ବେଙ୍ଗାଲୁର,୨୬।୭:  କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ୨୦୨୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସେ ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ତେବେ ସେ ନିର୍ବାଚନ ଲଢ଼ିବାରୁ ଦୂରେଇ ରହିଲେ ମଧ୍ୟ ସକ୍ରିୟ ରାଜନୀତିରେ ରହି ଜନସାଧାରଣଙ୍କ ସେବା ଜାରି ରଖିବେ। ରବିବାର ଏକ୍ସରେ ପୋଷ୍ଟ କରି ସିଦ୍ଧରମୈୟା ଏନେଇ ସୂଚନା ଦେଇଛନ୍ତି। ଏହା ସହ ବର୍ତ୍ତମାନର ରାଜନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଆଜିର ରାଜନୀତିରେ ଦୁର୍ନୀତି ପ୍ରବେଶ କରିଛି। ତେଣୁ, ମୁଁ ନିଷ୍ପତ୍ତି ନେଇଛି ୨୦୨୮ ବିଧାନସଭା ନିର୍ବାଚନ ଆଉ ଲଢିବି ନାହିଁ। ତେବେ ରାଜନୀତିରେ ସକ୍ରିୟ ରହି, ମୁଁ ଲୋକଙ୍କ ସୁଖ ଏବଂ ଦୁଃଖର ସ୍ୱର ହୋଇ ରହିବି । ସେ କହିଛନ୍ତି, ବରୁଣା ନିର୍ବାଚନମଣ୍ଡଳୀର ଲୋକମାନେ ମୋତେ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରୁଛନ୍ତି। କିନ୍ତୁ ମୁଁ ନିଷ୍ପତ୍ତି ନେଇଛି ଏବେ ଭବିଷ୍ୟତରେ କୌଣସି ନିର୍ବାଚନ ଲଢିବିନି। ପୂର୍ବରୁ ଯେତେବେଳେ ମୁଁ ନିର୍ବାଚନ ଲଢୁଥିଲି, ସେତେବେଳେ ଜନତା ଆମ ପାଇଁ ଟଙ୍କା ଜୁଟାଉଥିଲେ ଓ ଆମେ ଜିତୁଥିଲୁ। କିନ୍ତୁ ଆଜିର ପରିସ୍ଥିତି ପୁରା ବଦଳି ଯାଇଛି।

‘ବୟସ ବଢୁଛି, ଆଗ ଭଳି କାମ କରିବା ସମ୍ଭବ ନୁହେଁ’

କଂଗ୍ରେସ ନେତା ସିଦ୍ଧରମୈୟା କହିଛନ୍ତି ମୋର ବୟସ ଏବେ ୭୯ ବର୍ଷ। ଆମର ସରକାରଙ୍କ କାର୍ଯ୍ୟକାଳ ଏବେ ବି ଆହୁରି ଦେଢ ବର୍ଷ ବାକି ଅଛି। ସେତେବେଳେ ମୋର ବୟସ ୮୧-୮୨ ବର୍ଷ ହୋଇଯିବ। ଏବେ ମୋର ସ୍ବାସ୍ଥ୍ୟ ପୂର୍ବଭଳି ନାହିଁ ନା ଆଗ ଭଳି ଶକ୍ତି ନେଇ କାମ କରିବା ସମ୍ଭବ ରହିଛି। ୨୦୨୮ ବେଳକୁ ମୋର ବୟସ ୮୨ ବର୍ଷ ହୋଇଯିବ। ମୋର ରାଜନୈତିକ ଜୀବନର ୫୦ ବର୍ଷ ବି ପୂରଣ ହୋଇଯିବ। ମୁଁ ୧୯୭୮ ରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲି। ୫ ଦଶକୟରେ ମୁଁ ବିଜୟ ଏବଂ ପରାଜୟ ଉଭୟ ଦେଖିଛି। କିନ୍ତୁ ମୋତେ ଏହି କଥାର ସନ୍ତୋଷ ରହିଛି ଯେ, ମୁଁ କେବେ ନିଜର ସିଦ୍ଧାନ୍ତ ସହ ବୁଝାମଣା କରିନି କିମ୍ବା ନିଜର ଅନ୍ତରଆତ୍ମା ବିରୋଧରେ କୌଣସି କାମ କରିଛି।’

କେଉଁ କଥାକୁ ନେଇ ଅସନ୍ତୋଷ ?

ସିଦ୍ଧରମୈୟା କହିଛନ୍ତି, ଆଜିର ସ୍ଥିତି ଏଭଳି ହୋଇଯାଇଛି ଯେ, ନିର୍ବାଚନ ଲଢିବା ପାଇଁ ନେତାଙ୍କୁ ଏବେ ଜନତାଙ୍କ ଭିତରେ ଟଙ୍କା ଦେବାକୁ ପଡୁଛି। ଆଜିକାଲିର ରାଜନୀତି ସମ୍ପୂର୍ଣ୍ଣ ଭାବେ କଳୁଷିତ ଏବଂ ଭ୍ରଷ୍ଟ ହୋଇସାରିଛି। ନିର୍ବାଚନରେ ଅର୍ଥର ବହୁଳ ବ୍ୟବହାର ଯୋଗୁଁ ସେଠାରେ ସ୍ୱଚ୍ଛ ରାଜନୀତି କରିବା କଷ୍ଟକର ହୋଇପଡ଼ିଛି। ଏଠାରେ ସଚ୍ଚୋଟ ରାଜନେତାର କୌଣସି ସ୍ଥାନ ନାହିଁ। ଏହି ପରିସ୍ଥିତିକୁ ଦେଖି ମୁଁ ଭବିଷ୍ୟତରେ ନିର୍ବାଚନ ନଲଢିବାର ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଗତ ୫ ଦଶକ ହେବ ରାଜ୍ୟର ଜନତା ମୋତେ ନିଜର ଭାବି ସ୍ନେହ ଓ ମାର୍ଗଦର୍ଶନଦେଇଛନ୍ତି। ମୁଁ ଏହି ଋଣ କେବେ ସୁଝିପାରିବିନି। ତେଣୁ ମୋର ବାକି ଜୀବନ ବି ଜନତାଙ୍କ ସେବା ଓ ତାଙ୍କ ହିତ ପାଇଁ ସମର୍ପିତ ରହିବ।’

ଆହୁରି ପଢନ୍ତୁ : Mann ki Baat: 'ମନ୍ କି ବାତ'ରେ ବଡ଼ କଥା କହିଲେ ପିଏମ୍‌ ମୋଦି, କ୍ୟାଚ୍‌ ଦି ରେନ୍‌ରୁ ନେଇ ବିକ୍ରମ -୧କୁ କଲେ ପ୍ରଂଶସା