ଏବେ ଦିନେ ଖବରକାଗଜରେ ଏକ ରାସ୍ତା  ଚଉଡ଼ା ହେବାରେ ହଜାର ଉପରକୁ ଗଛ ବଳି  ପଡ଼ିବାକୁ ଯାଉଥିବା କଥାଟି ପଢ଼ି ମୋ ମନଟି ଚଟ୍‌କିନା  ଚାଲିଯାଇଥିଲା ମୁଁ ରହୁଥିବା ସହରର କେଇବର୍ଷ ତଳର  ଏକ ମୁଖ୍ୟ ରାସ୍ତା ଠେଇଁ । ତା’ ଛାତି ଉପରେ ଧୋଉଥିବା  ସେଇ ରାସ୍ତାଟି ଏକ ପୁରୁଣା ଗଡ଼ଜାତ ରାଜଧାନୀକୁ  ଏବର ସଦର ମହକୁମା ସହିତ ସଂଯୋଗ କରିଥାଏ ।  ସେତେବେଳର ଏକ-ସୁରିଆ ବାଟକୁ ତା’ ଦୁଇ ଧାରରେ  ଥିବା ରାଜୁଡ଼ା ଅମଳର ନିମଗଛ ଯେତେ ଏମିତି ଆବୋରି  ଥାଆନ୍ତି ଯେ, ସହର ପେଣ୍ଠ କଲେକ୍ଟରେଟ ଛକଠୁଁ କାହିଁ  କଲେଜ ଛକଯାଏଁ ଦେଢ଼ କିଲୋମିଟର ପାଖାପାଖି ରାସ୍ତାଟି  ବେଶ୍‌ ଆରାମଦାୟକ ଲାଗେ ଏପ୍ରିଲ-ମେ ମାସର ସେଇ  ଠୋ ଠୋ ଖରାବେଳରେ । ଆହୁରି ମଧ୍ୟ ଘଞ୍ଚ ନିମତୋରଣର ଉଭୟ ମୁଣ୍ଡଟିମାନ ଘର ହୋଇଥାଏ ଶହ ଶହ  ବଗ-ବଗୁଲିଙ୍କର ।

​​​​​​​

ସନ୍ଧ୍ୟାରେ ଘରବାହୁଡ଼ା ପକ୍ଷୀଙ୍କର  ଚେ-ଚାଁ ରଡ଼ି ସାଙ୍ଗକୁ ନିମଫୁଲର ହାଲ୍‌କା ବାସ୍ନାଧାରୀ  ଦମକାଏ ପବନ ଏ ଚରମ ଜଳବାୟୁରେ ବି ଶୀତଳତାର  ପରଶଟି ଦେଇ ଦେହ-ମନକୁ ନୈସର୍ଗିକ ଆନନ୍ଦ ପ୍ରଦାନ  କରୁଥିବା କଥାଟି ମୋ ପରି ବାସିନ୍ଦାମାନେ ଏବେଯାଏଁ  ଭୁଲିନଥିବେ ନିଶ୍ଚୟ । ହେଲେ ଏହା ନିରାଟ ସତ୍ୟ ଯେ,  ମାନବର ବିକାଶ କଥା ଉଠିଲେ ସବୁଠି ପରିବେଶକୁ  ହିଁ ଆଗେ ଆଣ୍ଠେଇବାକୁ ହୋଇଥାଏ। ଏଠାରେ ତା'ର  ବ୍ୟତିକ୍ରମ ହୁଅନ୍ତା ବା କିପରି? ତଥାକଥିତ ରାଜପଥଟିକୁ  ଦୁଇ-ସୁରିଆ କରିବାର ନିଶାରେ ସମୂଳେ ବଳି ପଡ଼ନ୍ତି  କାଳ କାଳରୁ ଆସ୍ଥାନ ଜମାଇଥିବା ସେଇ ପାଦପ  ଗୋଷ୍ଠୀ, ଆଉ ତା’ ସହିତ ହଜିଯାଏ ପ୍ରକୃତିଦତ୍ତ ସେଇ  ସବୁଜିମା ତୋରଣ, ଗ୍ରୀଷ୍ମସିକ୍ତ ଶୀତଳ ଆଶ୍ୱାସ, ବିହଙ୍ଗମ  କଳରବ ତଥା ନିମଫୁଲର ସୁଗନ୍ଧ । ବଦଳରେ କିନ୍ତୁ ଆସି  ଉଭାହୁଏ ସୂରୁଜର କଥା ମାନି ଡହଡହ ତାତୁଥିବା ପିଚୁ,  ଅଣଓସାରିଆ ଡିଭାଇଡର ଭିତରେ ଜୀବନ-ମରଣର  ଦୋ’ଛକିରେ ଛିଡ଼ା କିଛି ସରୁ ସରୁ ବୃକ୍ଷ । ଆଉ ଏସବୁର  ମୂକସାକ୍ଷୀ ରୂପେ ଲମ୍ବା ରାସ୍ତା ଦିଗ୍‌ବଳୟରେ ଚମକୁଥିବା  ସେଇ ଧୂସର ଲଣ୍ଡା ପାହାଡ଼ ଗୋଟିଏ ନିର୍ବାସିତ  ପକ୍ଷୀଶାବକଙ୍କ ବିଳାପକୁ ପ୍ରତିଧ୍ୱନିତ କରି । ଦାରୁଣ  ନିଦାଘର ଜଳୁଥିବା ଅପରାହ୍ନରେ ଅଳ୍ପ କେଇ ପଥଚାରୀ  ଓ ପଶୁପକ୍ଷୀଙ୍କ ଅବସ୍ଥା ଦେଖି ଦେଖି ପ୍ରାୟ ଏଇ ରାସ୍ତାରେ  ଘରକୁ ଫେରି ଛାତ ଉପର ଟାଙ୍କିର ଚାଉଳଫୁଟା ପାଣିରେ  ମୁହଁ ଧୋଇବାର ପ୍ରୟାସଟି କଲାବେଳକୁ ଏଇ ଅହେତୁକ  ତାପ ଆଉ ଜୀବ ଉପରେ ତା'ର ପ୍ରଭାବକୁ ନେଇ  ଲେଖାଟିଏ ଲେଖିବାକୁ ଖପୁରି ଭିତର ଅଙ୍ଗଟି ବାରମ୍ବାର  ମତେ ଚେତେଇ ଦେଉଥିବାର ଅନୁଭବକୁ ମୁଁ ପ୍ରକାଶ  ନକରି ରହିପାରୁନି ।  

କିଛିବର୍ଷ ହେଲା ଖରାଦିନ ଆସିଲେ ହିଁ ପାରଦ  ପାରଦ ବୋଲି ହୁରି ପଡୁଥାଏ । ଓଡ଼ିଶାର ସବୁ ଜିଲ୍ଲା  ଊଣାଅଧିକେ ଏଥିରେ ସନ୍ତୁଳି ହେଉଥିଲେ ହେଁ  ଆଭ୍ୟନ୍ତରୀଣ ଅଞ୍ଚଳର ଲୋକେ ବେଶି ଦହଗଞ୍ଜ  ହୋଇଥାନ୍ତି ବୋଲି ଇତିହାସ ସାକ୍ଷୀ ।  ଜଳବାୟୁ ପରିବର୍ତ୍ତନର ଛତ୍ରଛାୟାରେ  ଏ ସମସ୍ୟା ଯେ ଦିନକୁ ଦିନ ଆହୁରି  ଉତ୍କଟ ହେବାରେ ଲାଗିଛି ଏଥିରେ କାହାରି ବି ସନ୍ଦେହ ହେବା ଅନୁଚିତ ।  ଏପ୍ରିଲ ୨୦୨୬ରେ ପ୍ରକାଶିତ  ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର  ‘ହିଟ୍‌ ଏଣ୍ଡ ହେଲ୍‌ଥ' ନାମକ ଏକ  ଆଲେଖ୍ୟରୁ ଚିନ୍ତା ଉଦ୍ରେକକାରୀ ବିଷୟଟିମାନ ଜଣାଯାଏ । ୨୦୦୦ରୁ  ୨୦୧୯ ମସିହା ମଧ୍ୟରେ ପ୍ରତିବର୍ଷ  ପାଖାପାଖି ୪୮୯୦୦୦ ଲୋକଙ୍କ  ମୃତ୍ୟୁ ଏଇ ତାପଜନିତ କାରଣରୁ  ହେବା ଏବଂ ଏଥିମଧ୍ୟରୁ ୪୫ ପ୍ରତିଶତ କେବଳ ଏସିଆ  ମହାଦେଶରେ ହୋଇଥିବା କଥା ହେଉ, କି ୨୦୧୦  ମସିହାରେ ରୁଷିଆରେ ଦେଖାଦେଇଥିବା ୪୪ ଦିନର  ଲମ୍ବା ହିଟ୍‌ୱେଭ୍‌ ହେତୁ ଅଧିକ ୫୬୦୦୦ ବ୍ୟକ୍ତିଙ୍କ ଜୀବନ  ଯିବା କଥା, ଅବା ହେଉ ୨୦୦୦ରୁ ୨୦୦୪ ଏବଂ ୨୦୧୭ରୁ  ୨୦୨୧ ମସିହା ମଧ୍ୟରେ ୬୫ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ତାପ  ସହ ସଂଶ୍ଳିଷ୍ଟ ମୃତ୍ୟୁ ପ୍ରାୟ ୮୫ ପ୍ରତିଶତ ବଢ଼ିଯିବା ଆଦି  ଜାଣିଲେ ମନ ବିଚଳିତ ହେବା ତ ସ୍ୱାଭାବିକ!

ଏମିତି ଅସହ୍ୟ ତାପମାତ୍ରାରେ ଅଧିକ ସମୟ  ଧରି ରହିଲେ ଯେ ଜୀବମାନଙ୍କ ଶରୀର ମଧ୍ୟରେ କି  କି ଧରଣର ବିକୃତି ସବୁ ଦେଖାଯାଇଥାଏ, ସେକଥାଟି  ଯେତେ ହୋଇପାରେ ବିସ୍ତୃତ ଭାବରେ ଆଲୋଚନା  କରିବା ଏ ଲେଖାଟିର ମୂଳ ଉଦ୍ଦେଶ୍ୟ । ବିଷୟର  ଗମ୍ଭୀରତାକୁ ଅନାୟାସରେ ହୃଦୟଙ୍ଗମ କରିବା ପାଇଁ  ଆମମାନଙ୍କଠାରୁ ଏ ଆଲୋଚନାକୁ ଆରମ୍ଭ କରିବା  ଉଚିତ ହେବ ବୋଲି ମୁଁ ଭାବୁଛି । ଏ ପରିପ୍ରେକ୍ଷୀରେ  ଆମେରିକାର ଅକୁପେସନାଲ୍‌ ସେଫ୍‌ଟି ଏଣ୍ଡ ହେଲ୍‌ଥ  ଏଡମିନିଷ୍ଟ୍ରେସନ୍‌ (ଓଏସ୍‌ଏଚ୍‌ଏ) ତରଫରୁ ପ୍ରକାଶିତ  ତଥ୍ୟ କୁହେ ଯେ ଉଚ୍ଚ ବାୟୁମଣ୍ଡଳୀୟ ତାପମାତ୍ରା ବା ତାପ  ବିକିରଣ, ବାୟୁର ବେଶି ଆର୍ଦ୍ରତା, ଗରମ ଜିନିଷ ସହ  ଶରୀର ସଂସ୍ପର୍ଶରେ ଆସିବା ଅବା ଅତ୍ୟଧିକ ପରିଶ୍ରମ  ହେତୁ ଶରୀର ଅଧିକ ତାପକୁ ବରଦାସ୍ତ କରିନପାରିଲେ  ତାପଜନିତ ଚାପ ବା ହିଟ୍‌ ଷ୍ଟ୍ରେସ୍‌ ହୋଇଥାଏ । ତାପ  ସମ୍ବନ୍ଧୀୟ ବିକାରଗୁଡିକୁ ହିଟ୍‌ ରେସେସ୍‌, ହିଟ୍‌ ଫେଟିଗ୍‌,  ହିଟ୍‌ କ୍ରାମ୍ପସ୍‌, ହିଟ୍‌ ଏକ୍‌ଝର୍ସନ୍‌ ଓ ହିଟ୍‌ ଷ୍ଟ୍ରୋକ୍‌ ପରି  ନାନା ପ୍ରକାରରେ ବିଭକ୍ତ କରାଯାଇଥାଏ । ଯଦିଓ ଛୋଟ  ଆଲୋଚନାଗୁଡ଼ିକରେ ସବୁକୁ ସାମିଲ କରିବା ଅସମ୍ଭବ  ତଥାପି ହିଟ୍‌ କ୍ରାମ୍ପସ୍‌, ହିଟ୍‌ ଏକ୍‌ଝର୍ସନ୍‌ ଓ ହିଟ୍‌ ଷ୍ଟ୍ରୋକ୍‌  ବିଷୟରେ ଅନ୍ତତଃ କିଛି ଜାଣିନେବା ଭଲ ହେବ । ଏକ  ତାତିଲା ପରିବେଶରେ କଠିନ ପରିଶ୍ରମ କଲେ ଅତ୍ୟଧିକ  ଝାଳ ବୋହିବା କାରଣରୁ ଶରୀରର ଜଳୀୟ ଅଂଶ  କମିଯାଇ ଧାତବ ଲବଣଗୁଡ଼ିକ ଅସନ୍ତୁଳିତ ତଥା ଜମା  ହୋଇଯିବା ଫଳରେ ହିଟ୍‌ କ୍ରାମ୍ପସ୍‌ ହେବାର ଭୟ ରହେ ।  ଏଣୁ ଉଚ୍ଚ ତାପମାତ୍ରାରେ ବେଶି ସମୟ ରହିବାକୁ ହେଲେ  ଶୋଷ ହେବାକୁ ଅପେକ୍ଷା ନକରି ପ୍ରତି ୧୫-୨୦ ମିନିଟ  ଅନ୍ତରରେ ପାଣି ପିଇବା ବିଜ୍ଞତାର କାମ ହୋଇଥାଏ ।  ଏବେକାର ଗବେଷଣା ଅନୁସାରେ ହିଟ୍‌ କ୍ରାମ୍ପସ୍‌ ଦ୍ୱାରା  ପ୍ରଭାବିତ ହେଲେ ଶ୍ୱେତସାର-ଲବଣ ମିଶ୍ରିତ ତରଳ  ପଦାର୍ଥ ଶରୀରର ରାସାୟନିକ ପ୍ରକ୍ରିୟାକୁ ପୁନଃ ଠିକ୍‌  କରିବାରେ ବେଶ୍‌ ସାହାଯ୍ୟ କରିଥାଏ ବୋଲି ମଧ୍ୟ  ଏଥିରେ ସୂଚାଇ ଦିଆଯାଇଅଛି ।

 ସେହିପରି ହିଟ୍‌ ଏକ୍‌ଝର୍ସନ୍‌  ସମୟରେ ମୁଣ୍ଡବଥା, ମୁଣ୍ଡବୁଲା,  ବାନ୍ତି ଦେଖାଇବା, ଶୋଷ ହେବା କି  ଦୁର୍ବଳ ଲାଗିବା ପରି ଲକ୍ଷଣଗୁଡ଼ିକ  ତ ପ୍ରକାଶ ପାଏ, ହେଲେ  ସ୍ଥଳବିଶେଷରେ ଏହା ଅଣାୟତ୍ତ  ହୋଇ କଥା ମୂର୍ଚ୍ଛା ହେବା ପର୍ଯ୍ୟନ୍ତ  ଲମ୍ବିଯାଏ । ଅବଶ୍ୟ ଅବହେଳା  ନକରି ବେଳ ଥାଉଁ ଉପଚାର କଲେ  ଏହି ପରିସ୍ଥିତିରୁ ମୁକ୍ତି ମିଳିଯିବାର  ବାଟଟି ମଧ୍ୟ ଫିଟିଯାଏ । ସବୁ  ଦିଗରୁ ବିପଜ୍ଜନକ ଅବସ୍ଥାଟି କିନ୍ତୁ  ହେଉଛି ହିଟ୍‌ ଷ୍ଟ୍ରୋକ୍‌ ବା ଅଂଶୁଘାତ । ଭ୍ରମିତ ହେବା,  ମାନସିକସ୍ତରରେ ଅସନ୍ତୁଳିତ ହେବା, ଚମଡ଼ା ଶୁଖିଲା ଓ  ଝାଳ ନବାହାରିବା, ମୂର୍ଚ୍ଛା ଯିବା ପରି ଅନେକ ପ୍ରାଥମିକ  ଲକ୍ଷଣ ସହ ୧୦୫.୮ ଡିଗ୍ରୀ ଫା. ବା ୪୧ଡିଗ୍ରୀ ସେ. ପର୍ଯ୍ୟନ୍ତ  ଶରୀରର ଅନିୟନ୍ତ୍ରିତ ତାପମାତ୍ରା ଏହାର ଘାତକତାକୁ  ବହୁଗୁଣରେ ବଢ଼ାଇ ଦେଇଥାଏ । ଏହି ଅବସ୍ଥାରେ ତୁରନ୍ତ  ଡାକ୍ତରୀ ସହାୟତା ନମିଳିପାରିଲେ ପ୍ରାଣଟି ବି ସେ ପିଣ୍ଡକୁ  ମୁରୁଛି ଦେବାକୁ ବେଳ ଲାଗେନାହିଁ । କିନ୍ତୁ ଏଠାରେ  ମନେ ରଖିବାର ବିଷୟଟି ହେଉଛି, ଅଂଶୁଘାତ ହେଲେ  ଲୋକଟିର ଶାରୀରିକ ସୁସ୍ଥତା ଏବଂ ଉଭୟ ଉପଚାରର  ଆରମ୍ଭ ସମୟ ତଥା ପ୍ରଭାବଶାଳୀତା ସମପରିମାଣରେ  ଦାୟୀ ହୋଇଥାଏ ତାକୁ ସେ ବିକଟ ପରିସ୍ଥିତିରୁ ଉଦ୍ଧାର  କରିବାକୁ । ନିକଟ ଅତୀତରେ ଦିଲ୍ଲୀର ଟାଣ ଖରାରେ  ୫ ଲିଟରରୁ ବେଶି ପାଣି ପିଇ ଦିନଯାକ ଧାଁ ଧଉଡ଼ରେ  ମାତିଥିବା ଏକ ୨୫ବର୍ଷର ଯୁବକର ତାପ ସଂକ୍ରାନ୍ତୀୟ  ବିକାରରେ ପ୍ରଭାବିତ ହେବାର ଉଦାହରଣ ମାଧ୍ୟମରେ  ଆରମ୍ଭ ହୋଇଥିବା ‘ଦ ଇଣ୍ଡିଏନ୍‌ ଏକ୍ସପ୍ରେସ୍‌ରେ ପ୍ରକାଶିତ  ଡ. ରୋମେଲ୍‌ ଟିକ୍କୋଙ୍କ ଏକ ସୁନ୍ଦର ଲେଖାରୁ ଜଣାଯାଏ  ଯେ, କେବଳ ପାଣି ପିଇ ଅଂଶୁଘାତରୁ ରକ୍ଷା ପାଇଯିବାର  ଆଶା କରିବା ହୁଏତ ମୂର୍ଖାମି ହୋଇପାରେ । କାରଣ ଏହି  ଚରମ ସମୟରେ ଆମ ଶରୀରରେ ଉଭୟ ଖାଦ୍ୟ ଓ  ପାନୀୟର ଆବଶ୍ୟକତା ବରାବର ଲାଗିରହେ ଶରୀରସ୍ଥ  ଜଳ ଓ ଶରୀର-ଲବଣ ମାତ୍ରାକୁ ସୁନିଶ୍ଚିତ କରିବା ପାଇଁ ।

ଅଦ୍ୟାବଧି ଆଲୋଚନାଟି ମାନବକୈନ୍ଦ୍ରିକ ହେଲେ  ହେଁ ଅନ୍ୟ ପ୍ରାଣୀମାନଙ୍କ ଠାରେ ମଧ୍ୟ ଉଚ୍ଚ ତାପର ସମାନ  ପ୍ରଭାବ ଯେ ରହିଛି, ଏ କଥାକୁ ଜଣାଇଦେବାକୁ ଗବେଷଣା  ବି କିଛି କମ୍‌ ନୁହେଁ । ଏ ସମ୍ପର୍କରେ ଆଉ ଟିକିଏ ଜାଣିବାକୁ  ଆମେ ୨୦୨୫ ମସିହାରେ ‘ଇଣ୍ଟନାସନାଲ ଜର୍ଣ୍ଣାଲ ଅଫ୍‌  ଭେଟନେରୀ ସାଇନ୍‌ସେସ୍‌ ଏଣ୍ଡ ଏନିମଲ୍‌ ହସ୍‌ବେଣ୍ଡାରୀ’ ନାମକ ପତ୍ରିକାରେ ପ୍ରକାଶିତ ପଟେଲ ଏବଂ ପ୍ରଜାପତିଙ୍କ  ଲେଖାକୁ ବିଚାରକୁ ନେଇପାରିବା । ତାପ ପ୍ରାଣୀଧନଙ୍କ  ପ୍ରସ୍ତୁତି, ଉତ୍ପାଦନ କ୍ଷମତା, ପ୍ରଜନନ ତଥା ସାଧାରଣ ସ୍ୱାସ୍ଥ୍ୟକୁ ଅସାଧାରଣ ରୂପରେ ପ୍ରଭାବିତ କରିଥାଏ ।  ହିଟ୍‌ ଷ୍ଟ୍ରେସ୍‌ ସିଧାସଳଖ ଜୈବ ରାସାୟନିକ ପ୍ରକ୍ରିୟା  ସବୁକୁ ଏପଟ ସେପଟ କରି ତାଙ୍କଠେଇଁ ହର୍‌ମୋନ୍‌ର  ଭାଗମାପକୁ ବିଗାଡ଼ି ଦେବା ସହିତ ସେମାନଙ୍କର ରୋଗ  ପ୍ରତିରୋଧକ ଶକ୍ତି ତଥା ପାକୁଳି କରିବାର ସାମର୍ଥ୍ୟକୁ  କମାଇ ଦେବାର ଜଣାଯାଇଅଛି । ୧ରୁ ୫ଡିଗ୍ରୀ ସେ.  ତାପମାତ୍ରାର ବୃଦ୍ଧି ଚରୁଥିବା ବାଛୁରୀମାନଙ୍କ ମୃତ୍ୟୁହାରକୁ  ବଢ଼ାଇ ଦେଉଥିବାର କଥାଟି ବି ଏହାର ଭିନ୍ନ ଏକ  ଉଦାହରଣ, ଯାହାକି ଲାଇଭଷ୍ଟକ୍‌ ସାଇନ୍ସ ନାମକ  ଜର୍ଣ୍ଣାଲରେ ୨୦୧୦ ମସିହାରେ ପ୍ରକାଶିତ ନର୍ଡୋନ ଓ  ସାଥୀଙ୍କ ଲେଖାରୁ ଅନୁମେୟ । ଏଥିସହ ଏହା ମଧ୍ୟ  ଏବେ ଅଜଣା ନୁହେଁ ଯେ, ବିଶ୍ୱତାପନ ପ୍ରଭାବରେ ମାଟି  ଅହେତୁକ ତାତିଯିବା ହେତୁ ତହିଁ ବସବାସ କରୁଥିବା ଜିଆ ତଥା ବୀଜାଣୁ ଆଦି ଦରକାରୀ ଜୀବମାନଙ୍କ  ଜୀବନଚକ୍ରରେ ପରିବର୍ତ୍ତନ ଘଟିଥାଏ । ପ୍ରକାରାନ୍ତରେ  ମାଟିର ଅଙ୍ଗାରକ, ଯବକ୍ଷାରଜାନ, ଫସଫରସ୍‌ ଆଦିର  ଅନୁପାତିକ ପରିବର୍ତ୍ତନ କରିବାରେ ସକ୍ଷମ ଏହି  ତାପରୂପକ କାରକଟି ବିଘଟନ, ଯବକ୍ଷାରଜାନ ବିବନ୍ଧନ  ଭଳି ପ୍ରକ୍ରିୟା ସବୁକୁ ପ୍ରଭାବିତ କରି ଜମିର ଉର୍ବରତା  ସହିତ ମଧ୍ୟ ଖେଳ ଖେଳିବାର ନଜିର ରହିଛି । ଉଚ୍ଚତାପ  ଜନିତ ବିକାର ସବୁରୁ ବୃକ୍ଷଲତା ଅବା ପୂରାପୂରି ଦୂରରେ  ରହନ୍ତେ ବା କିପରି?

ଏହି ଧାରଣାକୁ ସିଦ୍ଧ କରିବାକୁ  ଇଣ୍ଟରନାସନାଲ୍‌ ଜର୍ଣ୍ଣାଲ ଅଫ୍‌ ମଲିକୁଲାର୍‌ ସାଇନ୍ସ  ନାମଧାରୀ ଗବେଷଣା ପତ୍ରିକାରେ ୨୦୨୩ ମସିହାରେ  ପ୍ରକାଶିତ ମିଶ୍ର ଏବଂ ସହ-ଗବେଷକଙ୍କ ନିବନ୍ଧ ଆଦିକୁ  ବିଚାରକୁ ଅଣାଯାଇପାରେ। ତାପମାତ୍ରା ବଢ଼ିବା ହେତୁ  ସାମଗ୍ରିକ ଭାବରେ ଉଦ୍ଭିଦର ବୃଦ୍ଧି, ବିକାଶ ତଥା ପ୍ରଜନନ  ପ୍ରଭାବିତ ହୋଇଥାଏ ବୋଲି କୁହାଯାଇପାରେ । ଟିକିଏ  ଭିତରକୁ ଗଲେ କିନ୍ତୁ ବୁଝାପଡେ ଯେ, ବେଶି ତାପମାତ୍ରା  ବୃକ୍ଷର ଖାଦ୍ୟ ତିଆରି କରିବାର ପ୍ରକ୍ରିୟା, ଶ୍ୱସନ ପ୍ରକ୍ରିୟା,  ଉଭୟ ଜଳ ତଥା ଖଣିଜ ଲବଣ ଭିତରକୁ ନେବା ଓ  ପରିବହନ କରିବା ପରି ଅତି ଦରକାରୀ କ୍ରିୟାଗୁଡିକୁ  ଠିକ୍‌ଭାବରେ ହେବାକୁ ନଦେବା ହେତୁ ତା’ ନିକଟରେ  ବିକୃତି ସବୁ ଦେଖାଦେଇଥାଏ । ଏତେ ବିଚିତ୍ରତା ଭିତରେ  କିନ୍ତୁ ଏକଥା ବି ସତ ଯେ, ବେଶି ତାପମାତ୍ରା କିଛି  ଜୀବଙ୍କ ପ୍ରଜନନ କ୍ଷମତାକୁ ବଢ଼ାଇ ଦେଉଥିବା ବେଳେ  ମେରୁ ସଂଲଗ୍ନ ପର୍ମାଫ୍ରଷ୍ଟ (କୁହାଯାଇପାରେ ମାଟିମିଶା  ବରଫକଣାର ଶକ୍ତ ପରସ୍ତ)କୁ ତରଳାଇ ଦେଇ ତହିଁ  ମଧ୍ୟରେ ଅନନ୍ତ କାଳରୁ ଶୋଇ ରହିଥିବା ବିଗତ ଦିନର  ଅଣୁଜୀବଙ୍କୁ ପୁନଃ ସଚଳ କରିବା ସହ ଭବିଷ୍ୟତର  ଅବାଞ୍ଛିତ ମହାମାରୀକୁ ନିମନ୍ତ୍ରଣ ଦେଇଥାଏ ।  

ଏତେଗୁଡ଼ିଏ ଲେଖାଲେଖିର ମୂଳରେ କିନ୍ତୁ ରହିଛି  ସଭିଙ୍କୁ ଗୋଟିଏ କଥା ସ୍ୱଷ୍ଟଭାବରେ ଜଣାଇଦେବାକୁ  ଯେ, ମାନବର ଏହି ସ୍ୱ-ଅର୍ଜିତ ପରିବେଶୀୟ କୋପ  ଠାରେ ପୃଥିବୀର ସମସ୍ତ ଜୀବଙ୍କ ନିଅଁକୁ ସମାନ ଭାବରେ  ଦୋହଲାଇ ଦେବାର କ୍ଷମତା ରହିଛି । ଏଣୁ ବିକାଶର  ରଙ୍ଗୀନ ଚଷମାଟି ନାଇ କେବଳ ନିଜ ସ୍ୱାର୍ଥପାଇଁ ପ୍ରକୃତିକୁ  ଦୋହନ କରିଚାଲିଲେ ଏଇ ବିସ୍ମୟକର ଗ୍ରହଟିରୁ ଜୀବନ  ବୋଲି ଅନନ୍ୟ ଚିଜଟି ଉଭାନ ହୋଇଯିବାର ଯେ ଯଥେଷ୍ଟ  ସମ୍ଭାବନା ରହିଛି, ଏକଥା ଆମେ ଯେତେଶିଘ୍ର ବୁଝିପାରିବା  ତାହା ଆମପାଇଁ ତଥା ଅନ୍ୟ ଜୀବଙ୍କ ପାଇଁ ମଙ୍ଗଳକର  ହେବ ବୋଲି ମୋର ବଦ୍ଧମୂଳ ଧାରଣା ।