ଦେଶର ବିକାଶ ପଛରେ ରହିଛି  ଦେଶବାସୀଙ୍କର ଦେଶର ନେତୃତ୍ୱ  ଉପରେ ଅଖଣ୍ଡ ବିଶ୍ୱାସ ଓ ଆଗକୁ  ବଢ଼ିବା ପାଇଁ ଆତ୍ମବିଶ୍ୱାସ । ମୋଦିଜୀଙ୍କର ନେତୃତ୍ୱରେ ଡବଲ୍‌ ଇଞ୍ଜିନ ସରକାର  ଓଡ଼ିଶାର ଭାଗ୍ୟୋଦୟରେ ନିର୍ଣ୍ଣାୟକ  ଭୂମିକା ନେବ । ଏହା ସମ୍ଭବ ହେବା  ପଛରେ ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ  ପୂର୍ବୋଦୟ ବିଚାର ମୂଳ ସହାୟକ ହେବ ।  ମୋଦିଜୀଙ୍କ ଆଜି ଓଡ଼ିଶା ଆଗମନ ଓ  ବିକଶିତ ଓଡ଼ିଶା ଗଠନ ପାଇଁ ‘ଯୁବ  ସମାବେଶ'ରେ ଯୋଗଦାନ ଅବସରରେ  ତାଙ୍କୁ ସ୍ୱାଗତ କରିବା ।​​​​​​​

cm ​​​​​​​​​​​​​​

"ସେବା ପକ୍ଷ'ର ଗୌରବମୟ ସମୟରେ ଦେଶର  ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପୁଣି  ଓଡ଼ିଶା ଆଗମନ ଆମେ ୪.୫କୋଟି ଓଡ଼ିଆଙ୍କ ପାଇଁ ସମ୍ମାନ ଓ  ସ୍ୱୀକୃତିର ଦିନ । ସାଢ଼େ ଚାରିକୋଟି ଓଡ଼ିଆଙ୍କ ତରଫରୁ ମୁଁ ଏହି  ମହାନ ବିଭୂତିଙ୍କର ଜନ୍ମଦିନ ଅବସରରେ ସେବା ମାଧ୍ୟମରେ  ପାଳନର ମହାନ ପରମ୍ପରାରେ ସାମିଲ ହୋଇଥିବା ଆପଣମାନଙ୍କ  ତରଫରୁ ମୋଦିଜୀଙ୍କୁ ସ୍ୱାଗତ କରୁଛି । ମହାପ୍ରଭୁ ଜଗନ୍ନାଥ, ମା'  ସମଲେଇ ତଥା ଓଡ଼ିଶାର ଏହି ପୁଣ୍ୟଭୂମିର ଆଶୀର୍ବାଦ ତାଙ୍କୁ  ଦୀର୍ଘ, ନିରାମୟ ତଥା ଦେଶ ଓ ଦେଶବାସୀଙ୍କ ସେବା ପାଇଁ  ଆହୁରି କର୍ମଠ କରୁ ଏହି ଦିନରେ ମୋର ଏତିକି ପ୍ରାର୍ଥନା ।  ରାଜ୍ୟରେ ବିଜେପି ସରକାର କାର୍ଯ୍ୟଭାର ଗ୍ରହଣ କରିବା ଅର୍ଥାତ୍‌  ନୂଆ ମନ୍ତ୍ରିମଣ୍ଡଳ ଶପଥ ଦିନ ଓଡ଼ିଶା ଗସ୍ତଠାରୁ ଆଜି ଝାରସୁଗୁଡ଼ା  ଗସ୍ତକୁ ହିସାବ କଲେ ଏହା ତାଙ୍କର ସପ୍ତମ ଓଡ଼ିଶା ଗସ୍ତ । ଏହା  ସତ, ଦେଶ ସ୍ୱାଧୀନତାଠାରୁ ଦେଶରେ ଯେତେ ପ୍ରଧାନମନ୍ତ୍ରୀ  ହୋଇଛନ୍ତି ସେମାନେ ସମସ୍ତେ ମିଶି ଓଡ଼ିଶାକୁ ଯେତେଥର  ଆସିଛନ୍ତି ମୋଦୀ ତାଙ୍କର କାର୍ଯ୍ୟକାଳରେ ତା’ଠାରୁ ଅଧିକ ଥର  ଆମ ରାଜ୍ୟକୁ ଗସ୍ତ କରିସାରିଲେଣି । ଏହା ଏହି ରାଜ୍ୟକୁ,  ରାଜ୍ୟବାସୀଙ୍କୁ ତାଙ୍କ ହୃଦୟର ନିଭୃତତମ କୋଣରୁ ଭଲପାଇବା  ବିନା ସମ୍ଭବ ନୁହେଁ । ଆଜି ମୋଦିଜୀ ଝାରସୁଗୁଡାରେ ‘ଯୁବ  ସମାବେଶ'କୁ ସମ୍ବୋଧନ କରିବେ ଏବଂ ଅନେକ ବିକାଶମୂଳକ  କାର୍ଯ୍ୟର ଶୁଭାରାମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଓଡ଼ିଶା ଓ  ଓଡ଼ିଶାବାସୀଙ୍କୁ ଏତେ ଭଲପାଉଥିବା ଓଡ଼ିଶାର ଏହି ମହାନ୍‌  ଦରଦୀବନ୍ଧୁଙ୍କୁ ପୁଣି ଥରେ ହୃଦୟରୁ ସ୍ୱାଗତ କରୁଛି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ୧୭  ସେପ୍ଟେମ୍ବରରୁ ୧୫ଦିନ ପର୍ଯ୍ୟନ୍ତ ଆମେ ସେବା ପକ୍ଷ ପାଳନ କରିବା  ପଛରେ ଭାରତୀୟ ଜନତା ପାର୍ଟିର ରାଜନୈତିକ ସିଦ୍ଧାନ୍ତର ପ୍ରତିଫଳନ  ମାତ୍ର, ଆମେ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ରାଜନୀତି ସରକାର  ବା କ୍ଷମତାକୈନ୍ଦ୍ରିକ ନୁହେଁ । ବିଜେପି ଏବଂ ଏହାର ମୂଳ ଦଳ ଜନସଂଘ  ଆରମ୍ଭରୁ ରାଜନୀତିର ପୃଷ୍ଠଭୂମି ଲୋକକଲ୍ୟାଣ । ସେବା ପକ୍ଷ  ମୋଦିଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରୁ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ  ଜୟନ୍ତୀ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ସତ, ମାତ୍ର ବର୍ଷର ୩୬୫ଦିନ  ଆମପାଇଁ ରାଜନୀତି ସେବା ଓ ସମର୍ପଣର ଦିନ । ଏହି ୧୫ଦିନରେ  ପ୍ରତ୍ୟକ୍ଷ ଭାବରେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ମାଧ୍ୟମରେ  ଓଡ଼ିଶାର ଜନସାଧାରଣଙ୍କୁ ଭାଗିଦାରୀ କରିବା ମୂଳ ଉଦ୍ଦେଶ୍ୟ ।  ମୁଁ ଅତ୍ୟନ୍ତ ଆନନ୍ଦିତ, ମୋଦିଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରର  ଅବ୍ୟବହିତ ପୂର୍ବରୁ ମା' ପାଇଁ ଗଛଟିଏ ଅଭିଯାନରେ ୭୫ଲକ୍ଷ  ବୃକ୍ଷରୋପଣ ପାଇଁ ମୁଁ ଅନୁରୋଧ କରିଥିଲି । ମୋ ରାଜ୍ୟବାସୀ  ଏହି ଦିନ ଦେଢ଼କୋଟି ଗଛ ଲଗାଇଥିବା ନିର୍ଦ୍ଧାରିତ ଆପ୍‌ ମାଧ୍ୟମରେ  ଅପଲୋଡ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଥିଲା ।

ମୋଦିଜୀଙ୍କ ଦୃଢ଼ ନେତୃତ୍ୱ କାରଣରୁ  ଓଡ଼ିଶାର ପ୍ରଗତି ଅଧିକ ଗତିଶୀଳ  ହୋଇଛି । ୨୦୧୪ରୁ ୨୦୨୫ ମୋଦିଜୀଙ୍କ  ୧୧ବର୍ଷର ଶାସନରେ ଓଡ଼ିଶା ତଥା  ଓଡ଼ିଶାବାସୀଙ୍କ ପାଇଁ ମୋଦିଜୀଙ୍କ ଦୁଆର  ଖୋଲା । କେମିତି ଓ କ'ଣ କ'ଣ  ଓଡ଼ିଶା ଲାଭ ପାଇଲା ଏହାର ବିବରଣୀ  ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ମୁଁ  ଏହି ଆଲେଖ୍ୟ ଲେଖୁନାହିଁ। ଆପଣମାନଙ୍କ  ଆଶୀର୍ବାଦରେ ରାଜ୍ୟରେ ବିଜେପି ସରକାର  ଗଠନ ହେଲା ଓ ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ  ଭାବେ ଦାୟିତ୍ୱ ନେଲି । ବିଜେପିର  କାର୍ଯ୍ୟକର୍ତ୍ତା ଓ ବିଧାୟକ ଭାବରେ ଅନେକ  ଥର ମୋଦିଜୀଙ୍କ ସାନିଧ୍ୟ ଲାଭ କରିଥିଲି ।

ମାତ୍ର ମୁଖ୍ୟମନ୍ତ୍ରୀ ହେବାପରେ ମୋଦିଜୀଙ୍କ  ସହ ସମ୍ପର୍କର ନିବିଡ଼ତା ସହ ସିଧା ସିଧା ତାଙ୍କରି ମାର୍ଗଦର୍ଶନ ଓ  ରୋଡ୍‌ ମ୍ୟାପ୍‌ ଆଧାରରେ ଓଡ଼ିଶାର ବିକାଶ ରଥକୁ ଦ୍ରୁତଗତିରେ  ଆଗେଇନେବାର ଭୂମିକା ମୋତେ ମୋଦିଜୀଙ୍କ ବ୍ୟକ୍ତିତ୍ୱ  ନେଇ ଅନେକ ସମୟରେ ଅନ୍ତର୍ମୁଖି କରିଛି । ମୋତେ ଓ ମୋ  ସରକାରକୁ ସମୟ ଓ ବିକାଶର କଷଟି ପଥରରେ ମାପିବାକୁ  ବାରମ୍ବାର ଚେଷ୍ଟା କରିଛି । ଯେତେଥର ଆତ୍ମସମୀକ୍ଷା କରିଛି,  ମୋଦିଜୀଙ୍କ ମାର୍ଗଦର୍ଶନକୁ ବ୍ୟାଖ୍ୟା କରିଛି, ସେତେଥର ମୋତେ  ଜନସେବାର ନୂଆ ନୂଆ ରାସ୍ତା ଦେଖାଯାଇଛି । ମୋର ମନେଅଛି, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ  ମୋଦିଜୀ ଗୁଜରାଟର ନର୍ମଦା ନଦୀକୂଳେ କେବଡ଼ିଆ ଠାରେ  ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ବିଶ୍ୱର ସର୍ବୋଚ୍ଚ  ମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି କଲେ । ମାତ୍ର ଦେଶର ଅନନ୍ୟ କିଷାନ  ନେତା ସର୍ଦ୍ଦାର ପଟେଲଙ୍କର ବିଶାଳ ଲୌହ ଅବୟବ ନିର୍ମାଣ ପାଇଁ  ସାରା ଦେଶକୁ ସାମିଲ କରିବା ପାଇଁ ଆମେ ଦଳୀୟ କାର୍ଯ୍ୟକର୍ତ୍ତା ଓ  ଦେଶର ସାଧାରଣ ଜନତାଙ୍କୁ ଆହ୍ୱାନ ଦେଲେ । ସେ ଅନୁରୋଧ  କଲେ ଦେଶର ପ୍ରତି ପରିବାରରୁ ଲୁହା ସଂଗ୍ରହ କରିବାକୁ । ବିଶେଷ  ଭାବରେ ଚାଷ କାମରେ ବ୍ୟବହୃତ ହୋଇଥିବା ହଳ-ଲଙ୍ଗଳ ବା  ଅନ୍ୟ ଉପକରଣର ଲୁହା ଦାନ କରିବାକୁ ଆହ୍ୱାନ ଜଣାଇଲେ ।  

ବିଜେପିର କାର୍ଯ୍ୟକର୍ତ୍ତା ଭାବରେ ଆମେ ଆମ ଅଞ୍ଚଳର ପରିବାର  ପରିବାର ବୁଲି ଲୁହାଖଣ୍ଡ ସବୁ ସଂଗ୍ରହ କଲୁ । ଘରକୁ ଘର ବୁଲି  ମୋଦିଜୀଙ୍କ ଆହ୍ୱାନ, ସର୍ଦ୍ଦାର ପଟେଲଙ୍କର ଦେଶକୁ ଅଖଣ୍ଡ ରଖିବାର  ଭାବନା ଏବଂ ଭବିଷ୍ୟତ ଭାରତ କଥା ଆଲୋଚନା କଲାବେଳେ  ସାଧାରଣ ପରିବାରମାନଙ୍କର ଏକ ରାଷ୍ଟ୍ରୀୟ ଆନ୍ଦୋଳନରେ ସାମିଲ  ହେବା ଖୁସିକୁ ସେତେବେଳେ ମନେମନେ  ଅନୁଭବ କରୁଥିଲୁ । ହୃଦୟଙ୍ଗମ ହେଉଥିଲା  ମୋଦିଙ୍କ ଭଳି ଜଣେ ବ୍ୟକ୍ତିତ୍ୱ କେବଳ  ସଫଳତାର ନାୟକ ନୁହଁନ୍ତି, ଜନଭାଗିଦାରୀ  ତାଙ୍କ କାର୍ଯ୍ୟପଦ୍ଧତିର ଅବିଚ୍ଛେଦ୍ୟ ଅଙ୍ଗ । ଭାରତୀୟ ସମାଜ ଜୀବନରେ ଆଉ  ଦୁଇ ବିଭୂତି ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ  ଜୀବନ ଦର୍ଶନ ସହ ମୋଦିଜୀଙ୍କ ବିଚାରରେ  ସମାନତାକୁ ମୁଁ ଅନୁଭବ କରୁଛି । ଗାନ୍ଧୀଜୀ  ଦେଶର ସ୍ୱାଧୀନତା ସଂଗ୍ରାମକୁ ଖାଲି  ବ୍ରିଟିଶ ସାଙ୍ଗରେ ଅସହଯୋଗରେ ସୀମିତ  ରଖିନଥିଲେ । ଅସହଯୋଗ ଆନ୍ଦୋଳନ  ସଫଳତା ପଛରେ ତାଙ୍କର ଜନଭାଗିଦାରୀ  ପାଇଁ ସୁଦୂରପ୍ରସାରୀ ଚିନ୍ତା, ଯୋଜନା ଏବଂ  ସଫଳ କ୍ରିୟାନ୍ୱୟନ ସ୍ପଷ୍ଟ ଦେଖାଯାଉଛି । କୁଟି  ଖାଅ- କାଟି ପିନ୍ଧ, ଲବଣ ସତ୍ୟାଗ୍ରହ ଆଦି ଲୋକଙ୍କୁ ଆନ୍ଦୋଳନ  ସହ ଯୋଡ଼ିବା ହିଁ ତ ଥିଲା ମୂଳ ଉଦ୍ଦେଶ୍ୟ । ଶାସ୍ତ୍ରୀଜୀଙ୍କ ନେତୃତ୍ୱରେ  ଦେଶ ଲଢ଼ୁଥିଲା ବିଦେଶୀ ଶକ୍ତି ସହ ସାମରିକ ଓ କୂଟନୈତିକ ଯୁଦ୍ଧ ।

ମୋଦିଜୀ ନିଜ ପ୍ରଧାନମନ୍ତ୍ରିତ୍ୱର ପ୍ରାରମ୍ଭିକ ବର୍ଷରେ ସ୍ୱଚ୍ଛତା  ଅଭିଯାନ ଆରମ୍ଭ କଲେ । ସେତେବେଳର ତାଙ୍କର ପ୍ରମୁଖ ସଚିବ  ନୃପେନ୍ଦ୍ର ମିଶ୍ରଙ୍କର ଅଳ୍ପଦିନ ତଳର ଏକ ଟିଭି ସାକ୍ଷାତକାର  ଦେଖିଥିଲି । ମୋଦିଜୀଙ୍କର ଜନତାଙ୍କର ସମସ୍ୟାର ଅନୁଭବ ଓ  ପ୍ରଶାସନିକ କଳକୁ ମାର୍ଗଦର୍ଶନର ପ୍ରସଙ୍ଗରେ ନୃପେନ୍ଦ୍ର ମିଶ୍ରଙ୍କ ବ୍ୟାଖ୍ୟା  ଆମଭଳି ନୂଆ ପିଢ଼ିର ରାଜନେତାଙ୍କୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ  କରୁଛି । ଲାଲକିଲ୍ଲାରୁ ଶୌଚାଳୟ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ  ସାମିଲ ପ୍ରସଙ୍ଗ ପ୍ରଶାସନିକ ବ୍ୟବସ୍ଥାକୁ ନୂଆ ନୂଆ ଲାଗୁଥିଲା । କିନ୍ତୁ  ଲାଲକିଲ୍ଲାରୁ ୨୦୧୪ ଅଗଷ୍ଟ ୧୫ ଭାଷଣରେ ମୋଦିଜୀଙ୍କୁ ଏହା  ସବୁଠୁ ବଡ଼ ଲାଗୁଥିଲା ।  

ମୋଦିଜୀ ଯେତେବେଳେ ରାସ୍ତାରୁ କାଗଜ ଉଠାଇ ନିଜ  ପକେଟରେ ରଖୁଛନ୍ତି ସ୍ୱଚ୍ଛତା ଜନଆନ୍ଦୋଳନରେ ନୂଆ ଉତ୍ସାହ  ଯୋଡ଼ି ହେଉଛି । ଆଣ୍ଡାମାନର ସମୁଦ୍ରକୂଳରେ ଯେତେବେଳେ  ନିଜେ ବୁଲି ଭାରତର ପର୍ଯ୍ୟଟନ ବିକାଶ ମାଧ୍ୟମରେ ଅର୍ଥନୀତିକୁ  ଦୃଢ଼ କରିବା ପାଇଁ ବାର୍ତ୍ତା ଦେଉଛନ୍ତି ତାହା ଜନଆନ୍ଦୋଳନ  ହେଉଛି । ଯେତେବେଳେ "ଦେଖା ଅପନା ଦେଶ' ସନ୍ଦେଶ  ଦେଉଛନ୍ତି ସେତେବେଳେ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ଭିଡ଼  ଲାଗିଯାଉଛି । ଖଦି ପିନ୍ଧିବାର ଆହ୍ୱାନ, ଦେଶରେ ନୂଆ ବାତାବରଣ  ସୃଷ୍ଟି କରୁଛି । ସମୟ ମିଳିଲେ ୟୁଟ୍ୟୁବ୍‌ ଖୋଲି ମୋ ପସନ୍ଦର ବ୍ୟକ୍ତିମାନଙ୍କର  ସାକ୍ଷାତକାର ଦେଖିବାକୁ ମୋତେ ଭଲ ଲାଗେ । ନିକଟରେ ଏକ  ଜାତୀୟ ଟିଭି ଚ୍ୟାନେଲର ୩ଜଣ ଆଙ୍କର ମୋଦିଜୀଙ୍କ ସାକ୍ଷାତକାର  କରୁଥିଲେ । ସେମାନଙ୍କର ପ୍ରଶ୍ନ ଥିଲା- ଆପଣ ଦେଶବାସୀଙ୍କ ମନ  ଉପରେ କବ୍‌ଜା କରିଦେଇଛନ୍ତି।

ମୋଦିଜୀ ନମ୍ରତାର ସହ ଉତ୍ତର  ଦେଇଥିଲେ ଜନ ମନକୁ ଯିଏ କବ୍‌ଜା କରିବାର ଦୁଃସାହସ କରିବ  ସିଏ ଶେଷ ହୋଇଯିବ । ଜନମନକୁ ବୁଝିବା ଦରକାର,  ଜନ ମନର ବିଚାର ଓ ଆମର ବିଚାର ମାଧ୍ୟମରେ ଥିବା  ଦୂରତାକୁ ବୁଝିବା ଏବଂ ଏହି ଦୂରତାକୁ ଦୂର କରି ଜନ  ମନର ଇଚ୍ଛାକୁ ସମ୍ମାନ ଦେଇ ସେମାନଙ୍କ ପାଖକୁ ଗଲେ  ସେମାନେ ଖୋଲା ମନରେ ଖାଲି ସ୍ୱୀକାର କରନ୍ତିନି,  ବରଂ ଏଥିରେ ଖୁସିରେ ସାମିଲ ହୋଇଯାଆନ୍ତି । ମୋଦିଜୀ ଆମ ରାଜ୍ୟରେ ବିକାଶ ପାଇଁ ନୂଆ  ସୁଯୋଗ ତିଆରି କରିଛନ୍ତି । ୟୁପିଏ ଶେଷ ୫ବର୍ଷରେ  ଆମ ରାଜ୍ୟର ରେଳବାଇ ପାଇଁ ବର୍ଷକୁ ହାରାହାରି  ୮୩୮କୋଟି ଟଙ୍କା ଆସୁଥିଲା । ଦେଶର ଶେଷ ରେଳ  ବଜେଟରେ ମୋଦିଜୀ ଓ ଅଶ୍ୱିନୀ ବୈଷ୍ଣବ ୧୦ହଜାର  ୫୯୯ କୋଟି ଅର୍ଥାତ୍‌ ୧୨.୬ ଗୁଣ ଅଧିକ ଅର୍ଥ ପ୍ରଦାନ  କରିଛନ୍ତି । ରାଜ୍ୟରେ ଏବେ ୮୦ହଜାର କୋଟିରୁ ଊଦ୍ଧ୍ୱର୍  ଟଙ୍କାର ରେଳ ପ୍ରକଳ୍ପ ଚାଲିଛି । ୧୨ହଜାର କୋଟିରୁ  ଊଦ୍ଧ୍ୱର୍ ଟଙ୍କାର ସଡ଼କ ପ୍ରକଳ୍ପ ନିର୍ମାଣ ଚାଲିଛି । ରାଜ୍ୟରେ  ଫିଜିକାଲ ଇନଫ୍ରାଷ୍ଟ୍ରକ୍‌ଚର୍‌ ହେଉ ବା ସୋସିଆଲ  ଇନଫ୍ରାଷ୍ଟ୍ରକ୍‌ଚର୍‌, ମୋଦିଜୀଙ୍କ ସମୟ ଓଡ଼ିଶା ପାଇଁ  ସୁବର୍ଣ୍ଣ ଯୁଗ।

ମୋଦିଜୀଙ୍କୁ ସ୍ୱାଗତ କରିବା ସମୟରେ ଗୋଟିଏ  କଥା କହିବି, ଆମ ପାଖରେ ଅମାପ ଖଣିଜ ସମ୍ପଦ, ସୁଦୀର୍ଘ  ବେଳାଭୂମି, ଅଜସ୍ର ଜଳ ସମ୍ପଦ, ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓ  ବୁଦ୍ଧିମାନ ମାନବ ସମ୍ବଳ ଅଛନ୍ତି³ ଯାହା ଭାରତର ଅନ୍ୟ କୌଣସି  ରାଜ୍ୟ ପାଖରେ ନାହିଁ । ଓଡ଼ିଶା ଧନୀ, ମାତ୍ର ଓଡ଼ିଆ ଗରିବ । ଆମକୁ  ଏହି ଅପମାନଦାୟକ ପରିସ୍ଥିତିରୁ ବାହାରିବାକୁ ପଡ଼ିବ । ଖାଲି ଓଡ଼ିଶା  ଧନୀ ନୁହେଁ, ଓଡ଼ିଶାବାସୀ ବି ସମ୍ପନ୍ନ । ଏହା ୨୦୩୬ ମସିହା ସୁଦ୍ଧା  ଆମେ ସମ୍ଭବ କରି ଦେଖାଇପାରିବା ।  ମୋଦିଜୀ ପ୍ରଧାନମନ୍ତ୍ରୀ ହେବାବେଳେ ଆମ ଦେଶ ବିଶ୍ୱର ୧୧ନଂ.  ଅର୍ଥନୀତି ଥିଲା । ଏବେ ଆମେ ୪ନଂ.ରେ । ଦେଶର ବିକାଶ ପଛରେ  ରହିଛି ଦେଶବାସୀଙ୍କର ଦେଶର ନେତୃତ୍ୱ ଉପରେ ଅଖଣ୍ଡ ବିଶ୍ୱାସ ଓ  ଆଗକୁ ବଢ଼ିବା ପାଇଁ ଆତ୍ମବିଶ୍ୱାସ ।

ମୋଦିଜୀଙ୍କର ନେତୃତ୍ୱରେ ଡବଲ୍‌  ଇଞ୍ଜିନ ସରକାର ଓଡ଼ିଶାର ଭାଗ୍ୟୋଦୟରେ ନିର୍ଣ୍ଣାୟକ ଭୂମିକା ନେବ ।  ଏହା ସମ୍ଭବ ହେବା ପଛରେ ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପୂର୍ବୋଦୟ  ବିଚାର ମୂଳ ସହାୟକ ହେବ । ମୋଦିଜୀଙ୍କ ଆଜି ଓଡ଼ିଶା ଆଗମନ  ଓ ବିକଶିତ ଓଡ଼ିଶା ଗଠନ ପାଇଁ ‘ଯୁବ ସମାବେଶ'ରେ ଯୋଗଦାନ  ଅବସରରେ ତାଙ୍କୁ ସ୍ୱାଗତ କରିବା । ଏହା ସହ ଜନଭାଗିଦାରୀ, ଗରିବ  କଲ୍ୟାଣ ଓ ଦ୍ରୁତ ଆର୍ଥିକ ବିକାଶକୁ ସଫଳ କରିବା ପାଇଁ ଶପଥ  ନେବା । ସାଢ଼େ ୪କୋଟି ଓଡ଼ିଆଙ୍କ ଏହି ବିକାଶ ଯାତ୍ରାରେ ଡବଲ  ଇଞ୍ଜିନ ସରକାର ଓ ମୁଁ ନିମିତ୍ତ ମାତ୍ର । ଜୟ ଜଗନ୍ନାଥ ।