ନୂଆଦିଲ୍ଲୀ,୨୬/୦୨: ଆଜି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶିବାଳୟ । ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ । ଚଳଚଞ୍ଚଳ ହୋଇଛି ଶୈବପୀଠ । ପବିତ୍ର ମହାଶିବରାତ୍ରି ପାଇଁ ସବୁଠି ଉତ୍ସବ । ଦର୍ଶନ ପାଇଁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ପବିତ୍ର ମହାଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ।

ଏକ୍ସରେ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, '' ଦେଶବାସୀଙ୍କୁ ପବିତ୍ର ମହାଶିବରାତ୍ରୀର ଶୁଭେଚ୍ଛା । ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ । ମହାଦେବଙ୍କ ଆଶୀର୍ବାଦରୁ ଦେଶ ନିରନ୍ତର ପ୍ରଗତି ପଥରେ ଆଗକୁ ବଢୁ । 

ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଜରିଆରେ ଶିବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, '' ପବିତ୍ର ଶିବରାତ୍ରୀରେ ଦେଶବାସୀଙ୍କୁ ଶୁଭେଚ୍ଛା । ସୁଖ ସମୃଦ୍ଧି ଆଣନ୍ତୁ ଶଙ୍କର ।  ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି । ଏହି ଦିବ୍ୟ ଅବସର ବିକଶିତ ଭାରତ ସଂକଳ୍ପକୁ ଆହୁରି ମଜବୁତ କରୁ । '' 

ଅଧିକ ପଢନ୍ତୁ...ମହାକୁମ୍ଭରେ ଅନ୍ତିମ ଅମୃତ ସ୍ନାନ, ଭୋର ୫ଟାରୁ ବୁଡ ପକାଇଲେଣି ୨୬ ଲକ୍ଷ ଶ୍ରଦ୍ଧାଳୁ

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିବରାତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି, '' ପବିତ୍ର ମହାଶିବରାତ୍ରୀ ତଥା ଜାଗର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ । '' 

କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିବରାତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି, '' ପବିତ୍ର ମହାଶିବରାତ୍ରୀରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଭଗବାନ ଭୋଳାନାଥ ଏବଂ ମାତା ପାର୍ବତୀ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଏବଂ ଆଧ୍ୟାତ୍ମିକ ଉର୍ଜାର ସଞ୍ଚାର ହେଉ । ଓଁଃ ନମଃ ଶିବାୟ । ''