ଭୁବନେଶ୍ୱର, ୨୪।୩ : ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ରଚିଛନ୍ତି । ଦେଶରେ ଦୀର୍ଘ ଦିନ ପର୍ଯ୍ୟନ୍ତ ନିର୍ବାଚିତ ଶାସନ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବାରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଆଜି ପର୍ଯ୍ୟନ୍ତ ମୋଟ ୮୯୩୩ ଦିନ ପୂରଣ କରି ଲୋକଙ୍କ ସେବା କାର୍ଯ୍ୟ ଜାରି ରଖିଛନ୍ତି । ତାଙ୍କର ଏହି ଦୀର୍ଘ ଦିନର ଦାୟିତ୍ୱ ଭାର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହି କୀର୍ତ୍ତିମାନ ସ୍ଥାପନ କରିଥିବାରୁ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ୨୦୦୧ରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରି ୨୦୧୪ ପରେ ପ୍ରଧାନମନ୍ତ୍ରୀ ଭାବେ ଦୀର୍ଘ ସମୟ ଧରି ସେବା କାର୍ଯ୍ୟରେ ବ୍ରତୀ ହୋଇ ରହିଛନ୍ତି। ଦେଶ ପ୍ରତି ପ୍ରଧାନମନ୍ତ୍ରୀ ମୋଦିଜୀ ନିଜର ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି । ମୋଦିଜୀଙ୍କ ଶାସନ କାଳରେ ଦେଶବାସୀଙ୍କ ମୌଳିକ ସମସ୍ୟାର ସମାଧାନ ସହ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହୋଇ ଆଗେଇ ଚାଲିଛି । ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହୋଇପାରିଛି । ଘରୋଇ ଆବଶ୍ୟକତା ପୂରଣ ହେବା ସହ ବିଦେଶକୁ ଔଷଧ, ଖାଦ୍ୟଶସ୍ୟ, ପ୍ରତିରକ୍ଷା ସାମଗ୍ରୀ ଇତ୍ୟାଦି ରପ୍ତାନୀ କରିବାରେ ଭାରତ ଆଜି ସକ୍ଷମ ହୋଇପାରିଛି । ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ନାରା ଦେଇ ଦେଶର ଭିତିଭୂମିକୁ ସୁଦୃଢ଼ କରିବାରେ ଲାଗିଛନ୍ତି । ବଳିଷ୍ଠ ନେତୃତ୍ୱ ପାଇଁ ମୋଦିଜୀ ଆଜି ସାରା ବିଶ୍ୱର ଅଦିତ୍ୱୀୟ ନେତାଭାବେ ପରିଗଣିତ ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରତି ଦେଶବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଛି । ତାଙ୍କ କାର୍ଯ୍ୟକାଳ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମୋଦିଜୀ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ତାହା ନିଶ୍ଚିନ୍ତ ପୂରଣ ହେବ ଏବଂ ତାଙ୍କ ଶାସନ କାଳରେ ଭାରତ ବିଶ୍ୱଗୁରୁ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।