ଭୁବନେଶ୍ୱର ୨୬/୦୯: ଓଡ଼ିଶା  ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । ରାଜ୍ୟକୁ ମିଳିବ ବଡ଼ ଭେଟି ।  ୨୭ରେ ଝାରସୁଗୁଡ଼ାରେ ଆୟୋଜିତ  ଯୁବ ସମାବେଶରେ ସାମିଲ ହେବେ  ପ୍ରଧାନମନ୍ତ୍ରୀ । ସାଧାରଣ ଜନତାଙ୍କୁ  ସମ୍ବୋଧିତ କରିବେ । ଏହି ଅବସରରେ  ପ୍ରଧାନମନ୍ତ୍ରୀ ରାଜ୍ୟରେ ରେଳ ବିକାଶ  ପାଇଁ ୧୭୦୦ କୋଟି ଟଙ୍କା ରେଳ  ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ  ଲୋକାର୍ପଣ କରିବେ । ଏହାଛଡ଼ା  ଓଡିଶାର ବ୍ରହ୍ମପୁରରୁ ଗୁଜରାଟର  ସୁରଟ (ଉଧନା) ସହ ସଂଯୋଗ  କରୁଥିବା "ଅମୃତ ଭାରତ ଏକ୍ସପ୍ରେସ'କୁ  ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍‌ସିଂ  ଜରିଆରେ ସବୁଜ ପତାକା ଦେଖାଇ  ଶୁଭାରମ୍ଭ କରିବେ । ମୋଦିଙ୍କ ଗସ୍ତ ପୂର୍ବରୁ  ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଝାରସୁଗୁଡ଼ା ଗସ୍ତରେ ଯାଇ ସଭାସ୍ଥଳ  ପରିଦର୍ଶନ କରିବା ସହ ଦଳୀୟ କର୍ମକର୍ତ୍ତା  ଓ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରସ୍ତୁତିର  ସମୀକ୍ଷା କରିଛନ୍ତି । ଯୁବ ସମାବେଶ ଅବସରରେ  ମୋଦି ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ  ଓ ଶୁଭାରମ୍ଭ କରିବେ । ସମ୍ବଲପୁର  ସହର-ସର୍ଲା ମଧ୍ୟରେ ରେଲୱେ  ଫ୍ଲାଏଓଭରର ଭିତ୍ତିପ୍ରସ୍ତର ଦେବେ  ପ୍ରଧାନମନ୍ତ୍ରୀ । ଏହି ଫ୍ଲାଏଓଭର ପାଇଁ  ୨୭୩ କୋଟିର ପାଣ୍ଠି ବରାଦ ହୋଇଛି ।  ସମ୍ବଲପୁର-ଝାରସୁଗୁଡ଼ା ସେକ୍ସନରେ  ଏହା ଟ୍ରାଫିକ ଭିଡ଼କୁ ହଟାଇବ । କୋଇଲା  ଓ ଖଣିଜ ପଦାର୍ଥ ପରିବହନ ଯୋଗୁଁ ଏହି  ରେଳ ଫ୍ଲାଏଓଭର ପାଇଁ ବହୁ ବର୍ଷ ହେବ  ଦାବି ହୋଇ ଆସୁଥିଲା । ଏହି ପ୍ରକଳ୍ପ  ସମ୍ବଲପୁରବାସୀଙ୍କୁ ବହୁ ସୁବିଧା ଦେବ ।  ପ୍ରଧାନମନ୍ତ୍ରୀ ଦୁଇଟି ରେଳ ପ୍ରକଳ୍ପକୁ  ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

କୋରାପୁଟ-ବାଇଗୁଡ଼ା ରେଳ  ଲାଇନର ଦୋହରୀକରଣ କାମ ଶେଷ  ହୋଇଛି । କୋରାପୁଟ ଅଞ୍ଚଳରେ  କୃଷିଜାତ ସାମଗ୍ରୀ ସହ ଖଣିଜ ପରିବହନରେ ଏହି ଦୋହରୀକରଣ ବେଶ ଲାଭ ଦେବ । ୩୪ କିମିର ଏହି ଲାଇନ ପାଇଁ ରେଳବାଇ ୪୮୧  କୋଟି ଖର୍ଚ୍ଚ କରିଛି । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପଣ  କରିବେ । ସେହିଭଳି ମାନାବାର-କୋରାପୁଟ-ଗୋରାପୁର  ରେଳ ଲାଇନର ଦୋହରୀକରଣ କାମ ସରିଛି । ଏହି  ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ୮୨  କିମିର ଏହି ରେଳ ଲାଇନ ଦୋହରୀକରଣରେ ୯୫୬  କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାଦ୍ୱାରା ବେଲାଡିଲା ଖଣିରୁ  ଲୁହାପଥର ସୁବିଧାରେ ଶୀଘ୍ର ଦେଶର ବିଭିନ୍ନ ସ୍ଥାନରେ ଥିବା  ଇସ୍ପାତ କାରଖାନାକୁ ପହଞ୍ଚିପାରିବ । ଏହି ଦୋହରୀକରଣ  ଯୋଗୁଁ ମାଲ ପରିବହନ ସହ ଯାତ୍ରୀ ପରିବହନ ସୁଗମ  ହେବ । ଓଡ଼ିଶାର କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର  ବିଶାଖାପାଟନମ୍‌ ଜିଲ୍ଲା ଏହାର ବେଶ ଲାଭ ଉଠାଇବ ।  ଏହି ରେଳ ପ୍ରକଳ୍ପଗୁଡ଼ିକ ଓଡ଼ିଶାର ରେଳ ଭିତ୍ତିଭୂମିରେ  ରୂପାନ୍ତରଣ ଆଣିବ । ଯାତ୍ରୀ ପରିବହନରେ ସମୟ ବଞ୍ଚିବ ।  ଶିଳ୍ପକୁ ସମୃଦ୍ଧ କରିବା ସହ ଚାଷୀ, ବ୍ୟବସାୟୀ, ଯୁବଗୋଷ୍ଠୀ  ଓ ଶ୍ରମିକମାନଙ୍କ ପାଇଁ ସୁଯୋଗ ମଧ୍ୟ ଆଣିବ ।  

ନୂଆ ଅମୃତ ଭାରତ ଏକ୍ସପ୍ରେସ୍‌ ସେବା ସୁରଟ  ଏବଂ ଏହାର ଆଖପାଖରେ କାମ କରୁଥିବା ବ୍ରହ୍ମପୁର ଏବଂ  ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କ ପାଇଁ ଲାଭଦାୟକ ହେବ । ଏହି  ଟ୍ରେନ ଅଧିକ ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ପ୍ରଦାନ  କରିବ । ଏହି ନୂଆ ସେବା ଓଡିଶା ଓ ଗୁଜରାଟ ମଧ୍ୟରେ  ସାମାଜିକ ଓ ଆର୍ଥିକ ସମ୍ପର୍କକୁ ଆହୁରି ସୃଦୃଢ଼ କରିବ ।  ବିଶେଷତଃ ବ୍ରହ୍ମପୁର ଏବଂ ଗଞ୍ଜାମର ନିମ୍ନ-ମଧ୍ୟମ ବର୍ଗୀୟ  ଯାତ୍ରୀ ସମୁଦାୟ ପାଇଁ ଏହା ଏକ ଜୀବନ-ରେଖା ଭଳି  ସୁବିଧା ଦେବ । ଗଞ୍ଜାମ ଛଡ଼ା ରାୟଗଡ଼ା, କଳାହାଣ୍ଡି,  ବଲାଙ୍ଗୀର, ନୂଆପଡ଼ା ସହ ଆନ୍ଧ୍ରର ଶ୍ରୀକାକୁଲାମ୍‌,  ବିଜୟନଗରମ୍‌ ଏବଂ ମାନ୍ୟମ, ଛତିଶଗଡ଼ର ରାୟପୁର,  ଦୁର୍ଗ ଓ ମହାରାଷ୍ଟ୍ରର ବହୁ ଅଞ୍ଚଳର ଲୋକ ଲାଭ ପାଇବେ ।  

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗୁରୁବାର ମୁଖ୍ୟମନ୍ତ୍ରୀ  ବିମାନ ଯୋଗେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଇ  ସମୀକ୍ଷା କରିଛନ୍ତି । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ  ବିମାନବନ୍ଦରରେ ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟରେ  ବିମାନ ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀ ସିଧାସଳଖ  ଜିଲ୍ଲା ବିଜେପି କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ଦଳୀୟ  କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରାତି ପ୍ରାୟ ୮ଟା ସମୟରେ ମୁଖ୍ୟମନ୍ତ୍ରୀ ଯୁବ ସମାବେଶ ହେବାକୁ ଥିବା ଅମଲିପାଲି ସଭାସ୍ଥଳ ପହଞ୍ଚି  ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ  ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଖଣି ଓ ଇସ୍ପାତ ମନ୍ତ୍ରୀ  ବିଭୂତି ଭୂଷଣ ଜେନା, ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ,  ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓ ବରଗଡ଼ ସାଂସଦ  ପ୍ରଦୀପ ପୁରୋହିତ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ  ସିଂହ ତୋମାର, ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ  ସାଙ୍ଗରେ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ ନେତା ଓ କର୍ମୀ  ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଝାରସୁଗୁଡ଼ା ଠାରେ  ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରିଛନ୍ତି । ଶୁକ୍ରବାର ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।