ଭୁବନେଶ୍ୱର, ୦୨/୦୩: ମହିଳା ସଶକ୍ତୀକରଣ ଆଉ ସ୍ଲୋଗାନ ହୋଇ ରହିନାହିଁ । ଚାଷଠାରୁ  ଆରମ୍ଭ କରି ଅନ୍ୟ ସବୁଥିରେ ମହିଳାମାନେ ପାରଦର୍ଶିତା ଦେଖାଉଛନ୍ତି । ସବୁ ବାଧାବିଘ୍ନକୁ ଟପି ସେମାନେ ସ୍ଥାପନ କରୁଛନ୍ତି ନୂଆ ମାଇଲଖୁଣ୍ଟ । ୨୦୩୬  ବେଳକୁ ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ନେଇ ଯୋଜନା ରହିଛି । ଦେଶର ବିକାଶ ଧାରାରେ ଓଡ଼ିଶା ଇଞ୍ଜିନ । ଏ କ୍ଷେତ୍ରରେ ମହିଳା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘ପ୍ରମେୟ’  ଓ ‘ନ୍ୟୁଜ୍‌-୭’ ପକ୍ଷରୁ ସୋଆ ପ୍ରାଚୀନର ମିଳିତ  ସହଯୋଗରେ ସ୍ଥାନୀୟ କ୍ରିଷ୍ଟାଲ କ୍ରାଉନ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି ‘ଉଦ୍ୟୋଗ ଉର୍ଜା’ ୨୦୨୬ ।  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ  ପାଢ଼ୀ, ଅନ୍ୟତମ ଅତିଥି ସୋଆ ବିଶ୍ୱବିଦ୍ୟାଳୟର ଉପସଭାପତି ତଥା ସୁମା ରିୟଲ ମିଡିଆ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ଏବଂ ସମ୍ମାନିତ  ଅତିଥି ଭାବେ ଟେଲି ଅଭିନେତା ଅମର ଉପାଧ୍ୟାୟ ଯୋଗ ଦେଇ ୨୧ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନିତ  କରିଥିଲେ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଗତ ୪ଟି  ସଂସ୍କରଣରେ ମୋଟ ୧୦୦ରୁ ଉଦ୍ଧ୍ୱର୍ ସଫଳ ମହିଳା  ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଛି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀମତୀ ପାଢ଼ୀ କହିଲେ, ସୃଷ୍ଟିର ଏକ ଅଭିନ୍ନ ଅଙ୍ଗ ହେଉଛି ନାରୀ ।  ଏବେ ରାଜ୍ୟର ତୃଣମୂଳ ସ୍ତରର ମହିଳାମାନେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନେ ଖାଦ୍ୟ ପ୍ରକ୍ରିୟାକରଣ ସହ  ବିଭିନ୍ନ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇ ସ୍ଥାପନ କରି ନିଜକୁ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରୁଛନ୍ତି । ପାରମ୍ପରିକ ପିଠା ସଂସ୍କୃତିକୁ ପ୍ରଚାର ପ୍ରସାର କରୁଛନ୍ତି । ସେମାନେ ସମୃଦ୍ଧିରେ  ସକ୍ରିୟ ସହଭାଗୀ । ସେମାନଙ୍କ ଉନ୍ନତି ସମାଜର ଉନ୍ନତି ।  ଏଆଇ ଏବଂ ଡିଜିଟାଲ ଯୁଗ ସହ ନିଜକୁ ଖାପ ଖୁଆଇ ସେମାନେ ଅଗ୍ରସର ହୁଅନ୍ତୁ । ଓଡ଼ିଆ ସ୍ୱାଭିମାନ ସହ ସମୃଦ୍ଧ ଓଡ଼ିଶାରେ ସକ୍ରିୟ ଭାଗୀଦାର ହୁଅନ୍ତୁ । ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଦିଗରେ ‘ପ୍ରମେୟ’ ଓ  ‘ନ୍ୟୁଜ-୭’ ଉଦ୍ୟମ ପ୍ରଶଂସାଯୋଗ୍ୟ । ସୁମା ରିୟଲ ମିଡିଆର ନିର୍ଦ୍ଦେଶିକା ଶାଶ୍ୱତୀ  ଦାସ କହିଲେ, ପ୍ରତିଭାଙ୍କୁ ସମ୍ମାନ ସହ ବିକାଶରେ  ଯୋଗଦାନ ଦେବା ସୋଆ ଏବଂ ସୁମା ରିୟଲ ମିଡ଼ିଆ  ପରିବାରର ଆଦର୍ଶ । ସବୁ କ୍ଷେତ୍ରରେ ନାରୀ ଶକ୍ତିର  ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାକୁ ‘ପ୍ରମେୟ’, ‘ନ୍ୟୁଜ-୭’ ଏବଂ ସୋଆ ପରିବାର ହୃଦୟଙ୍ଗମ କରିଛି ।

ସେଠାରୁ ଆଉ ପାଦେ ଆଗକୁ ବଢ଼ି ବାଣିଜ୍ୟ କ୍ଷେତ୍ରରେ  ସକ୍ରିୟ ଯୋଗଦାନ ଦେଉଥିବା ମହିଳାଙ୍କୁ ଉତ୍ସାହିତ  କରିବା ଲାଗି ‘ଉଦ୍ୟୋଗ ଉର୍ଜା’ ସମ୍ମାନ ଭଳି ନିଆରା କାର୍ଯ୍ୟକ୍ରମ ୫ ବର୍ଷ ତଳେ ଆରମ୍ଭ ହୋଇଥିଲା । ଏହା  ଦ୍ୱାରା ୧୦୦ରୁ ଉର୍ଦ୍ଧ୍ବ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନିତ  କରାଯାଇଛି । ଆମର ଏହି ଉଦ୍ୟମ ନିଶ୍ଚିତ ପକ୍ଷେ  ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଏବଂ ଅଧିକ  ମହିଳା ଉଦ୍ୟୋଗୀ ସୃଷ୍ଟି କରିବାକୁ ପ୍ରେରଣା ଦେବ  ବୋଲି ଆଶା । ତୃଣମୂଳ ସ୍ତରରେ ପ୍ରତିଭାଙ୍କ ନିକଟରେ  ପହଞ୍ଚି ସେମାନଙ୍କୁ ଆଗକୁ ବଢ଼ିବାରେ ଉତ୍ସାହିତ କରିବା  ଉଦ୍ୟମ ଜାରି ରହିବ । ଟେଲି ଅଭିନେତା ଅମର ଉପାଧ୍ୟାୟ କହିଲେ,  ଆମ ଜୀବନରେ ନାରୀଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ।  ମୋତେ ଆଜି ଯେଉଁ ସଫଳତା ମିଳିଛି ସେଥିରେ  ମାଆ ଏବଂ ପତ୍ନୀଙ୍କ ନିରନ୍ତର ସହଯୋଗ ଏବଂ  ଭଲପାଇବା ବେଶ୍‌ କାମ ଆସିଛି । ମାଆ ଏବେ ପାଖରେ  ନାହାନ୍ତି, ହେଲେ ସେ ଜୀବନ ବଞ୍ଚିବା ଲାଗି ଯେଉଁ  ଉପାଦେୟ କଥା ସବୁ ଶିଖାଇ ଯାଇଛନ୍ତି ତାହା ସାରା  ଜୀବନ କାମରେ ଆସିବ । ମାଆଙ୍କ ପରେ ପତ୍ନୀ ମଧ୍ୟ  ଅଭିବୃଦ୍ଧିରେ ବଡ଼ ଯୋଗଦାନ ଦେଇଛନ୍ତି । ମହିଳାମାନେ  ସବୁବେଳେ ସ୍ୱତନ୍ତ୍ର । ମହିଳା ସମ୍ମାନ ଦିଗରେ ସୋଆ  ପରିବାରର ଏଭଳି ଉଦ୍ୟମ ପ୍ରଶଂସାଯୋଗ୍ୟ । ସଫଳ  ମହିଳାଙ୍କ ଗହଣରେ ଏହି ଦିନଟି ସ୍ମରଣୀୟ ।

ଗ୍ରୁପ ଡାଇରେକ୍ଟର (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ)  ହିମାଂଶୁ ହୋତା କହିଲେ, ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କୁ  ରାଜ୍ୟରେ ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ଗତ ୨୫ ବର୍ଷ  ତଳେ ପ୍ରଫେସର ଡ. ମନୋଜରଞ୍ଜନ ନାୟକ ସୋଆ  ବିଶ୍ୱବିଦ୍ୟାଳୟର ପରିକଳ୍ପନା କରିଥିଲେ । ‘ଗିଭିଂ ବ୍ୟାକ ଟୁ ସୋସାଇଟି’ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି  ଅନୁଷ୍ଠାନ ଏବେ ବିଶାଳ ରୂପ ଧାରଣ କରିବା ସହ  ଦେଶବିଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ  ଯୋଗଦାନ ଜାରି ରଖିଛି । ଶିକ୍ଷା, ସ୍ୱାସ୍ଥ୍ୟ ସହ ରାଜ୍ୟର  ବିକାଶ ଲାଗି ୩୬୦ ଡିଗ୍ରୀ ଗଣମାଧ୍ୟମ ଆଭିମୁଖ୍ୟ ନେଇ ସକ୍ରିୟ ଯୋଗଦାନ ଜାରି ରହିଛି । ପ୍ରତିଭାଙ୍କୁ ସମ୍ମାନ, ବିକାଶରେ ଯୋଗଦାନ ଆମ ଲକ୍ଷ୍ୟ ।  ପ୍ରତିବର୍ଷ ଉଦ୍ୟୋଗ ଉର୍ଜା କାର୍ଯ୍ୟକ୍ରମ ବ୍ୟାପକ ହେଉଛି ।  ଏଥିରେ ନିରନ୍ତର ଅଧିକ ମହିଳା ଉଦ୍ୟୋଗୀ ଯୋଡ଼ି ହେଉଛନ୍ତି ।

କାର୍ଯ୍ୟକ୍ରମରେ ‘ପ୍ରମେୟ’ ଓ ‘ନ୍ୟୁଜ-୭’ର  ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ସୁମା ରିୟଲ  ମିଡିଆ ପ୍ରାଇଭେଟ୍ ଲିମିଟେଡର ସିଇଓ ସୁନୀଲ ଦାସ, ‘ପ୍ରମେୟ’ର ପ୍ରକାଶକ ପ୍ରଭାତ ରଞ୍ଜନ ନାୟକ, ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ‘ନ୍ୟୁଜ-୭’ କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ସେଲ୍‌ସ ଆଣ୍ଡ୍‌  ମାର୍କେଟିଂ ଡିଜିଏମ୍‌ ଏସ୍‌ଏଫ୍‌ ଅଲ୍ଲୀ, ଡିଜିଏମ୍‌ ସିଦ୍ଧାର୍ଥ  ରାଏ, ଡିଜିଏମ୍‌ ଜ୍ୟୋତିର୍ମୟ ପାଣିଗ୍ରାହୀ, ଏଜିଏମ୍‌  ବିଶ୍ୱରୂପ ପରିଡା, ପ୍ରସାର ବିଭାଗ ଏଜିଏମ୍‌ ରମାକାନ୍ତ  ମଲ୍ଲିକ, ପ୍ରମେୟ ଓଡ଼ିଆ ପୋର୍ଟାଲ ମୁଖ୍ୟ ଅମରେଶ  ଦାସ ଉପସ୍ଥିତ ଥିଲେ । ପ୍ରସାର ବିଭାଗ ଡିଜିଏମ୍‌  ଗଜେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । କୋରାପୁଟର  ଢ଼େମ୍‌ସା ନୃତ୍ୟ ପରିବେଷଣ କରିଥିଲେ କୋଟପାଡ଼  କଳାବିକାଶ କେନ୍ଦ୍ର ଗ୍ରୁପ । କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ ସୌଭାଗିନୀ ସାହୁ ।  ଏଥିରେ ଟାଇଟଲ ସ୍ପନସର ରହିଥିଲା ଖିମଜୀ  ଦୟାଭାଇ ଆଣ୍ଡ୍‌ କୋ ଗ୍ରୁପ ବ୍ରାଣ୍ଡ୍‌ ଆର୍ଣ୍ଣିକା । ଅନ୍ୟତମ  ପ୍ରମୁଖ ପ୍ରାୟୋଜକ ରହିଥିଲା ଫ୍ରିଡମ୍‌ ଅଏଲ ।  ସହଯୋଗୀ ପ୍ରାୟୋଜକ ଭାବେ ବେଦାନ୍ତ, ନାଲ୍‌କୋ,  ଓଡିଏମ୍‌ ଏଜୁକେଶନ ଗ୍ରୁପ, ଏଏମ୍‌/ଏନ୍‌ଏସ୍‌  ଇଣ୍ଡିଆ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ବେଦିକ  ଇଣ୍ଟରନ୍ୟାସନାଲ ସ୍କୁଲ, ଫାଲ୍‌କନ, ଜିନ୍ଦଲ ଷ୍ଟିଲ,  ଡାଲ୍‌ମିଆ ସିମେଣ୍ଟ, ପାରାଦୀପ ପୋର୍ଟ ଟ୍ରଷ୍ଟ, ଜୁପିଟର  ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ୍ସ, ପ୍ରୀତି ଏଣ୍ଟରପ୍ରାଇଜେସ୍‌,  ଇମ୍ଫା, ଅମରାବତିଭୂମି, ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି,  ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ, ସିଭିରମଣ ଗ୍ଲୋବାଲ  ୟୁନିଭର୍ସିଟି, ଏମ୍‌ସିଏଲ୍‌, ଗେଲ୍‌ ଇଣ୍ଡିଆ ଲିମିଟେଡ,  ଇଭୋସ, ଆଦିତ୍ୟ ମୋଟର୍ସ, ଏଚ୍‌ସିଜି, ହିଣ୍ଡାଲ୍‌କୋ,  ଏସାର ମିନମେଟ ଲିମିଟେଡ, ଏସ୍‌ବିଆଇ, ଶୁଶ୍ରୁତ  ହସ୍ପିଟାଲ୍‌ସ ଆଣ୍ଡ୍‌ ଟ୍ରମା କେୟାର ପ୍ରାଇଭେଟ ଲିମିଟେଡ,  କଳିଙ୍ଗ ହସ୍ପିଟାଲ ଲିମିଟେଡ, ଫାୟାରଡଗ୍‌, ଏଓରା ବାଏ  ଏଚ୍‌ଜିବିଏଲ୍‌, ଇଣ୍ଡିଆନ ଅଏଲ୍‌ ରହିଥିଲେ । ସେହିଭଳି  ଗୋଲ୍ଡମେଡାଲ, ତନିସ୍କ ଗିଫ୍ଟ ପାର୍ଟନର, ହାଇଟେକ୍‌  ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ହେଲ୍‌ଥ ପାର୍ଟନର,  ଟରେଣ୍ଟ ଆଡଭର୍ଟାଇଜର୍ସ ଆଉଟଡୋର ପାର୍ଟନର,  ଟିଆଣ୍ଡ୍‌ଟି ମୋଟର୍ସ ମୋବିଲିଟି ପାର୍ଟନର ରହିଥିଲା ।

ଫଟୋରେ ଖବର -୨୧ ଜଣଙ୍କୁ ଉଦ୍ୟୋଗ ଉର୍ଜା ସମ୍ମାନ​​​​​​​