ନୂଆଦିଲ୍ଲୀ,୧୪।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୯ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ପ୍ରଥମେ ଦେଶବାସୀଙ୍କୁ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଥିଲେ। ଏହା ସହ କହିଥିଲେ, ମୋର ପ୍ରିୟ ଦେଶବାସୀ, ନମସ୍କାର, ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ସମସ୍ତ ଭାରତୀୟ ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ଉତ୍ସାହର ସହିତ ପାଳନ କରନ୍ତି। ଏହା ଆମକୁ ଗର୍ବିତ ଭାରତୀୟ ହେବାର ସ୍ବତନ୍ତ୍ର ଅନୁଭବ ପ୍ରଦାନ କରେ। ସମ୍ବିଧାନ ଓ ଲୋକତନ୍ତ୍ର ଆମର ସବୁଠାରୁ ବଡ଼ ଶକ୍ତି। ଆମ ଗଣତନ୍ତ୍ରର ନିର୍ମାଣ ଆମ ଦ୍ୱାରା ଗୃହୀତ ସମ୍ବିଧାନର ମୂଳଦୁଆ ଉପରେ ନିର୍ମିତ । ଆମେ ଗଣତନ୍ତ୍ର ଉପରେ ଆଧାରିତ ଏପରି ପ୍ରତିଷ୍ଠାନ ନିର୍ମାଣ କରିଛୁ। ଯାହା ଦ୍ବାରା ଗଣତାନ୍ତ୍ରିକ କାର୍ଯ୍ୟକୁ ଶକ୍ତି ମିଳିଛି। ଆମ ପାଇଁ, ଆମର ସମ୍ବିଧାନ ଏବଂ ଲୋକତନ୍ତ୍ର ସର୍ବୋପରି। ଭାରତ ବିଶ୍ୱର ସର୍ବପୁରାତନ ଗଣରାଜ୍ୟର ଭୂମି । ଏହାକୁ ଗଣତନ୍ତ୍ରର ଜନନୀ ବୋଲି କୁହାଯାଏ। ଆମ ଗଣତନ୍ତ୍ରର ନିର୍ମାଣ ଆମ ଦ୍ୱାରା ଗୃହୀତ ସମ୍ବିଧାନର ମୂଳଦୁଆ ଉପରେ ନିର୍ମିତ ହୋଇଛି। ଆମେ ଗଣତନ୍ତ୍ର ଉପରେ ଆଧାରିତ ଅନୁଷ୍ଠାନ ସୃଷ୍ଟି କରିଥିଲୁ ଯାହା ଗଣତାନ୍ତ୍ରିକ କାର୍ଯ୍ୟକୁ ସୁଦୃଢ଼ କରିଥିଲା।
ଅତୀତକୁ ଦେଖିଲେ, ଆମେ ଦେଶ ବିଭାଜନ ଯୋଗୁଁ ହୋଇଥିବା ଯନ୍ତ୍ରଣାକୁ କେବେ ଭୁଲିବା ଉଚିତ୍ ନୁହେଁ। ଆଜି ଆମେ ବିଭାଜନ ବିଭିଷିକାର ଭୟଙ୍କର ସ୍ମୃତି ଦିବସ ପାଳନ କରୁଛୁ। ବିଭାଜନ କାରଣରୁ ଭୟଙ୍କର ହିଂସାର ଦେଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଥିଲେ। ସବୁ ବିଦେଶୀ ଶାସନର ଶିକୁଳି ଖୋଲି ସ୍ବାଧିନ ହୋଇଥିଲୁ। ସେତେବେଳେ ଦେଶର ପ୍ରତ୍ୟେକ ଲୋକଙ୍କର ସଂଘର୍ଷ ଅତୁଟ ଆଶାବାଦରେ ଭରି ରହିଥିଲା, ଯାହାଫଳରେ ସ୍ବାଧୀନତା ପରେ ଆମର ବିକାଶ ଆଗକୁ ବଢିଛି। ସ୍ବାଧୀନ ହେବା ପରେ ଆମେ ଲୋକତନ୍ତ୍ରର ମାର୍ଗ ଗ୍ରହଣ କରିଥିଲୁ। ପ୍ରତ୍ୟେକ ନାଗରିକଙ୍କୁ ମତାଧିକାର ସୁଯୋଗ ମିଳିଲା। ଆମେ ନିଜକୁ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାର ଅଧିକାର ଦେଲୁ। ବହୁ ଚ୍ୟାଲେଞ୍ଜ ପରେ ଭାରତର ଲୋକ ସଫଳତାର ସହ ଲୋକତନ୍ତ୍ର ଗ୍ରହଣ କଲେ।
ଔପନିବେଶିକ ଶାସନର ଦୀର୍ଘ ସମୟ ମଧ୍ୟରେ, ଦେଶବାସୀଙ୍କ ଅନେକ ପିଢ଼ି ସ୍ୱପ୍ନ ଦେଖିଥିଲେ ଯେ ଗୋଟିଏ ଦିନ ଦେଶ ସ୍ୱାଧୀନ ହେବ। ଦେଶର ପ୍ରତ୍ୟେକ ଭାଗରେ ରହୁଥିବା ପୁରୁଷ, ମହିଳା, ବୃଦ୍ଧ ଏବଂ ଯୁବକ ବିଦେଶୀ ଶାସନର ଶିକୁଳି ଭାଙ୍ଗିବା ପାଇଁ ବ୍ୟାକୁଳ ଥିଲେ। ସେମାନଙ୍କର ସଂଘର୍ଷ ନିରାଶା ନୁହେଁ ବରଂ ଏକ ଦୃଢ଼ ଆଶାର ଭାବନା ଥିଲା। ସ୍ୱାଧୀନତା ପରେ ଆଶାର ସମାନ ଭାବନା ଆମର ପ୍ରଗତିକୁ ଶକ୍ତି ପ୍ରଦାନ କରିଆସୁଛି। ଆସନ୍ତାକାଲି, ଯେତେବେଳେ ଆମେ ଆମର ତ୍ରିରଙ୍ଗାକୁ ସଲାମ କରିବୁ, ଆମେ ସେହି ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବୁ ଯାହାଙ୍କ ବଳିଦାନରେ ଭାରତ ୭୮ ବର୍ଷ ପୂର୍ବେ ୧୫ ଅଗଷ୍ଟରେ ସ୍ୱାଧୀନତା ହାସଲ କରିଥିଲା।
ପ୍ରିୟ ଦେଶବାସୀ, ଆମର ସମ୍ବିଧାନ ଚାରୋଟି ମୂଲ୍ୟବୋଧର ଉଲ୍ଲେଖ କରିଛି ଯାହା ଆମର ଗଣତନ୍ତ୍ରକୁ ସୁଦୃଢ଼ ରଖିବା ପାଇଁ ଚାରୋଟି ସ୍ତମ୍ଭ। ଏହା ହେଉଛି ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ। ଏଗୁଡ଼ିକ ହେଉଛି ଆମର ସଭ୍ୟତାର ଏଭଳି ସିଦ୍ଧାନ୍ତ ଯାହାକୁ ଆମେ ସ୍ୱାଧୀନତା ସଂଗ୍ରାମ ସମୟରେ ପୁନର୍ଜୀବିତ କରିଥିଲୁ। ମୁଁ ବିଶ୍ୱାସ କରେ ଯେ ଏହି ସମସ୍ତ ମୂଲ୍ୟବୋଧର ମୂଳରେ ବ୍ୟକ୍ତିର ମର୍ଯ୍ୟାଦା ରହିଛି। ପ୍ରତ୍ୟେକ ବ୍ୟକ୍ତି ସମାନ ଓ ସମସ୍ତଙ୍କୁ ଏହି ଅଧିକାର ରହିଛି, ତାଙ୍କ ସହ ଗାରିମାପୂର୍ଣ୍ଣ ବ୍ୟବହାର କରାଯାଉ। ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ସୁବିଧା ପର୍ଯ୍ୟନ୍ତ, ସମସ୍ତଙ୍କ ନିକଟରେ ସବୁକିଛି ପହଁଞ୍ଚୁ। ସମସ୍ତଙ୍କୁ ସମାନ ସୁବିଧା- ସୁଯୋଗ ମିଳିବା ଦରକାର। ଯେଉଁ ଲୋକ ପାରମ୍ପାରିକ ବ୍ୟବସ୍ଥା କାରଣରୁ ବଞ୍ଚିତ ହୋଇଯାଇଥିଲେ। ତାଙ୍କୁ ସାହାଯ୍ୟର ଆବଶ୍ୟକତା ଥିଲା।
ରାଷ୍ଟ୍ରପତି ମୁର୍ମୁ ଏହି ଅବସରେ ନିକଟରେ ହୋଇଥିବା ‘ଅପରେସନ୍ ସିନ୍ଦୂର’ କୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏହି ଅଭିଯାନ ଇତିହାସରେ ଆତଙ୍କବାଦ ବିରୋଧରେ ମାନବିକତାର ଲଢେଇର ଏକ ଉଦାହରଣ ରୂପରେ ସବୁବେଳେ ରହିଯିବ। ଏହା ସହ ସାରା ଦୁନିଆ ମଧ୍ୟ ଭାରତର ପରାକ୍ରମ ଦେଖିପାରିଛି। ପହଲଗାମ୍ ଆକ୍ରମଣ ଘଟଣାର ଏହା ନିର୍ଣ୍ଣାୟକ ଓ ଦୃଢ ପ୍ରତିକ୍ରିୟା ଥିଲା, ଯାହାଫଳରେ ପ୍ରମାଣିତ ହୋଇଗଲା ଯେ, ଆମର ସଶସ୍ତ୍ରବାହିନୀ ରାଷ୍ଟ୍ରର ସୁରକ୍ଷା ପାଇଁ ସବୁକିଛି ସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ଥିଲେ।