ଭୁବନେଶ୍ୱର, ୨୮/୦୭ : ଏଣିକି କାରାଗାରରେ କଏଦୀମାନେ ଦେଶାତ୍ମବୋଧକ ସିନେମା ଦେଖିବେ । ଜାତୀୟ ଉତ୍ସବ କିମ୍ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦିବସରେ ଏହି ସିନେମା ପ୍ରଦର୍ଶିତ ହେବ । ରାଜ୍ୟ କାରାଗାର ନିର୍ଦ୍ଦେଶାଳୟ ଓ ସଂସ୍କାରମୂଳକ ସେବା ପକ୍ଷରୁ ଏନେଇ ସବୁ ମଣ୍ଡଳ କାରାଗାର ବରିଷ୍ଠ ଅଧୀକ୍ଷକ ଓ ରେଞ୍ଜ ଡିଆଇଜିଙ୍କୁ ଅବଗତ କରାଯାଇଛି । ଚିଠିରେ ଉଲ୍ଲେଖ ରହିଛି, ସବୁବର୍ଷ ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଓ ଗାନ୍ଧୀ ଜୟନ୍ତୀ ଭଳି ଜାତୀୟ ପର୍ବ ଅବସରରେ କାରାଗାର ପରିସରରେ ଚଳଚ୍ଚିତ୍ର ଚାଲିବ । ସିନେମା ଓ ଡକ୍ୟୁମେଣ୍ଟାରୀର ପ୍ରଦର୍ଶନ ପାଇଁ କାରାଗାର ଅଧୀକ୍ଷକଙ୍କ ଅନୁମତି ନିହାତି ଦରକାର । ଅପରାଧ, ସେକ୍ସ, ହିଂସା, ସସ୍ପେନ୍ସ ଓ ବିବାଦୀୟ ସିନେମା ନ ଦେଖାଇବାକୁ ଚିଠିରେ କୁହାଯାଇଛି ।
ବିଧାୟକ ତଥା ଜଗତସିଂହପୁର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଏନେଇ ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଶ୍ରୀ ଦାସଙ୍କ କହିବା ମୁତାବକ, ଏସବୁ ଦେଶାତ୍ମବୋଧକ ଚଳଚ୍ଚିତ୍ର ଦେଖିଲେ, କଏଦୀଙ୍କ ମାନସିକ ସ୍ତରରେ ସୁଧାର ଆସିବ । ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାରେ ସହାୟକ ହେବ । ଜଗତସିଂହପୁରର ଅଳକା ଆଶ୍ରମ ପରିଚାଳନା କମିଟି କଏଦୀଙ୍କ ସଂସ୍କାର ପାଇଁ ବର୍ଷେ ତଳୁ ଚେଷ୍ଟା କରି ଆସୁଛି । କମିଟି ସଭାପତି ଗୌରାଙ୍ଗ ଚରଣ ହୋତାଙ୍କ କହିବା ମୁତାବକ, ସମୟ, ପରିସ୍ଥିତି ଓ କୁସଙ୍ଗର ବଶବର୍ତ୍ତୀ ହୋଇ ଅନେକ ବ୍ୟକ୍ତି ଅପରାଧ ଘଟାଇ କାରାଗାରକୁ ଯାଆନ୍ତି । ସେମାନଙ୍କ କୁକର୍ମର ଆତ୍ମବିଶ୍ଲେଷଣ ପାଇଁ ଚାରି କାନ୍ଥର କାରାଗାର ହିଁ ପ୍ରକୃଷ୍ଟ ସ୍ଥାନ । ତେଣୁ ସେମାନଙ୍କ ଜୀବନଧାରାରୁ ପ୍ରଭାବିତ କରିବାରେ ଏହି ଦେଶାତ୍ମବୋଧକ ଚଳଚ୍ଚିତ ବେଶ ସହାୟକ ହେବ।
ଆହୁରି ପଢନ୍ତୁ- ରାଜଧାନୀରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ୱାମୀ, ଗଳା ଓ ହାତ ଶିରା କାଟି ପିଆଇଲା ବିଷ
କାଳିଆ ସାଆନ୍ତଙ୍କ ରହସ୍ୟ: ଅତିବଡ଼ି ଜଗନ୍ନାଥ କାହିଁକି ଧାରଣ କରିଥିଲେ ନାରୀ ରୂପ ?