ନୂଆଦିଲ୍ଲୀ, ୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୫ ଦିବସୀୟ ସଫଳ ବିଦେଶ ଗସ୍ତ ଶେଷ କରି ସ୍ୱଦେଶ ଫେରିଛନ୍ତି । ଏହି ଗସ୍ତ କାଳରେ ସେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଭଳି ୫ଟି ପ୍ରମୁଖ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ତେବେ ଏହି ସମଗ୍ର ଗସ୍ତରେ ସବୁଠାରୁ ଆକର୍ଷଣୀୟ ବିଷୟ ଥିଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଦେଶୀ ନେତାମାନଙ୍କୁ ଦିଆଯାଇଥିବା ବିଶେଷ ଉପହାର । ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପ୍ରାଚୀନ କଳା ଏବଂ ପରମ୍ପରାର ଝଲକ ଥିବା କିଛି ଅନନ୍ୟ ସାମଗ୍ରୀ ପିଏମ୍ ମୋଦୀ ବିଶ୍ୱ ନେତାମାନଙ୍କୁ ଭେଟି ଦେଇଛନ୍ତି ।

ସୋସିଆଲ ମିଡିଆରେ 'ମେଲୋଡି' ଟ୍ରେଣ୍ଡ୍: ମେଲୋନୀଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ

ଏହି ଗସ୍ତର ସବୁଠାରୁ ଚର୍ଚ୍ଚିତ ବିଷୟ ଥିଲା ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ପିଏମ୍ ମୋଦୀଙ୍କ ସାକ୍ଷାତକାର । ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା 'ମେଲୋଡି' କ୍ରେଜ୍‌କୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ, ଜର୍ଜିଆ ମେଲୋନୀଙ୍କୁ 'ମେଲୋଡି ଟଫି' ଉପହାର ଦେଇଥିଲେ, ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏହା ବ୍ୟତୀତ ମେଲୋନୀଙ୍କୁ ଭାରତର ପାରମ୍ପରିକ ହସ୍ତତନ୍ତର ଦୁଇଟି ଅମୂଲ୍ୟ ଷ୍ଟୋଲ୍ - ମୁଗା ସିଲ୍କ ଷ୍ଟୋଲ୍ ଏବଂ ଶିଂରୁଇ ଲିଲି ଷ୍ଟୋଲ୍ ଭେଟି ଦିଆଯାଇଛି । ଏହା ସହିତ ଆଗ୍ରାର କାରିଗରମାନଙ୍କ ଦ୍ୱାରା ନିର୍ମିତ ଏକ ହସ୍ତଶିଳ୍ପ ସଙ୍ଗମର୍ମର ମାର୍ବଲ୍ ଇନଲେ ବକ୍ସ ମଧ୍ୟ ପ୍ରଦାନ କରାଯାଇଛି ।

କ’ଣ ଏହି 'ମୁଗା ସିଲ୍କ'ର ବିଶେଷତ୍ୱ ?

ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦିଆଯାଇଥିବା 'ମୁଗା ସିଲ୍କ ଷ୍ଟୋଲ୍' ନିଜର ପ୍ରାକୃତିକ ସୁନେଲି ରଙ୍ଗ ଏବଂ ସାଦାସିଧା ଆକର୍ଷଣ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଆସାମର ଏହି ପ୍ରସିଦ୍ଧ 'ଗୋଲ୍ଡେନ ସିଲ୍କ'କୁ ପ୍ରସ୍ତୁତ କରିବା ପାଇଁ କୌଣସି କୃତ୍ରିମ ରଙ୍ଗ ବ୍ୟବହାର କରାଯାଏ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ ଏବଂ ସ୍ଥାୟୀ ପରମ୍ପରାକୁ ଦର୍ଶାଇଥାଏ । ଏହା ଦୁନିଆର ସବୁଠାରୁ ଶକ୍ତ ପ୍ରାକୃତିକ ସୂତା ମଧ୍ୟରୁ ଅନ୍ୟତମ । ଏହାର ସବୁଠାରୁ ବଡ଼ ଗୁଣ ହେଉଛି, ସମୟ ବିତିବା ସହ ଏହାର ଉଜ୍ଜ୍ୱଳତା କମିବା ବଦଳରେ ଆହୁରି ଗଭୀର ଓ ସୁନ୍ଦର ହୋଇଥାଏ ।

ମଣିପୁରର ସାଂସ୍କୃତିକ ପରିଚୟ: ଶିଂରୁଇ ଲିଲି ଷ୍ଟୋଲ୍

ମେଲୋନୀଙ୍କୁ ଦିଆଯାଇଥିବା ଅନ୍ୟ ଏକ ଉପହାର ହେଉଛି 'ଶିଂରୁଇ ଲିଲି ସିଲ୍କ ଷ୍ଟୋଲ୍' । ଏହି ଷ୍ଟୋଲ୍ର ଡିଜାଇନ୍ ମଣିପୁରର ଶିଂରୁଇ କାଶୋଙ୍ଗ ଶୃଙ୍ଗରେ ଫୁଟୁଥିବା ଏକ ଦୁର୍ଲଭ ଫୁଲ ଦ୍ୱାରା ଅନୁପ୍ରାଣିତ । ସ୍ଥାନୀୟ ତାଙ୍ଗଖୁଲ ନାଗା ସମ୍ପ୍ରଦାୟ ପାଇଁ ଏହି ଫୁଲ ପବିତ୍ରତା ଏବଂ ସାଂସ୍କୃତିକ ଗୌରବର ପ୍ରତୀକ । ବିଶେଷ କଥା ହେଉଛି, ଲିଲି ଫୁଲ ଇଟାଲୀରରେନେଇସା ପିରିୟଡ୍ କଳାରେ ସୌନ୍ଦର୍ଯ୍ୟ ଓ ଅନୁଗ୍ରହର ପ୍ରତୀକ ଭାବେ ବ୍ୟବହାର କରାଯାଉଥିଲା । ଏହି ଉପହାର ଦୁଇ ଦେଶର କଳାତ୍ମକ ଭାବନାକୁ ପରସ୍ପର ସହ ଯୋଡ଼ୁଛି ।

​​​​​​​

ଆଗ୍ରାର ଅପୂର୍ବ କଳା: ମାର୍ବଲ ଇନଲେ ବକ୍ସ

ଇଟାଲୀର ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆଗ୍ରାର ପ୍ରସିଦ୍ଧ 'ପଚ୍ଚିକାରୀ' କିମ୍ବା 'ପିଏତ୍ରା ଦୁରା' ଶୈଳୀର ଏକ ଚମତ୍କାର ମାର୍ବଲ ବକ୍ସ ଉପହାର ଦେଇଛନ୍ତି । ଏହାକୁ ଉତ୍କୃଷ୍ଟ ଧଳା ସଙ୍ଗମର୍ମର ପଥରରେ ତିଆରି କରାଯାଇଛି । ଏହା ଉପରେ ଲେପିସ୍ ଲାଜୁଲି, ଫିରୋଜା, ମାଲାକାଇଟ୍, ମୁଙ୍ଗା ଏବଂ ମଦର-ଅଫ୍-ପର୍ଲ ଭଳି ମୂଲ୍ୟବାନ ଅର୍ଦ୍ଧ-ରତ୍ନ ପଥରକୁ ଅତି ସୂକ୍ଷ୍ମ ଭାବେ ଖୋଦେଇ କରି ଖଞ୍ଜା ଯାଇଛି । ଏହି ବକ୍ସ ଉପରେ କରାଯାଇଥିବା ସୁନ୍ଦର ଫୁଲ ଏବଂ ଜ୍ୟାମିତିକ ପ୍ୟାଟର୍ଣ୍ଣ ଭାରତୀୟ ସ୍ଥାପତ୍ୟ କଳାର ଏକ ଅନନ୍ୟ ନିଦର୍ଶନ ।

ୟୁଏଇ ରାଷ୍ଟ୍ରପତିଙ୍କୁ ଭାରତୀୟ 'କେଶର ଆମ୍ବ':

ପ୍ରଧାନମନ୍ତ୍ରୀ ନିଜ ଗସ୍ତ ସମୟରେ ୟୁଏଇ (UAE) ର ରାଷ୍ଟ୍ରପତିଙ୍କୁ ଭାରତର ପ୍ରସିଦ୍ଧ ଓ ସ୍ୱାଦିଷ୍ଟ 'କେଶର ଆମ୍ବ' ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି । ଭାରତର ଏହି ପ୍ରିମିୟମ୍ ଗୁଣବତ୍ତାର ଫଳ ବିଦେଶୀ ଅତିଥିଙ୍କୁ ଭାରତୀୟ କୃଷି ଓ ସ୍ୱାଦର ପରିଚୟ ଦେଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି 'ଉପହାର କୂଟନୀତି' କେବଳ ବିଶ୍ୱ ନେତାମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିନାହିଁ, ବରଂ ବିଶ୍ୱ ଦରବାରରେ ଭାରତର ସ୍ଥାନୀୟ କାରିଗର, ବୁଣାକାର ଏବଂ କୃଷକମାନଙ୍କର ଗୌରବକୁ ବୃଦ୍ଧି କରିଛି ।

ଆହୁରି ପଢ଼ନ୍ତୁ... Modi-Meloni: ସୋସିଆଲ ମିଡିଆରେ ରେକର୍ଡ ଭାଙ୍ଗିଲା ମୋଦି-ମେଲୋନି ଭିଡିଓ, ୩ ଘଣ୍ଟାରେ ଦେଖିଲେ ୬.୧ କୋଟି ଲୋକ