ଼ିବେ । ଆବାସ ଘର ପାଇବାକୁ ଯୋଗ୍ୟ ଭାବୁଥିବା ସବୁ ପରିବାରକୁ ତାଲିକାଭୁକ୍ତ କରି ସର୍ଭେରେ ଯୋଡ଼ାଯିବ । 

କୌଣସି ମୂଳ ପରିବାରର ସଦସ୍ୟମାନେ ଅଲଗା ରହୁଥିଲେ ସେମାନଙ୍କୁ ଏହି ସର୍ଭେରେ  ଭିନ୍ନ ପରିବାର ଭାବେ ଗଣାଯିବ । ଯୋଗ୍ୟ ଭିନ୍ନକ୍ଷମ  ସଦସ୍ୟ, ତୃତୀୟଲିଙ୍ଗୀ, ବିଧବା, ନିରାଶ୍ରୟ, ମୁକ୍ତ  ଗୋତି ଶ୍ରମିକଙ୍କ ପରିବାରକୁ ସର୍ଭେରେ ସାମିଲ  ପାଇଁ ପ୍ରାଥମିକତା ଦିଆଯିବ । ଏଥିପାଇଁ ପଞ୍ଚାୟତରାଜ  ବିଭାଗ ପକ୍ଷରୁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  

ଲୋକେ ସର୍ଭେ କରିବା ପରେ କ୍ଷେତ୍ରସ୍ତରୀୟ  ଅଧିକାରୀ ଏହାକୁ ଯାଞ୍ଚ କରିବେ । ସେମାନେ ପରିବାର  ସଦସ୍ୟଙ୍କର ବୟସ, ବୃତ୍ତି, ଶିକ୍ଷାଗତ ଯୋଗ୍ୟତା,  ଆଧାର ନମ୍ବର, ଜବ୍‌ କାର୍ଡ ନଂ ଓ ରୋଜଗାର ତଥ୍ୟକୁ ସଂଗ୍ରହ କରିବେ । କେଉଁ କାରଣ ପାଇଁ  ଜଣେ ଆବାସ ଯୋଜନା ପାଇଁ ଅଯୋଗ୍ୟ, କ୍ଷେତ୍ର  ଅଧିକାରୀ ତାକୁ ଆପ୍‌ରେ ଉଲ୍ଲେଖ କରିବେ ।  ପରିବାର ମୁଖ୍ୟଙ୍କଠାରୁ ତଥ୍ୟ ସଂଗ୍ରହ ପରେ  ଏହି କାରଣକୁ ଆପସ୍‌ରେ ସ୍ପଷ୍ଟ ଭାବେ ଦର୍ଶାଯିବ ।  ସବୁଠୁ ବଡ଼ କଥା ହେଉଛି, ପରିବାରର ମହିଳା  ମୁଖ୍ୟଙ୍କୁ ଆବାସ ଯୋଜନାର ହିତାଧିକାରୀ ଭାବେ ଧରାଯିବ । ତାଙ୍କ ନାଁରେ ୱାର୍କ ଅର୍ଡର ଦିଆଯିବ । ଯେଉଁ  ପରିବାରରେ ପ୍ରାପ୍ତ ବୟସ୍କା ମହିଳା ନଥିବେ ସେ  କ୍ଷେତ୍ରରେ କାହା ନାଁରେ ଆବାସ ୱାର୍କ ଅର୍ଡର ଦିଆଯିବ  ତାହା ବ୍ଲକ୍‌ସ୍ତରୀୟ କର୍ମଚାରୀ ନିଷ୍ପତ୍ତି ନେବେ ।  

ଆବାସ ଯୋଜନାରେ ମିଳିବାକୁ ଥିବା ଘର  ଯେଭଳି ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟକୁ ମୁକାବିଲା  କରିପାରିବ ସେଥିପାଇଁ ସରକାର ଏକାଧିକ ଘର  ନିର୍ମାଣ ଡିଜାଇନ୍‌ ବା ନକ୍ସା ପ୍ରସ୍ତୁତ କରିଛନ୍ତି । ସର୍ଭେ  ସମୟରେ ବ୍ଲକ କର୍ମଚାରୀ ହିତାଧିକାରୀଙ୍କୁ ଏହି ନକ୍ସା  ଦେଖାଇବେ । ହିତାଧିକାରୀ ଯେଉଁ ନକ୍ସା ବାଛିବେ  ସେହି ହିସାବରେ ଘର ତିଆରି କରିବାକୁ ପଡ଼ିବ ।  ହିତାଧିକାରୀ ଯଦି ରାଜମିସ୍ତ୍ରୀ ତାଲିମ ନେବାକୁ  ଚାହିଁବେ ସରକାର ଏଥିପାଇଁ ବ୍ୟବସ୍ଥା କରିବେ । 

ହିତାଧିକାରୀ ନିଜେ କରିଥିବା ନିଜର ସର୍ଭେ ଓ  କ୍ଷେତ୍ର ଅଧିକାରୀ କରିଥିବା ସର୍ଭେକୁ ମିଶାଇ ଗୋଟିଏ  ତାଲିକା ପଞ୍ଚାୟତ ଅଫିସ୍‌ରେ ପ୍ରଦର୍ଶିତ କରାଯିବ ।  ଏହାର ଆଉ ୧୫ ଦିନ ପରେ ପୁଣି ସର୍ଭେ ହୋଇଥିବା  ଲୋକଙ୍କ ତାଲିକା ଝୁଲାଯିବ । ସର୍ଭେରୁ କିଏ ବାକି ରହି ଯାଇଥିଲେ ଗାଁ ଲୋକେ ଜାଣିପାରିବେ । ସର୍ଭେ ସରିବା  ପରେ ଚୂଡ଼ାନ୍ତ ତାଲିକା ପ୍ରଦର୍ଶନ କରାଯିବ । କୌଣସି  ଅଯୋଗ୍ୟ ବ୍ୟକ୍ତି ତାଲିକାରେ ସାମିଲ ହୋଇଥିଲେ  ଲୋକେ ଅଭିଯୋଗ କରିପାରିବେ । ଉଭୟ ଯୋଗ୍ୟ  ଓ ହିତାଧିକାରୀଙ୍କ ତାଲିକା ଗ୍ରାମସଭାରେ ଉପସ୍ଥାପନ  ହେବ ବୋଲି ପଞ୍ଚାୟତିରାଜ ବିଭାଗ ସୂତ୍ରରୁ ସୂଚନା  ମିଳିଛି । ସର୍ଭେ ଆରମ୍ଭ ହେବାର ଦୁଇ ମାସ ଭିତରେ  ପୂରା ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.