ଭୁବନେଶ୍ବର , ୯।୭ : ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ (PRI) ଏବଂ ପୌର ନିର୍ବାଚନ (ULB) ପାଇଁ ପ୍ରାକ-ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଓସୱାନ (OSWAN) ପ୍ଲାଟଫର୍ମ ମାଧ୍ୟମରେ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା ଓ ସମୀକ୍ଷା କରାଯିବ ।
ଘରକୁ ଘର ବୁଲି ସର୍ଭେ : ୨୦୨୭ ନିର୍ବାଚନ ପାଇଁ ବୁଥ୍ ଭିତ୍ତିକ ଭୋଟର ତାଲିକା (Electoral Rolls) ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରସ୍ତାବିତ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିବେ ।
୨୦୨୨ ନିର୍ବାଚନର ବିଲ୍ ସମୀକ୍ଷା: ଗତ ୨୦୨୨ ମସିହାରେ ହୋଇଥିବା ପୌର ନିର୍ବାଚନ (ULBs) ସମ୍ପର୍କିତ ବାକି ରହିଥିବା ଡିସି ବିଲ୍ (DC Bills) ଏବଂ ଉପଯୋଗିତା ପ୍ରମାଣପତ୍ର (UCs) ଦାଖଲ ପ୍ରକ୍ରିୟାର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବ ।
ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ପୌର ନିର୍ବାଚନର ନୋଡାଲ ଅଫିସର), ସମସ୍ତ ERO ଓ AERO ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନର ଡେପୁଟି କଲେକ୍ଟର କିମ୍ବା ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ପଢନ୍ତୁ : ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ : ଧର୍ମେନ୍ଦ୍ର ପ୍ରଧାନ