ସଂସ୍କୃତିରୁ ସମୃଦ୍ଧି ଆଡ଼କୁ ଅଗ୍ରସର ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା । କଥା ଦେଇ କଥା ରଖିଛନ୍ତି ଲୋକଙ୍କ ସରକାର । ଓଡ଼ିଆ ଅସ୍ମିତା, ଶ୍ରୀଜଗନ୍ନାଥ ସଂସ୍କୃତିର ହେଉଛି ସୁରକ୍ଷା । ଲୋକତନ୍ତ୍ର ସେନାନୀ ଓ ସଂଗ୍ରାମୀ ଏବଂ କଳାକାରଙ୍କୁ ମିଳିଛି ସମ୍ମାନ । ପୁରୀକୁ ବିଶ୍ୱସ୍ତରୀୟ ଧାର୍ମିକ ସହର ଭାବେ ଗଢ଼ି ତୋଳିବାଠୁ ନେଇ ସୂର୍ଯ୍ୟମନ୍ଦିର ସୁରକ୍ଷା ପର୍ଯ୍ୟନ୍ତ ୩ ହଜାର ଐତିହ୍ୟର ସଂରକ୍ଷଣ ଦାୟିତ୍ୱ ହାତକୁ ନେଇଛନ୍ତି ସରକାର । ଆରମ୍ଭ ହୋଇଛି ଅସ୍ମିତା ଅଧ୍ୟାୟ । ଘଟଣାକ୍ରମେ ୨୦୨୫ ଅନେକ କିଛି ସାଇତିଛି, ହରାଇଛି ଏବଂ ନୂଆ ସୃଷ୍ଟିକୁ ସୁଯୋଗ ବି ଦେଇଛି । ଯାହାକୁ ଗୋଟାଇ ଗୁନ୍ଥିବାର ଛୋଟ ପ୍ରୟାସ ଅସ୍ମିତା ଅଧ୍ୟାୟର ଏହି ଯାତ୍ରାରେ... ।
ପ୍ରସ୍ତୁତି: ମନୋରଞ୍ଜନ ମହାନ୍ତି, ଅଳଙ୍କରଣ: ଅମିତ ବଳିୟାରସିଂହ

କୋଟି କୋଟି ସହାୟତା
ଐତିହାସିକ ବରଗଡ଼ ଧନୁଯାତ୍ରାକୁ କୋଟିଏ ଟଙ୍କାର ଆର୍ଥିକ ଅନୁଦାନ ସହିତ, ଯାତ୍ରାର ୨୦୦ କଳାକାରଙ୍କୁ ମିଳିବ ୧୦,୦୦୦ ଟଙ୍କା ଲେଖାଏଁ ସମ୍ମାନସୂଚକ ରାଶି । ସେହିପରି ଓଡ଼ିଆ ଜାତିର ଗୌରବ, ସାମୁଦ୍ରିକ ବାଣିଜ୍ୟ ଐତିହ୍ୟର ସ୍ମୃତି ବହନ କରୁଥିବା ବାଲିଯାତ୍ରା ପାଇଁ ସରକାରୀ ଅନୁଦାନ ୨ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଉଭୟ ଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ ସହ ଭାରତ ସରକାରଙ୍କ ପାଖରେ ତଥ୍ୟ ଉପସ୍ଥାପନ କରାଯାଇଛି । ପ୍ରଥମ ଥର ପାଇଁ ବିଭିନ୍ନ ଉତ୍ସବ, ମହୋତ୍ସବ, ଯାତ୍ରା ତଥା ପୂଜା ମଣ୍ଡପକୁ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ରାଜ୍ୟ ସରକାର । ୧୦୮୫ଟି ପ୍ରାଚୀନ ଦୁର୍ଗା ମେଢ଼କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ, ଶୀତଳ ଷଷ୍ଠୀ ଯାତ୍ରାକୁ ୧ କୋଟି ୮ ଲକ୍ଷ, ଢେଙ୍କାନାଳ ଜିଲ୍ଲାର ମୋଟ୍‌ ୩୮ଟି ଗଜଲକ୍ଷ୍ମୀ ମେଢ଼କୁ ୧୯ ଲକ୍ଷ, କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଭଦ୍ରକର କାଳୀ ପୂଜା ନିମନ୍ତେ କମିଟିଗୁଡ଼ିକୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ ପ୍ରଶଂସାଯୋଗ୍ୟ । ଏହା ବ୍ୟତୀତ ଦଶପଲ୍ଲା ଲଙ୍କାପୋଡ଼ିକୁ ୧୦ ଲକ୍ଷ, ପୁରୀର ସାହିଯାତକୁ ୧୬ ଲକ୍ଷ ସହ ରାଜ୍ୟର ଅନ୍ୟାନ୍ୟ ଯାତ୍ରାକୁ ବି ସହାୟତା ମିଳିଛି । 

ପଦ୍ମ ବିଜେତାଙ୍କୁ ୩୦ ହଜାର 
ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମିଳୁଛି ମାସିକ ୩୦ ହଜାର ଟଙ୍କା ସମ୍ମାନ ସୂଚକ ସହାୟତା । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଚଳିତ ବର୍ଷ ଜାନୁଆରୀ ମାସଠାରୁ ୫୫ ଜଣ ଜୀବିତ ପଦ୍ମ ସମ୍ମାନପ୍ରାପ୍ତ ବ୍ୟକ୍ତିଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି ।

ଓଡ଼ିଆତ୍ୱ ଜାଗରଣ
ପ୍ରଥମ ଥର ଓଡ଼ିଶା ଦିବସ ଅବସରରେ ପାଳନ ହେଲା ‘ଓଡ଼ିଆ ପକ୍ଷ-୨୦୨୫’ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନରେ ଉତ୍ସାହର ସହ ଏହି ଭବ୍ୟ ଓ ଦିବ୍ୟ ସମାରୋହକୁ ପାଳନ ପାଇଁ ବ୍ଲକ୍‌ରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେଲା ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ଓଡ଼ିଆ ନବବର୍ଷକୁ ମହା ଆଡ଼ମ୍ବର ସହକାରେ ପାଳନ ହେଲା । ‘ମୁଁ ଓଡ଼ିଆ’ ସଙ୍ଗୀତ ଲୋକାର୍ପଣ ସହ ଉନ୍ମୋଚିତ ହେଲା ସ୍ମରଣିକା । ‘ଓଡ଼ିଆ ପକ୍ଷ ଡଟ୍‌ କମ୍‌’ରେ ସମସ୍ତ ତଥ୍ୟ ଉପଲବ୍‌ଧ ହେଲା । କୁଇଜ୍‌ ପ୍ରତିଯୋଗିତାରେ ସାଢ଼େ ୬ ଲକ୍ଷ ଲୋକ ଡିଜିଟାଲ୍‌ ପ୍ରମାଣପତ୍ର ପାଇଥିଲେ । ୫ ଲକ୍ଷରୁ ଉର୍ଦ୍ଧ୍ୱ ୱେବ୍‌ସାଇଟ୍‌ରେ ସେଲ୍ଫି ଅପଲୋଡ୍‌ କରିଥିଲେ । ସେହିଭଳି ‘ସେବା ପକ୍ଷ’ ଏବଂ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବର୍ଷ ଏକ ଉପଲବ୍ଧି ଅନେକ’ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଶିରୋନାମାରେ ଶ୍ରୀଜଗନ୍ନାଥ 
ପ୍ରଭୁଙ୍କଠୁ ଆରମ୍ଭ ଆଉ ପ୍ରଭୁଙ୍କ ପାଖରେ ଶେଷ । ସେ ଇସ୍କନର ଅଦିନିଆ ରଥଯାତ୍ରା ହେଉ କି କାନାଡ଼ାର ଟରେଣ୍ଟୋରେ ରଥଯାତ୍ରା ଉତ୍ସବ ସମୟରେ ଭକ୍ତଙ୍କ ଉପରେ ଅଣ୍ଡା ଫିଙ୍ଗାଯିବା ଘଟଣା ହେଉ ଅଥବା ଦୀଘାରେ ପଶ୍ଚିମବଙ୍ଗ ସରକାରଙ୍କ ଶ୍ରୀଜଗନ୍ନାଥ ଧାମ ପ୍ରତିଷ୍ଠା ବିବାଦ । ଏସବୁ ଘଟଣାକୁ ନେଇ ରାଜ୍ୟ ଉଠିଥିଲା ପଡ଼ିଥିଲା ବେଳେ ଚଳିତ ରଥଯାତ୍ରାରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନଗଡ଼ିବା ଏବଂ ଗୁଣ୍ଡିଚା ମନ୍ଦିର ଆଗରେ ଦଳାଚକଟାରେ ୩ ମୃତ ଏବଂ ୫୦ ଆହତ ହେଲେ । ପୁଣି ରତ୍ନଭଣ୍ଡାର ମରାମତିଠୁ ନେଇ ଅଳଙ୍କାର ସ୍ଥାନାନ୍ତରଣ ଓ ଗଣତିମଣତି ଓ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା, ଶ୍ରୀମନ୍ଦିର ଆଲୋକୀକରଣ ବିଷୟକୁ ନେଇ କେଉଁଠି ନା କେଉଁଠି ମହାପ୍ରଭୁ ହିଁ ଚର୍ଚ୍ଚାରେ ରହିଥିଲେ । 

ଓଡ଼ିଆ ସଂସ୍କୃତିର ବିଶ୍ୱବ୍ୟାପୀ ସଂଯୋଗ- ‘ଓଡ଼ିଶା ପରିବାର’ 
ବିଶ୍ୱର କୋଣଅନୁକୋଣରେ ବସବାସ କରୁଥିବା ସମସ୍ତ ଓଡ଼ିଆଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତାକୁ ପ୍ରତିପାଦିତ କରୁଛି ଆମ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ପହଲଗାମ ଘଟଣା ପରେ ଜାମ୍ମୁ-କାଶ୍ମିରୀରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିରାପଦରେ ଫେରାଇ ଆଣିବା ହେଉ କି ଦୁବାଇରୁ ଶ୍ରମିକ, ନେପାଳରୁ ଯାତ୍ରୀଙ୍କୁ ଫେରାଇ ଆଣିବା ଏପରିକି ତେଲଙ୍ଗାନା ଫାର୍ମା କମ୍ପାନୀ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ସହ ମୃତକଙ୍କ ଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର ଭଳି ନିରନ୍ତର କାର୍ଯ୍ୟ କରିଆସୁଛି । 

ଅନ୍ତର୍ଜାତୀୟ ମହୋତ୍ସବରେ ଓଡ଼ିଆ ସଂସ୍କୃତି 
ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ପ୍ରବାସୀ ଭାରତୀୟ ଦିବସ । ଏଥିରେ ଦେଖିବାକୁ ମିଳିଥିଲା ଓଡ଼ିଶାର ଇତିହାସ, କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ଝଲକ । ସ୍ୱତନ୍ତ୍ର ନୃତ୍ୟ, ଗୀତରେ ଓଡ଼ିଶାର କାହାଣୀକୁ ବିଶ୍ୱ ଦେଖିଥିଲା । ସେହିପରି ଉତ୍କର୍ଷ ଓଡ଼ିଶା ଏବଂ ହରିୟାଣାର କୁରୁକ୍ଷେତ୍ରରେ ଆୟୋଜିତ ୯ମ ଅନ୍ତଃରାଷ୍ଟ୍ରୀୟ ଗୀତା ମହୋତ୍ସବରେ ପ୍ରଥମ ଥର ଓଡ଼ିଶା ସହଭାଗୀ ହୋଇଥିଲା । ଓଡ଼ିଶାକୁ ଜାତୀୟ ସ୍ତରରେ ଉପସ୍ଥାପିତ କରାଯାଇଥିଲା ।

ଚିତ୍ରଶିଳ୍ପୀ ମାନସ ଦାସଙ୍କୁ ଜାତୀୟ ପୁରସ୍କାର 
ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ୬୪ତମ ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ‘ଏ କଲ୍‌ ଫର୍‌ ପ୍ରୋଗ୍ରେସ୍‌’ ଶୀର୍ଷକ ଛବି ପାଇଁ ଓଡ଼ିଶାର ସ୍ୱନାମଧନ୍ୟ ଯୁବ ଚିତ୍ରଶିଳ୍ପୀ ମାନସ କୁମାର ଦାସ ପୁରସ୍କୃତ ହୋଇଥିଲେ ।

ଏକକାଳୀନ ୧୩୪ ପୁରସ୍କାର 
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ୨୦୨୩-୨୪ ଓ ୨୦୨୫ ୩ ବର୍ଷରେ ଏକକାଳୀନ ସର୍ବୋଚ୍ଚ ସମ୍ମାନ ସହ "ଏକାଡେମୀ ପୁରସ୍କାର’, "ଉପାୟନ’ ଏବଂ "କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ’ ବର୍ଗରେ ମୋଟ୍‌ ୧୩୪ ପ୍ରତିଭା ହୋଇଛନ୍ତି ପୁରସ୍କୃତ । ୬ ଜଣ ପାଇଛନ୍ତି ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ । ବିଶିଷ୍ଟ କଣ୍ଠଶିଳ୍ପୀ ଡ. ପ୍ରଣବ କିଶୋର ପଟ୍ଟନାୟକ, ମୋଗଲ ତାମସା ଗୁରୁ ବାଦଲ ସିକ୍‌ଦାର, ବଂଶୀ ବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକ, ନୃତ୍ୟ ଗୁରୁ ସୁଧାକର ସାହୁ, ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା, ଶବ୍ଦନୃତ୍ୟ ଗୁରୁ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ପୁରସ୍କୃତ କରାଯାଇଛି । ବକେୟା ଥିବା ପୁରସ୍କାରକୁ ଏକାକାଳୀନ ଗୋଟିଏ ମଞ୍ଚରେ ପ୍ରଦାନ କରିବା ଥିଲା ଏକ ଐତିହାସିକ କ୍ଷଣ ।

ମଣ୍ଡପ ପାଇଁ ୱେବ୍‌ସାଇଟ୍‌ 
ଉନ୍ମୋଚନ ହେଲା ଓଡ଼ିଶା ସାହିତ୍ୟ, ସଙ୍ଗୀତ ନାଟକ ଓ ଲଲିତ କଳା ଏକାଡେମୀର ୩ଟି ସ୍ୱତନ୍ତ୍ର ୱେବ୍‌ସାଇଟ୍‌ । ଏଥିସହ ରବୀନ୍ଦ୍ର, ଭଞ୍ଜକଳା, ଉତ୍କଳ ମଣ୍ଡପର ଅନ୍‌ଲାଇନ୍‌ ବୁକିଂ ପାଇଁ ଖୋଲିଲା "ମଣ୍ଡପ ୱେବ୍‌ସାଇଟ୍‌’ । ସହଜରେ ଜାଣିବା ସହ ସୁବିଧାରେ ମଣ୍ଡପ ବୁକିଂ ହୋଇପାରିଲା । 

‘ଅସ୍ମିତା ଭବନ’ରୁ "ପାଥେର ପୁରୀ' 
ଭୁବନେଶ୍ୱରରେ ଛିଡ଼ା ହେବ ‘ଓଡ଼ିଆ ଅସ୍ମିତା ଭବନ’ । ଓଡ଼ିଶାର ସବୁକିଛି ଏହି ଭବନରେ ପ୍ରଦର୍ଶିତ ହେବ । ଏଥିସହ ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁରଙ୍କ ସ୍ମୃତିରେ ପୁରୀ ବାସଗୃହ "ପାଥେର ପୁରୀ'ର ପୁନରୁଦ୍ଧାର କରାଯାଇ ଏହାକୁ ସଂଗ୍ରହାଳୟ କରାଯିବ । 

ବାଣ୍ଟିଲେ ୧୦ ହଜାର ‘ବର୍ଣ୍ଣବୋଧ’ 
ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’ର ଏକ ଅବିକଳ ସଂସ୍କରଣକୁ କବିଙ୍କ ପୁଣ୍ୟତିଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ୧୦ ହଜାର ‘ବର୍ଣ୍ଣବୋଧ’ ବଣ୍ଟା ଯାଇଥିଲା । 

୯ ନୂଆ ଗ୍ୟାଲେରୀ 
ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ ରାଜ୍ୟ ସଂଗ୍ରହାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ୯ଟି ନୂଆ ଗ୍ୟାଲେରୀ । ସେଥିମଧ୍ୟରେ ନବନିର୍ମିତ ପ୍ରାଗ୍‌ ଐତିହାସିକ ଗ୍ୟାଲେରୀ, ରାଜକୀୟ ଓ ହାତୀଦାନ୍ତ, ପ୍ରାଣୀ ବିଜ୍ଞାନ, ଖଣି ଓ ଭୂତତ୍ତ୍ୱ, କଣ୍ଢେଇ, ମୁଖା, ଜନଜାତି, ହସ୍ତତନ୍ତ ଗ୍ୟାଲେରୀ ଓ ପରିଚୟ କକ୍ଷ ଅନ୍ୟତମ ।

୪ ଓଡ଼ିଆଙ୍କୁ ପଦ୍ମଶ୍ରୀ 
ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ ଚରଣ ଗଡ଼ନାୟକ, ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ଅଶୋକ କୁମାର ମହାପାତ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ଦୁର୍ଗାଚରଣ ରଣବୀର ଏବଂ ବିଶିଷ୍ଟ ସାହିତ୍ୟିକା ଡ. ପ୍ରତିଭା ଶତପଥୀ । 

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର-୨୦୨୫ : ରାଜକିଶୋର ପାଢ଼ୀ, ସୁବ୍ରତ ସେନାପତି ଓ ଫାଗୁ ବାସ୍କେ 
କେନ୍ଦ୍ର ସାହିତ୍ୟ ଏକାଡେମୀର ଚଳିତ ବର୍ଷର ବାଲ୍‌ ଓ ଯୁବ ସାହିତ୍ୟ ପୁରସ୍କାର-୨୦୨୫ ପାଇଛନ୍ତି ୩ ଓଡ଼ିଆ । ଓଡ଼ିଆ ଭାଷାରେ ଶିଶୁ ପୁସ୍ତକ "କେତେ ଫୁଲ ଫୁଟିଚି' ପାଇଁ ଡ. ରାଜକିଶୋର ପାଢ଼ୀଙ୍କୁ ବାଲ୍‌ ସାହିତ୍ୟ ପୁରସ୍କାର । ଓଡ଼ିଆ ଗଳ୍ପ ପୁସ୍ତକ ‘କଦମ୍ବବନ' ପାଇଁ ଡ. ସୁବ୍ରତ କୁମାର ସେନାପତି ଏବଂ ସାନ୍ତାଳି କବିତା ସଙ୍କଳନ ‘ଆରା ସାଓ ଇନ୍‌’ ପାଇଁ ଫାଗୁ ବାସ୍କେ ଯୁବ ସାହିତ୍ୟ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି । 

ସୁଦର୍ଶନଙ୍କୁ ‘ସ୍ୟାଣ୍ଡ୍‌ ମାଷ୍ଟର୍‌ ଆୱାର୍ଡ’ 
ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୟୁକେର ସମ୍ମାନଜନକ ‘ସ୍ୟାଣ୍ଡ୍‌ ମାଷ୍ଟର୍‌ ଆୱାର୍ଡ’ରେ ହୋଇଛନ୍ତି ସମ୍ମାନିତ । ଡୋର୍‌ସେଟ୍‌ ଅଞ୍ଚଳର ୱେମାଉଥଠାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ଶ୍ରୀ ପଟ୍ଟନାୟକ ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନ ପାଇଥିଲେ । ଗତ କଟକ ବାଲିଯାତ୍ରାରେ ମଧ୍ୟ ବାଲୁକା କଳାରେ ଗିନିଜ୍‌ ରେକର୍ଡ କରିଥିଲେ। 

ବରପୁତ୍ରଙ୍କୁ ସମ୍ମାନ 
ଓଡ଼ିଆ ଅସ୍ମିତାର ବିଜୟ ପରେ ଓଡ଼ିଶା ସରକାର ପୂଜ୍ୟପୂଜାକୁ ସମ୍ମାନ ଜଣାଇ ବରପୁତ୍ରଙ୍କ ଜୟନ୍ତୀ, ଶ୍ରାଦ୍ଧ ଉତ୍ସବ ପାଳନ ସାଙ୍ଗକୁ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ମହାପୁରୁଷଙ୍କ କୃତି, କୀର୍ତ୍ତି ଓ ସ୍ମୃତିକୁ ସାଇତିବା ପ୍ରୟାସ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ୧୪ କୋଟି ଟଙ୍କାରେ ଓଡ଼ିଶାରେ ୭୫ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ହେବ । ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ୨୩ ଜଣ ବରପୁତ୍ରଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ୧୫ କୋଟି ଟଙ୍କା ଲେଖାଏଁ ବ୍ୟୟବରାଦ ହୋଇଛି । ୫୦ କୋଟିରେ ହେଉଛି ସତ୍ୟବାଦୀ ବନବିଦ୍ୟାଳୟର ପୁନରୁଦ୍ଧାର ଓ ପଞ୍ଚସଖାଙ୍କ ସମାଧି ପୀଠର ବିକାଶ । ପୁରୀ ଶ୍ରୀରାମଚନ୍ଦ୍ରପୁର ପଣ୍ଡିତ ନୀଳକଣ୍ଠ ଦାସଙ୍କ ବାସଭବନର ସଂରକ୍ଷଣ ଓ ବିକାଶ । ସହିଦ ବୀର ବାଜି ରାଉତଙ୍କ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଭୁବନେଶ୍ୱରରେ ଏକ ରାସ୍ତାକୁ ବାଜି ରାଉତଙ୍କ ନାମରେ ନାମିତ କରାଯିବା ସହ ତାଙ୍କ ନାମରେ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯିବ । ଢେଙ୍କାନାଳଠାରେ ୧୨୦ କୋଟି ଟଙ୍କା ବ୍ୟୟରେ ବାଜି ରାଉତ ସ୍ପୋର୍ଟସ୍‌ କମ୍ପେ୍ଲକ୍ସ ନିର୍ମାଣ ହେବ । ମହାନ ବିପ୍ଲବୀ ଧରଣୀଧର ନାଏକ(ଭୂୟାଁ)ଙ୍କ ଜନ୍ମସ୍ଥାନ କେନ୍ଦୁଝରର କୁସୁମିତାରେ ୫୦ କୋଟି ବ୍ୟୟରେ ସ୍ମୃତି ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର । ଅଲଚିକି ଲିପିର ଉଦ୍ଭାବକ ଓ ସାନ୍ତାଳୀ ଭାଷାର ଜନକ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥ ସ୍ଥଳୀ ଓ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରାଯିବ । ବର୍ଷେବ୍ୟାପୀ ଅଲଚିକି ଲିପିର ୧୦୦ ବର୍ଷ ପୂର୍ତ୍ତି ସମାରୋହ, ସାନ୍ତାଳୀ ଭାଷାର ପ୍ରସାର ପାଇଁ ଅନ୍ତର୍ଜାତୀୟ ସେମିନାର, ବାରିପଦାରେ ଅଲିଚିକି ଲାଇବ୍ରେରୀ, ରଘୁନାଥ ମୁର୍ମୁ ଓପନ୍‌ ଥିଏଟର୍‌, ସଂଗ୍ରହାଳୟ ଏବଂ କର୍ମଭୂମିଠାରେ ଐତିହ୍ୟ ଭବନ ପ୍ରତିଷ୍ଠା କରାଯିବ । ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର କେନ୍ଦ୍ରସ୍ଥଳ ଭାବେ ବିକଶିତ ହେବ ଶ୍ରୀ ଗୀତଗୋବିନ୍ଦର ରଚୟିତା ମହାକବି ଜୟଦେବଙ୍କ ଜନ୍ମପୀଠ । ସୌନ୍ଦର୍ଯୀକରଣ ଓ ପୁନରୁଦ୍ଧାର ପାଇଁ ୬.୬୫ କୋଟି ଖର୍ଚ୍ଚ ହେବ । ୧୨.୫୦ କୋଟି ବ୍ୟୟରେ ବିଭିନ୍ନ ନୂତନ ପ୍ରକଳ୍ପ ସହ ପ୍ରବେଶ ଦ୍ୱାର, ଦଶାବତାର ପ୍ଲାଜା, ପଦ୍ମ ପୋଖରୀର ସୌନ୍ଦର୍ଯୀକରଣ, ବିଭିନ୍ନ କୁଞ୍ଜର ବିକାଶ, କ୍ରାଫ୍ଟ ସପ୍‌ ଓ ଫୁଡ୍‌ କୋର୍ଟ ନିର୍ମାଣ ହେବ । ଓଡ଼ିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ ହେବ ମଧୁବାବୁଙ୍କ ଜନ୍ମପୀଠ । ୨୧ କୋଟି ଖର୍ଚ୍ଚରେ ଜନ୍ମସ୍ଥାନର ସମନ୍ୱିତ ବିକାଶ ସହ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ, ଅନ୍ତୁଡ଼ିଶାଳର ଉନ୍ନତୀକରଣ, ପ୍ରତିମୂର୍ତ୍ତି ନିର୍ମାଣ, ଅତିଥି ଭବନ, ପାଠାଗାର ସହ ଜଳାଶୟରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ବ୍ୟବସ୍ଥା ହେବ । ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ସ୍ମୃତିରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍କର୍ଷ କେନ୍ଦ୍ର, ଜନ୍ମପୀଠ ଆଗରପଡ଼ାଠାରେ ସ୍ମୃତି ସ୍ମାରକୀ ଓ ବ୍ୟାଖାନ କେନ୍ଦ୍ର ପ୍ରତିଷ୍ଠା, ଭୁବନେଶ୍ୱର, ହୀରାକୁଦ ଓ ହଦଗଡ଼ଠାରେ ମହତାବ ସ୍ମାରକୀ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତାଙ୍କ ନାମରେ ଓଡ଼ିଆ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହା ସହିତ ଭଦ୍ରକରେ ଏକ ମେଡିକାଲ୍‌ କଲେଜ ପ୍ରତିଷ୍ଠା କରାଯାଇ ତାଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ହୋଇଛି । 

ଛାଡ଼ି ଚାଲିଗଲେ...
ପ୍ରଫେସର ନିଶାମଣି କର, ପଦ୍ମଭୂଷଣ ବିଶିଷ୍ଟ କବି ରମାକାନ୍ତ ରଥ, ଲେଖିକା ପ୍ରଫୁଲ୍ଲ କୁମାରୀ ରାୟ, ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ନାରାୟଣ ପତି, ପଦ୍ମଶ୍ରୀ ବିନୋଦ ପଶାୟତ, ଚିତ୍ରଶିଳ୍ପୀ ରାଜବଲ୍ଲଭ ସାହୁ, ପ୍ରଫେସର ଡ. ସୁରେନ୍ଦ୍ରନାଥ ଦାଶ, ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା, ସାହିତ୍ୟିକ ପ୍ରଦୀପ ଜେନା, ନାଟ୍ୟଶିଳ୍ପୀ ବ୍ରଜକିଶୋର ମହାନ୍ତି, ସାହିତ୍ୟିକ ନରସିଂହ ମିଶ୍ର, ଅନୁବାଦିକା ଅମିୟବାଳା ପଟ୍ଟନାୟକ, କଣ୍ଠଶିଳ୍ପୀ ପ୍ରସନ୍ନଜିତ୍‌ ମହାନ୍ତି, ଗୀତିକାର ବୃନ୍ଦାବନ ଜେନା, ବିଶିଷ୍ଟ ଗ୍ରନ୍ଥାଗାରିକ ଓ ଗବେଷକ ନଗେନ୍ଦ୍ର ନାଥ ମହାନ୍ତି, ସୁଲେଖକ ହରିହର ପଣ୍ଡା, ଗବେଷକ ସୁବାସ ପାଣି, କବି ଶଙ୍କର୍ଷଣ ପରିଡ଼ା, ଲୋକକଳା ଗୁରୁ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁ, କବି ପ୍ରହରାଜ ସତ୍ୟନାରାୟଣ ନନ୍ଦ, ପ୍ରହଲ୍ଲାଦ ମହାନ୍ତି, ଶୈଳେନ୍ଦ୍ର ଦିବେଦୀ ପ୍ରମୁଖ ଇହଧାମ ଛାଡ଼ିଛନ୍ତି ।