ଝରିଗାଁ /ଉମରକୋଟ,୨୨/୨ : ଶନିବାରଠାରୁ ଜନୈକ ପ୍ରଧାନଶିକ୍ଷକ ନିଖୋଜ ଅଛନ୍ତି । ପ୍ରଧାନ ଶିକ୍ଷକ ଜଣଙ୍କ ହେଲେ ଉମରକୋଟ ବ୍ଲକ ବଡ ଭରଣ୍ଡି ଗ୍ରାମର ଅଲେଖଚନ୍ଦ୍ର ଭକ୍ତ । ସୂଚନା ଅନୁସାରେ, ଅଲେଖ ଝରିଗାଁ ବ୍ଲକ ରତାଖଣ୍ଡି ଗୁଡାଠାରେ ପ୍ରଧାନ ଶିକ୍ଷକ ଭାବେ ନିୟୋଜିତ ଅଛନ୍ତି । ଶନିବାର ଦଶମ ଶ୍ରେଣୀ ପରୀକ୍ଷା କାର୍ଯ୍ୟ ସାରି କଲେଗାଁ ସ୍କୁଲରୁ ମଧ୍ୟାହ୍ନ ୧୨ଟା ୩୦ମିନିଟ୍ ସମୟରେ ବାହାରିଥିଲେ । ତା’ପରେ ତାଙ୍କର କୌଣସି ଖବର ନାହିଁ ।
ରାତି ୯ଟା ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ। ଏହାପରେ ପରିବାର ଲୋକେ ଅଲେଖଙ୍କ ମୋବାଇଲକୁ ଯୋଗାଯୋଗ କରିବାରୁ ତାଙ୍କର ମୋବାଇଲ ବନ୍ଦ ଥିବା ଜଣାପଡ଼ିଥିଲା । ଏ ନେଇ ଆଜି ପରିବାର ଲୋକଙ୍କ ପକ୍ଷରୁ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ରଚିତା ମାଡ଼କାମିଙ୍କ ନିର୍ଦ୍ଦେଶରେ ତଦନ୍ତ ଅଫିସର ସବ୍ ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ଦୋରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।